ନୂଆଦିଲ୍ଲୀ, ୨୦/୦୩ : ଘମାଘୋଟ ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ। ବ୍ୟବହାର ହେଉଛି ଡ୍ରୋନ୍-ମିସାଇଲ୍, ବଙ୍କର ବଷ୍ଟର, କ୍ଲଷ୍ଟର ବମ୍ ଭଳି ଘାତକ ଅସ୍ତ୍ର। ଶତ୍ରୁ ଶିବିରରେ ରଚୁଛନ୍ତି ବିଧ୍ଵଂସଲୀଳା। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କଳିଯୁଗ ଭଳି ଦ୍ଵାପର ଯୁଗରେ ବି ବ୍ୟବହାର ହୋଇଥିଲା ଦିବ୍ୟାସ୍ତ୍ର। ମହାଭାରତ ଯୁଦ୍ଧରେ ଏହି ଦିବ୍ୟାସ୍ତ୍ର ଗୁଡ଼ିକର ବ୍ୟବହାର କରିଥିଲେ କୌରବ-ପାଣ୍ଡବ। ଯାହାକି ଆଜିର ବଙ୍କର ବଷ୍ଟର ଏବଂ କ୍ଲଷ୍ଟର ବୋମା ଠାରୁ ବହୁଗୁଣା ଅଧିକ ଘାତକ। ଯେତେବେଳେ ଦ୍ରୋଣାଚାର୍ଯ୍ୟଙ୍କ ବଧ ହୋଇଥିଲା ସେତେବେଳେ ତାଙ୍କ ପୁତ୍ର ଅଶ୍ଵଥାମା ଦୁଃଖ ଏବଂ ଆକ୍ରୋଶରେ ପାଣ୍ଡବଙ୍କ ସର୍ବନାଶ କରିବାକୁ ସଙ୍କଳ୍ପ ନେଇଥିଲେ। ସେ ସବୁଠୁ ଶକ୍ତିଶାଳୀ ଅସ୍ତ୍ର ନାରାୟଣାସ୍ତ୍ର ପ୍ରୟୋଗ କରିଥିଲେ। ସେତେବେଳର ନାରାୟଣାସ୍ତ୍ର କ୍ଲଷ୍ଟର ବମ୍ ଭଳି ଥିଲା। ଏହି ଅସ୍ତ୍ର ଅଜେୟ ଥିଲା। ଥରେ ଧନୁରୁ ଖସିବ ମାନେ ଶତ୍ରୁର ବିନାଶ କରି ଫେରୁଥିଲା।
ମହାଭାରତର ଦ୍ରୋଣ ପର୍ବରେ ନାରାୟଣାସ୍ତ୍ର ପ୍ରକଟ କରିବା ଏବଂ ବାଣ ଚଳାଇବା ବିଷୟରେ ବର୍ଣ୍ଣନା କରାଯାଇଛି। ଦ୍ରୋଣ ବୈଦିକ ମନ୍ତ୍ର ସ୍ତୁତି କରି ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିଥିଲେ। ସ୍ଵୟଂ ନାରାୟଣ ପ୍ରକଟ ହୋଇ ବର ମାଗିବାକୁ କହିଥିଲେ। ଏହି ସମୟରେ ଦ୍ରୋଣ ତାଙ୍କୁ ନାରାୟଣାସ୍ତ୍ର ମାଗିଥିଲେ। ଏହି ଅସ୍ତ୍ର ଦେବା ବେଳେ ଭଗବାନ ବିଷ୍ଣୁ କହିଥିଲେ ଯେ, ଯୁଦ୍ଧରେ ଏହି ଅସ୍ତ୍ର ପ୍ରୟୋଗ କଲାବେଳେ ସମସ୍ତ ଅସ୍ତ୍ରର ଆକ୍ରମଣକୁ ନଷ୍ଟ କରିପାରିବ ଏବଂ ତେଜିୟାନ ହୋଇ ଉଠିବ। ପରବର୍ତ୍ତୀ ସମୟରେ ଗୁରୁ ଦ୍ରୋଣ ଏହି ଅସ୍ତ୍ରକୁ ଅଶ୍ଵଥମ୍ମାଙ୍କୁ ପ୍ରଦାନ କରିଥିଲେ। ମହାଭାରତ ଯୁଦ୍ଧରେ ଯେତେବେଳେ ଧୃଷ୍ଟଦ୍ୟୁମ୍ନ ଛଳ କରି ଦ୍ରୋଣାଚାର୍ଯ୍ୟଙ୍କୁ ବଧ କରିଲେ ସେତେବେଳେ ଅଶ୍ଵଥମ୍ମା କ୍ରୋଧିତ ହୋଇଯାଇଥିଲେ। ପଞ୍ଚୁ ପାଣ୍ଡବଙ୍କୁ ବଧ କରିବାକୁ ପଣ କରିଥିଲେ।
କ୍ରୋଧରେ ଜର୍ଜରିତ ହୋଇ ଅଶ୍ଵଥମା ଯୁଦ୍ଧରେ ପଞ୍ଚୁ ପାଣ୍ଡବଙ୍କ ଉପରେ ନାରାୟଣାସ୍ତ୍ର ପ୍ରୟୋଗ କଲେ। ହେଲେ ଭଗବାନ କୃଷ୍ଣ ଏହାର ପ୍ରତିକାର ଜାଣିଥିଲେ। ନାରାୟଣାସ୍ତ୍ରକୁ ଶାନ୍ତ କରିବା ପାଇଁ ସେ ପାଣ୍ଡବସେନାକୁ ରଥକୁ ଓହ୍ଲାଇ ଆସି ଅସ୍ତ୍ରଶସ୍ତ୍ର ତ୍ୟାଗ କରି ଶତ୍ରୁର ଶରଣ ନେଇ ଅଭୟ ପ୍ରାପ୍ତି ଯାଚନା କରିବାକୁ କହିଥିଲେ। ନାରାୟଣାସ୍ତ୍ର ଯେତେବେଳେ ତାଣ୍ଡବ ରଚିବା ଆରମ୍ଭ କଲା ସେତେବେଳେ ପାଣ୍ଡବ ସେନା ଅସ୍ତ୍ର ତ୍ୟାଗ କରି ହାତ ଯୋଡ଼ି ନାରାୟଣାସ୍ତ୍ରକୁ ପ୍ରଣାମ କରିଥିଲେ। ଏହାପରେ ଧୀରେଧୀରେ ନାରାୟଣାସ୍ତ୍ର ଶାନ୍ତ ହୋଇଯାଇଥିଲା। ଏହି ଅସ୍ତ୍ରକୁ ପୁଣି ଥରେ ଚଳାଇବା ପାଇଁ ଯେତେବେଳେ ଦୂର୍ଯ୍ୟୋଧନ କହିଲେ, ସେତେବେଳେ ଅଶ୍ଵଥମା ମନା କରିଦେଲେ। କାରଣ ନାରାୟଣାସ୍ତ୍ର ପ୍ରୟୋଗ କରିବା ପରେ ଦ୍ଵିତୀୟ ଥର ପ୍ରୟୋଗ କଲେ ଏହା ଅସ୍ତ୍ର ଚଳାଇଥିବା ବ୍ୟକ୍ତିଙ୍କ ପ୍ରାଣ ନେଇଯିବ। ଶ୍ରୀକୃଷ୍ଣ ଏହାର ନିବାରଣ ଜାଣିଥିବାରୁ ପଞ୍ଚୁ ପାଣ୍ଡବଙ୍କ ଜୀବନ ବଞ୍ଚିଗଲା।