"ପାଠ ପଢ଼ିବି, କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି । କିଏରେ ତୁ ଅହଂକାରୀ ଉଦ୍ଭ୍ରାନ୍ତ ଯୁବକ! ଓଡ଼ିଆର ମହାନ ନେତା ବିଚକ୍ଷଣ ଓକିଲ ମଧୁବାବୁଙ୍କ ସହିତ ତୁ ଲଢ଼େଇ କରିବୁ! ଏତେ ବଡ଼ ଆସ୍ଫାଳନ ।’ ସତ୍ୟ ହେଉଛି, ଏଭଳି ଏକ ଲୋକକଥା ରହିଛି । ତା'ର ଅର୍ଥ- ମୁଁ ପାଠପଢ଼ି, କାଳିଆ ଘୋଡ଼ାରେ ଚଢ଼ି ମଧୁବାବୁଙ୍କ ଭଳି ଏକ ବିରାଟ ନେତାଙ୍କୁ ଅନୁସରଣ କରି ସେଭଳି ନିଜକୁ ତିଆରି କରିବି । ସେଥିପାଇଁ ତାକୁ ଛାତ୍ରମାନଙ୍କ ପାଠ୍ୟକ୍ରମରେ ରଖାଯାଇଛି ।

ମଧୁବାବୁଙ୍କର ଜୀବନ କାହାଣୀ ଓଡ଼ିଶାର ଅର୍ଦ୍ଧଶତାବ୍ଦୀର ଇତିହାସ । ଅର୍ଦ୍ଧଶତାବ୍ଦୀ ଧରି ଏକ ବିରାଟ ବଟବୃକ୍ଷ ଭଳି ସେ ଠିଆ ହୋଇଥିଲେ । ତାଙ୍କ ବ୍ୟକ୍ତିତ୍ୱ ଆଗରେ ଆଉ କେହି ସମକକ୍ଷ ନଥିଲେ । ସେ ଥିଲେ ଜାତି ପ୍ରାଣ, ଦେଶ ପ୍ରାଣ । ଉତ୍କଳ ଜନନୀ ପାଇଁ ତାଙ୍କର ଅଖଣ୍ଡ ଗର୍ବ ଥିଲା । ଆମେମାନେ ମହାଶକ୍ତିଶାଳୀ କଳିଙ୍ଗ ସାମ୍ରାଜ୍ୟର ଦାୟାଦ, ଶକ୍ତିଶାଳୀ ଉତ୍କଳ ସାମ୍ରାଜ୍ୟର ଦାୟାଦ, ଏକ ସମର ବିଶାରଦ ଜାତି । କିନ୍ତୁ ଏମିତି ଭାଗ୍ୟର ବିଡ଼ମ୍ବନା ଯେ ଆମେ ପରାଧୀନ ହୋଇଗଲେ, ଦେଶ ପରାଧୀନ ହୋଇଗଲା । ଇଂରେଜ ଶାସନ କାଳରେ ଓଡ଼ିଶା ଖଣ୍ଡବିଖଣ୍ଡିତ ହୋଇ ବଙ୍ଗ, ବିହାର ଓ ମାଡ୍ରାସ ସହିତ ସଂଯୋଗିତ ହୋଇଗଲା । ଓଡ଼ିଆ ଜାତି ଦୁଃଖ, କଷ୍ଟ ଓ ଯନ୍ତ୍ରଣାରେ ଛଟପଟ ହେଉଥିଲା। ଏଡେ ବଡ଼ ସାମରିକ ଜାତି । ଏହାର ଶିକ୍ଷା, ସଂସ୍କୃତି ଓ ପରମ୍ପରା ସବୁ ହେଉଛି ମହାନ । ତାହାର ପୁଣି ଏ ଦୁର୍ଦ୍ଦଶା! ଏହା ମଧୁବାବୁଙ୍କ ପ୍ରାଣରେ ଗଭୀର ଆଘାତ ଦେଉଥିଲା । ଖଣ୍ଡ, ବିଖଣ୍ଡିତ, ଓଡ଼ିଶାକୁ ଏକତ୍ରିତ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ସେ ସାରା ଜୀବନ ଲଢ଼େଇ କରିଥିଲେ ।

