ଜାତୀୟ ଗୌରବ ମଧୁସୂଦନ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ରାଜନୈତିକ ପୁରୁଷ । ଓଡ଼ିଆ ଜନଜୀବନର ଶ୍ରେଷ୍ଠ ମାନ୍ତ୍ରିକ ବି ଥିଲେ ମଧୁସୂଦନ । ମଧୁସୂଦନଙ୍କ ଆବିର୍ଭାବ ଓଡ଼ିଆ ଜାତିର ମୁକ୍ତି ଲାଗି ଥିଲା ଏକ ପରମ ଆବଶ୍ୟକତା । ଓଡ଼ିଶାର ସ୍ୱତନ୍ତ୍ରତାର ଅବଲୁପ୍ତି ପରେ ବହୁ ଦେଶଭକ୍ତ ସଂଗ୍ରାମୀମାନଙ୍କ ବଳିଦାନ ସତ୍ତେ୍ୱ ମଧୁସୂଦନଙ୍କ ପରି ଯୁଗାନ୍ତକାରୀ ପୁରୁଷଙ୍କ ଆବିର୍ଭାବ ଲାଗି ଓଡ଼ିଆ ଜାତିକୁ ତିନିଶହ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିଥିଲା । ଗୋଟିଏ ନିର୍ଜୀବ ଓ ନିଷ୍ପ୍ରାଣ ଓଡ଼ିଆ ଜାତିକୁ ଉଦ୍ଧାର କରି, ଗୌରବୋଜ୍ୱଳ ଅସ୍ତିତ୍ୱ ଓ ସ୍ୱାଭିମାନର ପ୍ରଖର ଦିବାଲୋକକୁ ଆଣିପାରିଥିଲେ । ଓଡ଼ିଆମାନେ ପାଦଥାପି ଛିଡ଼ାହେବା ପାଇଁ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିପାରିଥିଲେ । ନିର୍ବିବାଦରେ ମଧୁସୂଦନ ହେଉଛନ୍ତି ନବ ଓଡ଼ିଶାର ନିର୍ମାତା । ତାଙ୍କ ଦୂରଦୃଷ୍ଟି ଓ ନେତୃତ୍ୱରେ ଓଡ଼ିଶା ପ୍ରଦେଶ ଗଠନ ପାଇଁ ବିରାମହୀନ ସଂଗ୍ରାମ ହେଉଛି ଏକ ଯୁଗାନ୍ତକାରୀ ଘଟଣା ।
ମଧୁସୂଦନ ଓଡ଼ିଶାରେ ନବଜାଗରଣର ପଥିକୃତ ଥିଲେ । ଭାଷାଭିତ୍ତିକ ପ୍ରଦେଶ ଗଠନରେ ମଧୁସୂଦନ ହିଁ ଥିଲେ ପଥପ୍ରଦର୍ଶକ । ୧୮୮୧ ମସିହାରେ ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ ପରେ ମଧୁସୂଦନ ଗୌରୀଶଙ୍କର ରାୟଙ୍କ ଘନିଷ୍ଠତାରେ ୧୮୮୨ରେ ଉତ୍କଳ ସଭା ଗଠନ କରିଥିଲେ । ଓଡ଼ିଆ ଭାଷା ଅଞ୍ଚଳର ମିଶ୍ରଣ ପାଇଁ ୧୮୮୫ରେ ବଙ୍ଗର ଲାଟ୍ ରିଭର୍ସ ଥମ୍ପସନଙ୍କୁ ଉତ୍କଳ ସଭା ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ୧୮୯୫ ମସିହା ଜାନୁଆରୀ ମାସରେ ସମ୍ବଲପୁରର କୋର୍ଟ କଚେରିରେ ଓଡ଼ିଆ ଭାଷା ପରିବର୍ତ୍ତେ ହିନ୍ଦୀକୁ ପ୍ରଶାସନିକ ଭାଷାର ମର୍ଯ୍ୟାଦା ଦିଆଯାଇଥିଲା । ଉତ୍କଳ ସଭା ପକ୍ଷରୁ ମଧୁସୂଦନ ବଡ଼ଲାଟ ଏଲଗିନ୍ଙ୍କୁ ପ୍ରତିବାଦ ପତ୍ର ପଠାଇଥିଲେ । ୧୮୯୭ରେ ଇଂଲଣ୍ଡ ଯାତ୍ରା ସମୟରେ ଭାରତର ସଚିବ ଲର୍ଡ ହାମିଲଟନଙ୍କୁ ପ୍ରତିବାଦ ପତ୍ର ଦେଇଥିଲେ । ମଧୁସୂଦନଙ୍କ ଉଦ୍ୟମ ଫଳରେ ୧୯୦୩ ମସିହା ଜାନୁଆରୀ ପହିଲାରୁ ସମ୍ବଲପୁରର କୋର୍ଟ କଚେରିରେ ଓଡ଼ିଆ ଭାଷା ପ୍ରଚଳିତ ହେଲା । ୧୯୦୩ ମସିହାରେ ପ୍ରସାରିତ ରିସଲେ ସର୍କୁଲାର ୧୯୦୫ରେ କାର୍ଯ୍ୟକାରୀ ହେବା ଫଳରେ ଛତିଶଗଡ଼ ଡିଭିଜନରୁ ସମ୍ବଲପୁର, କଳାହାଣ୍ଡି, ପାଟନା, ସୋନପୁର, ବାମଣ୍ଡା, ରେଢ଼ାଖୋଲ ଏବଂ ଛୋଟନାଗପୁର ଡିଭିଜନରୁ ଗାଙ୍ଗପୁର ଆଉ ବଣାସଗଡ଼ ଅଞ୍ଚଳ ଆସି ଓଡ଼ିଶା ଡିଭିଜନରେ ସାମିଲ ହେଲା । ୧୯୦୩ ମସିହାରେ ମଧୁସୂଦନ ପ୍ରତିଷ୍ଠା କରିଥିବା ଉତ୍କଳ ସମ୍ମିଳନୀର ପ୍ରଥମ ବୈଠକ କଟକର ଇଦ୍ଗା ପଡ଼ିଆରେ ଡିସେମ୍ବର ୩୦ ଓ ୩୧ ତାରିଖରେ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉତ୍କଳ ସମ୍ମିଳନୀର ଉଦ୍ଦେଶ୍ୟ ଥିଲାଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଶାସନ ସୂତ୍ରରେ ଏକତ୍ରୀକରଣ, ଉତ୍କଳର ସର୍ବାଙ୍ଗୀନ ଉନ୍ନତି ଇତ୍ୟାଦି ।
୧୯୧୭ରେ ମଣ୍ଟେଗୁଚେମସ୍ଫୋର୍ଡ କମିଟି ନିକଟରେ ମଧୁସୂଦନ ସବୁ ବିଚ୍ଛିନ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଗୋଟିଏ ପ୍ରାଦେଶିକ ଶାସନାଧୀନରେ ରଖିବା ପାଇଁ ଦାବି କରିଥିଲେ । ନାରାୟଣଦେବ ମଧୁସୂଦନଙ୍କ ନିର୍ଦ୍ଦେଶରେ ପାଟଣାଠାରେ ସାଇମନ କମିଶନଙ୍କୁ ଲିବରାଲ ଲିଗ୍ ପକ୍ଷରୁ ବ୍ରଜସୁନ୍ଦର ଦାସ ପ୍ରମୁଖ ସ୍ୱାଗତ ଜଣାଇଥିଲେ । ୧୯୩୨ ମସିହା ଜାନୁଆରୀ ପ୍ରଥମ ସପ୍ତାହରେ ଓଡ଼ନେଲ କମିଟି କଟକ ପରିଦର୍ଶନ ବେଳେ ମଧୁସୂଦନ କଟକ ରେଳ ଷ୍ଟେସନକୁ ଯାଇ ଓଡ଼ନେଲ କମିଟିକୁ ସ୍ୱାଗତ ଜଣାଇଥିଲେ । ମଧୁସୂଦନଙ୍କ ପରାମର୍ଶରେ ୧୯୩୧ ଓ ୧୯୩୩ ସାଲରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ତିନିଥର ଲଣ୍ଡନ ଯାତ୍ରା ସହିତ ଗୋଲଟେବୁଲ ବୈଠକରେ ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ । ୧୯୩୩ ଜୁନ୍ ୨୩ ତାରିଖରେ ସାର୍ ଜନ୍ ଅଷ୍ଟିନ ହବାକ୍ଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଶାସନିକ କମିଟିର ସଭ୍ୟ ଥିଲେ ମଧୁସୂଦନ । ୧୯୩୬ ମସିହା ଅପ୍ରେଲ ପହିଲାରୁ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠିତ ହେଲା । ଆନ୍ଧ୍ରର ପୋଟି ଶ୍ରୀରାମୁଲୁଙ୍କର ୧୯୫୨ ଡିସେମ୍ବର ୧୫ରେ ଆତ୍ମୋତ୍ସର୍ଗ ଫଳରେ ହିଁ ୧୯୫୩ ମସିହା ଅକ୍ଟୋବର ପହିଲାରେ ଆନ୍ଧ୍ରପ୍ରଦେଶ ଗଠିତ ହୋଇଥିଲା । ୧୯୩୬ ମସିହାରେ ସେଦିନ ଓଡ଼ିଶା ପାଇଁ ସ୍ୱତନ୍ତ୍ର ପ୍ରଦେଶଟିଏ ମିଳିନଥିଲେ, ୧୯୫୭ ମସିହାରେ ପାର୍ଲିଆମେଣ୍ଟରେ ରାଜ୍ୟ ପୁନର୍ଗଠନ ଆଇନ ପାସ୍ ହେବା ପର୍ଯ୍ୟନ୍ତ ଓଡ଼ିଆମାନଙ୍କୁ ଅପେକ୍ଷା କରିବାକୁ ପଡ଼ିଥାନ୍ତା । ମଧୁସୂଦନ ହେଉଛନ୍ତି ସ୍ୱଦେଶୀ ଶିଳ୍ପାୟନର ପ୍ରଥମ ପଥପ୍ରଦର୍ଶକ ।
୧୮୯୭ ମସିହାରେ ଲଣ୍ଡନ ଗସ୍ତରୁ ଫେରିବା ପରେ ମଧୁସୂଦନ ସୂକ୍ଷ୍ମ ତାରକସି କାମର ଉନ୍ନତି ଏବଂ ତାରକସି କାରିଗରମାନଙ୍କୁ କାବୁଲି ମହାଜନ ଓ ବ୍ୟବସାୟୀଙ୍କ ଶୋଷଣରୁ ମୁକ୍ତ କରିବା ନିମିତ୍ତ ପ୍ରତିଷ୍ଠା କରିଥିଲେ "ଓଡ଼ିଶା ଆର୍ଟ ଓୟାର' । ଶିଙ୍ଗ, ହାତୀଦାନ୍ତ, ବେତ ଓ ବାଉଁଶରେ ବିଭିନ୍ନ ପ୍ରକାର ସୁରୁଚିସଂପନ୍ନ ପଦାର୍ଥ ତିଆରି ପାଇଁ କାରିଗରମାନଙ୍କୁ ତାଲିମ ଦେବାପାଇଁ ମଧୁସୂଦନ ଏକ ଆର୍ଟ ସ୍କଲ ପ୍ରତିଷ୍ଠା କରିଥିଲେ । ୧୯୦୫ରେ ମଧୁବାବୁ ଟ୍ୟାନେରୀ ପ୍ରତିଷ୍ଠା କରିଥିଲେ । ଏଥିରେ ୧୦୦ ଜଣ ମୋଚି ଆଉ ୨୦୦ରୁ ଅଧିକ ମେହେନ୍ତର କାମ କରୁଥିଲେ । ୧୯୨୫ ମସିହା ଅଗଷ୍ଟ ୧୯ ତାରିଖ ଦିନ ମହାତ୍ମା ଗାନ୍ଧୀ ଉତ୍କଳ ଟ୍ୟାନେରୀ ପରିଦର୍ଶନ କରି ବିସ୍ମାୟାଭିଭୂତ ହୋଇଥିଲେ । ଗ୍ରାମୀଣ କାରିଗରମାନଙ୍କ ନିମିତ୍ତ ମଧୁସୂଦନ ୧୯୦୦ରେ ଉନ୍ନତ ଚରଖା ପ୍ରଚଳନ କରିଥିଲେ । ୧୯୦୫ରେ ଫ୍ଲାଇଂ ସଟଳ ତନ୍ତ ସାହାଯ୍ୟରେ ବୟନ ପ୍ରଣାଳୀରେ ଉନ୍ନତି ଆଣିଥିଲେ । ଓଡ଼ିଶାରେ ସମୟବାୟର ଆଦ୍ୟ ପ୍ରବର୍ତ୍ତକ ହେଉଛନ୍ତି ମଧୁସୂଦନ । ୧୯୦୪ର ସମବାୟ ଆଇନ ପ୍ରଣୟନର ଛଅବର୍ଷ ପୂର୍ବରୁ ୧୮୯୮ ସାଲରେ ମଧୁସୂଦନ ଭାରତର ଅନ୍ୟତମ ପ୍ରଥମ ସମବାୟ ସମିତି "କଟକ କୋ-ଅପରେଟିଭ୍ ଷ୍ଟୋର' ସ୍ଥାପନା କରିଥିଲେ ।
ଭାରତୀୟ ମହିଳାମାନଙ୍କୁ ଆଇନଜୀବୀ ବୃତ୍ତି ଗ୍ରହଣର ଅଧିକାର କ୍ଷେତ୍ରରେ ମଧୁବାବୁଙ୍କ ଅବଦାନ ଚିରସ୍ମରଣୀୟ । ୧୯୨୨ରେ ପାଟନା ହାଇକୋର୍ଟରେ ମଧୁବାବୁଙ୍କ ପାଳିତ କନ୍ୟା ସୁଧାଂଶୁବାଳା ହାଜରା ଆଇନଜୀବୀ ବୃତ୍ତି ଲାଗି କରିଥିବା ଆବେଦନ ଖାରଜ ହୋଇଥିଲା । ଏହା ବିରୁଦ୍ଧରେ ମଧୁବାବୁ ପ୍ରିଭିକାଉନ୍ସିଲ ନିକଟରେ ପ୍ରଥମ ପି.ଆଇ.ଏଲ୍. ଦାଖଲ କରିଥିଲେ । ମଧୁବାବୁଙ୍କ ଉଦ୍ୟମ ଫଳରେ ଭାରତୀୟ ଆଇନଜୀବୀ ବୃତ୍ତି ସଂଶୋଧିତ ହୋଇ ନାରୀମାନଙ୍କୁ ଅଧିକାର ପ୍ରଦାନ କରାଯାଇଥିଲା । ୨୩.୦୧.