ସେ ଉତ୍କଳ ସମ୍ମିଳନୀ ଗଠନ କରିଥିଲେ ଓ ଉତ୍କଳ ସମ୍ମିଳନୀ ଜରିଆରେ ସାରା ଓଡ଼ିଆ ଜାତିକୁ ଏକତ୍ରିତ କରି ତା’ର ସମସ୍ତ ବରପୁତ୍ରମାନଙ୍କୁ ସଂଯୋଗିତ କରି ତାଙ୍କର ସଂଗ୍ରାମ ଆରମ୍ଭ କରିଦେଇଥିଲେ । ସେଥିରେ ଥିଲେ ଉତ୍କଳମଣି ଗୋପବନ୍ଧୁ, ଗଜପତି କୃଷ୍ଣଚନ୍ଦ୍ର, ବ୍ୟାସକବି ଫକୀର ମୋହନ ଓ ଆହୁରି ଅନେକ ମହାନ ବ୍ୟକ୍ତି । ଦୀର୍ଘଦିନ ଧରି ସଂଗ୍ରାମ ଚାଲିଲା । ମଧୁବାବୁ ତାଙ୍କର ବଳିଷ୍ଠ ଯୁକ୍ତି ଇଂରେଜ ଶାସକଙ୍କ ଆଗରେ ଉପସ୍ଥାପନ କଲେ । ସେ କହିଥିଲେ, ଓଡ଼ିଆ ଏକ ସଂସ୍କୃତିସଂପନ୍ନ ଜାତି । ଏହାକୁ ଖଣ୍ଡବିଖଣ୍ଡିତ କରି ବିଭିନ୍ନ ପ୍ରଦେଶରେ ସଂଯୋଗ କରିବା ଫଳରେ ଆମେ ସମସ୍ତେ ବହୁ ଅପମାନିତ ହେଉଛୁ । ଦୀର୍ଘଦିନ ଧରି ଯୁକ୍ତି ଚାଲିଲା । ମଧୁବାବୁଙ୍କ ପ୍ରତି ଇଂରେଜ ସରକାରଙ୍କର ବହୁ ସମ୍ମାନ ଥିଲା, ସେ କେବଳ ଜଣେ ବିଚକ୍ଷଣ ଓକିଲ ନଥିଲେ, ସେ ଥିଲେ ଓଡ଼ିଶାର ତୁଙ୍ଗ ନେତା । ତାଙ୍କର ଜୀବନସାରା ସେ ଖଣ୍ଡବିଖଣ୍ଡିତ ଉତ୍କଳକୁ ଏକତ୍ରିତ କରିବା ପାଇଁ ଓ ସ୍ୱତନ୍ତ୍ର ମାନ୍ୟତା ଦେବାପାଇଁ ଲଢ଼େଇ କରିଥିଲେ । ଦୀର୍ଘଦିନ ଧରି ଚାଲିଲା ଏ ଲଢ଼େଇ । ମଧୁବାବୁଙ୍କର ବିରାଟ ବ୍ୟକ୍ତିତ୍ୱ ଦୃଷ୍ଟିରୁ ସବୁ ବରପୁତ୍ର କବି, ଲେଖକ, କଥାକାର ଏବଂ ପ୍ରତି କ୍ଷେତ୍ରର ଲୋକ ଏଥିରେ ଯୋଗଦେଲେ । ସାରା ଓଡ଼ିଶାରେ ଚାଲିଲା ଆନ୍ଦୋଳନ । ଇଂରେଜ ଶାସକଙ୍କ ପାଖରେ ମଧୁବାବୁ ତାଙ୍କର ଦାବି ଉପସ୍ଥାପନ କଲେ । ତାଙ୍କର ବିଚକ୍ଷଣ ଯୁକ୍ତି ଆଗରେ ଇଂରେଜ ଶାସକ ପ୍ରଭାବିତ ହେଲେ । ଏ ଲଢ଼େଇରେ ସମଗ୍ର ଓଡ଼ିଆ ଜାତି ସତେଯେମିତି ଏକତ୍ରିତ ହୋଇଗଲା । ଉତ୍କଳ ଜନନୀର ଦୁର୍ଦ୍ଦଶା ଦେଖି କେତେ ଯେ ଯନ୍ତ୍ରଣା ହେଉଛି ତାହା ଜାତିପ୍ରାଣ ଓଡ଼ିଆଙ୍କ ଛଡ଼ା ଆଉ କିଏ ବା ଜାଣିପାରିବ । ମଧୁବାବୁଙ୍କର ଏହି ଦୀର୍ଘଦିନର ସଂଗ୍ରାମ ଶେଷରେ ଫଳବତୀ ହେଲା । ଖଣ୍ଡବିଖଣ୍ଡିତ ଓଡ଼ିଶାକୁ ନେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ଗଠିତ ହେଲା । ଆନନ୍ଦ- ଉଦ୍ଦୀପନା ଭିତରେ ଓଡ଼ିଆ ଜାତି ପାଳନ କଲା ତା'ର ସ୍ୱତନ୍ତ୍ର ଉତ୍କଳର ଜନ୍ମଦିନ ।

ଗର୍ବରେ ଗାଇ ଉଠିଲା, ବନ୍ଦେ ଉତ୍କଳ ଜନନୀ । କେତେ କାଳକେ ତୋତେ ଏକତ୍ରିତ ହେବାର ଦେଖିଲୁ । ମଧୁବାବୁ କେବଳ ଜଣେ ଲୋକପ୍ରିୟ ନେତା ଓ ବିଚକ୍ଷଣ ଆଇନଜୀବୀ ନଥିଲେ, ସେ ଥିଲେ ଓଡ଼ିଶାର ଏକ ଆଲୋକବର୍ତ୍ତିକା । ମଧୁବାବୁ ଗରିବ, ନିଷ୍ପେସିତ ଜନତାଙ୍କ ରକ୍ଷାକବଚ ଭାବେ କାର୍ଯ୍ୟ କରୁଥିଲେ । ଅବହେଳିତ ଓଡ଼ିଆ ଲୋକ ଯେକୌଣସି ବିପତ୍ତିରେ ପଡ଼ିଲେ, ତାର ଭାଗ୍ୟର ବିପର୍ଯ୍ୟୟ ଘଟିଲେ, ସେ ଆସି ମଧୁବାବୁଙ୍କ ପାଖରେ ପହଞ୍ଚୁଥିଲା ଓ ତାଙ୍କର ସାହାଯ୍ୟ ପ୍ରାର୍ଥନା କରୁଥିଲା । ସେ ତାଙ୍କୁ ସବୁ ପ୍ରକାର ସାହାଯ୍ୟ କରୁଥିଲେ । ମଧୁବାବୁଙ୍କର ଜୀବନୀ ଉପରେ ବହୁ ପ୍ରଚାରିତ ଏକ କାହାଣୀ ରହିଛି । ସେ କାହାଣୀଟି ହେଉଛି ଜଣେ ଦୁଃଖ ଦାରିଦ୍ର୍ୟ ଭିତରେ ସଢ଼ୁଥିବା ବୁଢ଼ୀର କାହାଣୀ । ଏଥିରୁ ଜଣାପଡ଼ିବ ଯେ କ’ଣ ଥିଲେ ମଧୁବାବୁ! ମଧୁବାବୁ କେତେ ଭଲପାଉଥିଲେ ତାଙ୍କର ଓଡ଼ିଆ ଜାତିକୁ । କେତେ ଭଲପାଉଥିଲେ ତାଙ୍କର ମାତୃଭୁମିକୁ । ଓଡ଼ିଆଙ୍କ ପାଇଁ କେତେ ତ୍ୟାଗ ଥିଲା ତାଙ୍କର । ସେହି କାହାଣୀର ଅବତାରଣା କରିବା ପାଇଁ ମୁଁ ଯାଉଛି ।

ଜଣେ ଅତି ଦରିଦ୍ର ଗରିବ ବୁଢ଼ୀ ଆସି ମଧୁବାବୁଙ୍କ ଓକିଲଖାନାରେ ପହଞ୍ଚିଲା । ପହଞ୍ଚିଲା ବେଳକୁ ରାଜା ଜମିଦାରଙ୍କ ଭଳି କିଛି ବିଶିଷ୍ଟ ମହକିଲ ସେଠାରେ ଥିଲେ । ବୁଢ଼ୀ ହାତଯୋଡ଼ି କହିଲା- ବାବୁ, ମୁଁ ଗୋଟେ ଗରିବ ଲୋକ, ମୋର ସବୁ ସରିଯାଇଛି, ଆପଣ ମୋତେ ରକ୍ଷା କରନ୍ତୁ । ମୁଁ ଆଉ ବଞ୍ଚିପାରିବିନି । ମଧୁବାବୁ କହିଲେ-ମା' କ’ଣ ହୋଇଛି ତୋର, ତୁ କାହିଁକି ଏତେ କାନ୍ଦୁଛୁ । ବୁଢ଼ୀ କହିଲା- ବାବୁ! ଗାଁରେ ମୋର ଜମି ଖଣ୍ଡିଏ ଥିଲା । ସେଥିରେ ଦୁଃଖେକଷ୍ଟେ ମୁଁ ବଞ୍ଚୁଥିଲି । ଗାଁ ଲୋକ ମେଳି ହେଇକିରି ଅନ୍ୟାୟ ଭାବରେ ସେ ଜମିକି ଛଡ଼େଇ ନେଇଛନ୍ତି । ଗ୍ରାମର ଯେ ମୁଖିଆ ସେ ମୋ ପ୍ରତି ଅନ୍ୟାୟ କରିଛନ୍ତି । ଗ୍ରାମର ଯେଉଁମାନେ ନ୍ୟାୟ ଦେବେ ବୋଲି କହୁଛନ୍ତି ସେମାନେ ସମସ୍ତେ ଏକ ହୋଇଯାଇଛନ୍ତି । ବିଚଳିତ ହୋଇଗଲେ ମଧୁବାବୁ, କହିଲେ ତୁ ମା' ଚିନ୍ତା କରେନି । ତୁ ବସେ, ମୁଁ ତୋ କଥା ବୁଝିବି । ବୁଢ଼ୀଠାରୁ ତା' ଜୀବନର ସମସ୍ତ କରୁଣ କାହାଣୀ ଶୁଣି ସ୍ତବ୍ଧ ହୋଇଗଲେ । ବୁଢ଼ୀର ଏ ସଙ୍କଟ କିଭଳି ଦୂର ହେବ ତା' ଉପରେ ଚିନ୍ତା କଲେ । ବିଚଳିତ ହୋଇଗଲେ । ମଧୁବାବୁ କହିଲେ- ମା' ତୁ ଆଉ ଚିନ୍ତା କରେନି, ମୁଁ ଅଛି, ମୁଁ ଥାଉଁ ଥାଉଁ ତୋ ଉପରେ ଏପରି ଅତ୍ୟାଚାର ହେବ, ସେକଥା ମୁଁ କେବେ ବରଦାସ୍ତ କରିପାରିବିନି । ମୁଁ ତାର ନିରାକରଣ କରିବି । ତୁ କିଭଳି ଶେଷ ଜୀବନ ସୁଖ, ଶାନ୍ତି ଭିତରେ ବଞ୍ଚିବୁ ମୁଁ ତା'ର ବ୍ୟବସ୍ଥା କରିଦେବି । ତୋର ଜମିଖଣ୍ଡିକ ନିଶ୍ଚୟ ତୁ ଫେରି ପାଇବୁ।’