୧୯୨୪ରେ ସୁଧାଂଶୁବାଳା କଳା ଗାଉନ ପିନ୍ଧି ମଧୁସୂଦନଙ୍କ ସହ ପାଟନା ହାଇକୋର୍ଟରେ ଅବତୀର୍ଣ୍ଣ ହୋଇଥିଲେ । ୧୮୮୬ ମସିହା ଡିସେମ୍ବର ମାସରେ ପୁରୀର କଲେକ୍ଟର ମିଷ୍ଟର ସାଭାଜ ୧୫.୧୦.୧୮୮୬ରେ କଟକ ଜିଲ୍ଲା ଜଜ୍ ମିଷ୍ଟର ଡ୍ରାଗନଙ୍କ କୋର୍ଟରେ ଏକ ମକଦ୍ଦମା ଦାଏର କରି ସଫଳ ହେଲେ । କଲେକ୍ଟର ଜଣେ ଡେପୁଟି କଲେକ୍ଟର ଏବଂ କନେଷ୍ଟବଳ ସାହାଯ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଜଉମୁଦ ଭାଙ୍ଗି ସଂପତ୍ତି ତାଲିକା ପ୍ରସ୍ତୁତ କରିବାକୁ ଲାଗିଲେ । ଏହା ବିରୁଦ୍ଧରେ ରାଣୀ ସୂର୍ଯ୍ୟମଣି ପାଟ୍ଟମହୋଦେଈଙ୍କ ଅନୁରୋଧ କ୍ରମେ କଲିକତା ହାଇକୋର୍ଟରେ ମଧୁସୂଦନ ଲଢ଼ିଥିଲେ । ରାଣୀ ବିଜୟୀ ଘୋଷିତ ହେଲେ ।
ମଧୁସୂଦନଙ୍କ ଉଦ୍ୟମରେ କଲିକତା ବିଶ୍ୱ ବିଦ୍ୟାଳୟରେ ୧୯୦୨ ସାଲରେ ଏଫ୍.ଏ. ଏବଂ ବି.ଏ.ରେ ଓଡ଼ିଆ ପାଠ୍ୟ ନିର୍ଘଣ୍ଟରେ ସ୍ଥାନ ପାଇଥିଲା । ୧୯୦୪ରେ ମଧୁସୂଦନ କ୍ରୀଡ଼ାକ୍ଷେତ୍ରରେ ସର୍ବପ୍ରଥମ ଅନୁଷ୍ଠାନ "ଓଡ଼ିଶା ସ୍ପୋର୍ଟସ ଆସୋସିଏସନ' ଗଠନ କରିଥିଲେ । ମଧୁସୂଦନ ଇତିହାସରେ ସ୍ମରଣୀୟ ହୋଇ ରହିବେ ଜଣେ ଦୂରଦ୍ରଷ୍ଟା, ସ୍ୱପ୍ନଦ୍ରଷ୍ଟା, ଓଡ଼ିଶା ପ୍ରଦେଶର ପ୍ରାଣ ପ୍ରତିଷ୍ଠାତା ଭାବରେ । ବହୁ ଅକଳ୍ପନୀୟ ଆରମ୍ଭର ଜନକ ସେ । ଓଡ଼ିଶାକୁ ଦୁନିଆ ଚିହ୍ନିବ । ସବୁକ୍ଷେତ୍ରରେ ଓଡ଼ିଶା ବିକଶିତ ହେବ । ଆଉ ଉତ୍କର୍ଷ ଓଡ଼ିଶା ପାଇଁ ସେ ତାଙ୍କ ସ୍ୱପ୍ନ ଏବଂ ଚିନ୍ତାକୁ କାର୍ଯ୍ୟରେ ପରିଣତ କରିଥିଲେ । ଏହି ସମସ୍ତ ଦୃଷ୍ଟିରୁ ଆଜି ମଧ୍ୟ ମଧୁସୂଦନଙ୍କର ଯୁଗାନ୍ତକାରୀ ଚିନ୍ତାଧାରା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଏବଂ ପ୍ରାସଙ୍ଗିକ ମନେହୁଏ ।
ଡ. ଧରଣୀଧର ନାଥ
ମୋ: ୯୯୩୭୨୨୨୦୨୨