ମଧୁବାବୁ ସେଇ ବୃଢ଼ୀର ଗାଁକୁ ଯିବାକୁ ପ୍ରସ୍ତୁତ ହେଲେ । ବୁଢ଼ୀର ସେହି ଜମିକୁ ଲୋକ ପଠାଇ ଚିହ୍ନଟ କରିନେଇଥିଲେ । ତା'ପରେ ମଧୁବାବୁ ତାଙ୍କ ଘୋଡ଼ାରେ ବସି ସେଇ ଜମି ଉପର ଦେଇ ଯାଇ ସେ ଗାଁରେ ପହଞ୍ଚିଲେ । ମଧୁବାବୁଙ୍କ ଭଳି ଜଣେ ମହାନ ବ୍ୟକ୍ତି ସେ ପୁଣି ଆମ ଗାଁକୁ ଆସିଛନ୍ତି, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଯେତେବେଳେ ଜାଣିଲେ ଯେ, ସେ ଗରିବ ବୁଢ଼ୀ ପାଇଁ ମଧୁବାବୁ ସେଇ ଗାଁକୁ ଆସିଛନ୍ତି, ସେମାନେ ଆତଙ୍କରେ ଥରି ଉଠିଲେ । ମଧୁବାବୁ ଗାଁବାଲାଙ୍କୁ ପଚାରିଲେ, ମୁଁ ଆସିଲା ବେଳେ ଯେଉଁ ଜମି ଉପରେ ଆସିଲି, ସେହି ଜମିରେ ଗାତ ଖୋଳାହୋଇଛି, ମୋ ଘୋଡ଼ାର ଗୋଡ଼ ଛୋଟା ହୋଇଗଲା । ଏ ଅପରାଧ କିଏ କରିଛି! ଯିଏ କରିଛି ମୁଁ ତାକୁ ଦଣ୍ଡ ଦେବି । କାହାର ସେ ଜମି । କିଏ ସେ ଜମିର ମାଲିକ । ସମସ୍ତ ଗ୍ରାମବାସୀ ଆତଙ୍କିତ ହେଲେ ଏବଂ କହିଲେ, ନାଇଁ ନାଇଁ ଆମର ସେ ଜମି ନୁହେଁ । ଜମି ସେ ବୃଢ଼ୀର । ହେ ବୁଢ଼ୀ ତୁ କାହିଁକି ସେ ଜମିରେ ଗାତ ଖୋଳିଥିଲୁ । ମଧୁବାବୁଙ୍କ ଘୋଡ଼ା ଟାଙ୍କ ଛୋଟା ହୋଇଗଲା । ତେଣୁ ଆମେ ତୋତେ ଗ୍ରାମବାସୀ ଦଣ୍ଡ ଦେବୁ । ବୁଢ଼ୀ କହିଲା- ବାବୁ! ଅସଲ ସତକଥା ଗ୍ରାମବାସୀ ଆପଣଙ୍କ ଆଗରେ ମାନିଛନ୍ତି । ଅନ୍ୟାୟରେ ସେ ଜମିକୁ ଗ୍ରାମବାସୀ ମୋ ଠାରୁ ଛଡ଼ାଇ ନେଇଯାଇଛନ୍ତି । ଆପଣ ମୋତେ ଦୟା କରନ୍ତୁ । ମଧୁବାବୁ ଗ୍ରାମବାସୀଙ୍କୁ କହିଲେ, ଆପଣ ସମସ୍ତେ ସ୍ୱୀକାର କରିଛନ୍ତି ଯେ ସେ ଜମି ଏଇ ଦରିଦ୍ର ବୁଢ଼ୀର । ଆପଣମାନଙ୍କୁ ଲାଜ ଲାଗିଲାନାହିଁ ଯେ ଜଣେ ଅସହାୟ ଦରିଦ୍ର ବୁଢ଼ୀର ଜମିକୁ ଆପଣମାନେ ଅନ୍ୟାୟ ଭାବରେ ଛଡ଼ାଇ ନେଇଛନ୍ତି । ଏତେ ଲୋଭ ହୋଇଗଲା ଆପଣମାନଙ୍କର! ହେ ଗ୍ରାମମୁଖିଆ, ତମର ଇଜ୍ଜତ ସମ୍ମାନ ବୋଲି କିଛି ନାହିଁ! ତମର କର୍ତ୍ତବ୍ୟ କ’ଣ? କର୍ତ୍ତବ୍ୟ ହେଉଛି ସାଧାରଣ ଲୋକଙ୍କୁ ନ୍ୟାୟ ଦେବା, ସାଧାରଣ ଲୋକ ଯେ ଅତ୍ୟାଚାରିତ ହେଉଛି ତା’ ପଛରେ ଠିଆ ହେବା । ହେ ଗ୍ରାମବାସୀ ଭାଇମାନେ, ଏକ ଅସହାୟ ଦରିଦ୍ର ବୁଢ଼ୀ, ଯାହାର ବଞ୍ଚିବାର ଆଉ କିଛି ସାହାରା ନାହିଁ, ତାହାର ଜମି ଛଡ଼ାଇ ନେଉଛନ୍ତି ଆପଣମାନେ! ଗ୍ରାମବାସୀ ସମସ୍ତେ ଲଜ୍ଜିତ ହେଲେ ଓ ମଧୁବାବୁଙ୍କ ପାଦତଳେ ପଡ଼ି କହିଲେ- ହେ ମହାଶୟ, ଆମେ ଅପରାଧ କରିଛୁ । ଆମ ଅପରାଧ ପାଇଁ ଆମକୁ କ୍ଷମା କରନ୍ତୁ । ବୁଢ଼ୀର ଜମି ଖଣ୍ଡିକ ଆମେ ଫେରାଇ ଦେବୁ । ତାକୁ ଯେ ପ୍ରକାର ସାହାଯ୍ୟ କରିବାକୁ ଆପଣ କହିବେ ଆମେ ନିଶ୍ଚୟ କରିବୁ । ମଧୁବାବୁ କହିଲେ- ତା' ଜମିକୁ ଆପଣମାନେ ଫେରାଇ ଦିଅନ୍ତୁ । ସେ ଜମିକୁ ଚାଷ କରି ବୁଢ଼ୀ ଯେମିତି ଶାନ୍ତିରେ ତା’ ଜୀବନଯାପନ କରିବ ତା' ବ୍ୟବସ୍ଥା କରନ୍ତୁ । ସେତିକି ହେଲେ ମୁଁ କାହା ବିରୋଧରେ କିଛି କରିବିନି । କାହା ବିରୋଧରେ କିଛି ମାଲିମକଦ୍ଦମା ହେବନାହିଁ ।

ନ୍ୟାୟବନ୍ତ ଲୋକ । ଯେ ଗରିବ, ଦରିଦ୍ର, ନିଷ୍ପେଷିତ ଲୋକ ତା' ପଛରେ ଠିଆହେବ, ତାକୁ ବିପତ୍ତି ବେଳେ ସାହାଯ୍ୟ କରି ସୁରକ୍ଷା ଦେବ । ସେ ହେଉଛି ମଣିଷର କର୍ତ୍ତବ୍ୟ । ଏତିକି କହି ମଧୁବାବୁ ଘୋଡ଼ାରେ ଚଢ଼ି ଫେରିଆସିଲେ । କେତେବଡ଼ ମହାନ ଥିଲେ ସେ ମଧୁବାବୁ । ସେ କେବଳ ଅର୍ଥ ଉପାର୍ଜନ କରିବା ପାଇଁ ଆଇନଜୀବୀ ବ୍ୟବସାୟ କରୁନଥିଲେ, ସେ ଅସହାୟ, ନିଷ୍ପେଷିତ ଲୋକଙ୍କ ପାଇଁ ଲଢ଼େଇ କରୁଥିଲେ ଓ ତାଙ୍କୁ ସୁରକ୍ଷା ଦେଉଥିଲେ, ସାହାଯ୍ୟ କରୁଥିଲେ, ତାଙ୍କୁ ବଞ୍ଚିବା ପାଇଁ ବ୍ୟବସ୍ଥା କରିଦେଉଥିଲେ । ମଧୁବାବୁ ଥିଲେ ଜଣେ ମହାନ ବ୍ୟକ୍ତି । ଧନ୍ୟ ତୁମେ ମଧୁବାବୁ, ଧନ୍ୟ ତୁମ ମହାନତା, ଧନ୍ୟ ତୁମର ଜାତିପ୍ରେମ । ଆପଣ ଓଡ଼ିଆ ଜାତି ପାଖରେ ଚିରସ୍ମରଣୀୟ ହୋଇ ରହିବେ ।