ଭୁବନେଶ୍ଵର, ୦୨/୦୫ : ମହାନଦୀ ଜଳ ବିବାଦ ମାମଲା। ଓଡ଼ିଶା ଛତିଶଗଡ଼ର ଆଗ୍ରହ ଏବଂ ପ୍ରୟାସକୁ ଟ୍ରିବ୍ୟୁନାଲଙ୍କ ପ୍ରଶଂସା। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଟ୍ରିବ୍ୟୁନାଲ। ମୌସୁମୀ ଓ ଅଣମୌସୁମୀ ଋତୁରେ କେତେ ଜଳ ପ୍ରବାହିତ ହେଉଛି ତାହା ଆଜି ଅବଗତ କରାଯାଇଛି। ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା, ଛତିଶଗଡ଼ ଅବଗତ କରିଛନ୍ତି। ଆପୋଷ ବୁଝାମଣା ନେଇ ବୈଷୟିକ ସ୍ତରରେ ଆଲୋଚନା କଥା ଜଣାଯାଇଛି। ଓଡ଼ିଶା ପକ୍ଷରୁ ଏଜି ପୀତାମ୍ଵର ଆଚାର୍ଯ୍ୟ ପକ୍ଷ ରଖିଛନ୍ତି। ମେ ୩୦ରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି।
ମହାନଦୀ ଜଳ ବିବାଦ ନେଇ ସମାଧାନର ରାସ୍ତା ଆଉ ପାଦେ ଆଗେଇଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଆଡଭୋକେଟ୍ ଜେନେରାଲ । ଛତିଶଗଡ଼ ଏବଂ ଓଡ଼ିଶା ଭିତରେ ପ୍ରସଙ୍ଗ ନେଇ ସହମତି ପ୍ରକାଶ ପାଉଛି। ଆଉ ଯେଉଁ ପ୍ରସଙ୍ଗ ରହିଛି ସେଥିରେ ଖୁବ୍ ଶୀଘ୍ର ସମାଧାନ ହେବ। ଆଜି ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଅନୁସାରେ ଦୁଇ ରାଜ୍ୟ ବୈଷୟିକ ଟିମ୍ ର ଜଳର ଉପଲବ୍ଧତାକୁ ନେଇ ଯୁଗ୍ମ ସ୍ବାକ୍ଷରିତ ବିବରଣୀ ଦାଖଲ କରିଛନ୍ତି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଏହି ସତ୍ୟପାଠରେ ରହିଛି ବୋଲି କହିଛନ୍ତି ଓଡ଼ିଶା ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ।
ଏହି ଉପଲବ୍ଧତା ପ୍ରସଙ୍ଗ ଜଳ ବଣ୍ଟନର ଆଧାର ହେବ। ୧୯୮୩ ମସିହାରୁ ଏବେ ପର୍ଯ୍ୟନ୍ତ ମହାନଦୀର ଜଳର ଉପଲବ୍ଧତାକୁ ନେଇ କୌଣସି ସମାଧାନର ସୂତ୍ର ବହାରି ପାରିନଥିଲା । ସମଗ୍ର ମହାନଦୀ ବେଶିନରେ କେତେ ଜଳ ସଂଗୃହୀତ ହେଉଛି ସେ ସମ୍ପର୍କୀୟ ବିଷୟ ହେଉଛି ଏକ ଜଟିଳ ବିଷୟ ବସ୍ତୁ କିନ୍ତୁ ଆଜି ଦୁଇ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ଟିମ୍ ଏକତ୍ରିତ ହୋଇ ଏହାର ସମାଧାନର ବାଟ ଫିଟାଇଛନ୍ତି। ଆଗାମୀ ଦିନରେ ଦୁଇ ରାଜ୍ୟର ବୈଷୟିକ ଟିମ୍ ଛତିଶଗଡ଼ର ରାଏଗଡ଼ ଏବଂ ଭୁବନେଶ୍ବରରେ ବୈଠକ କରି ଆପୋଷ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ।
ଏହି ଖବରଟିକୁ ପଢନ୍ତୁ- ଶକ୍ତିଶ୍ରୀ ଆପ୍ ଲଞ୍ଚ୍, କଲେଜରେ ଅଘଟଣ ଘଟିଲେ ରିପୋର୍ଟ କରିପାରିବେ ମହିଳା କର୍ମଚାରୀ ଓ ଛାତ୍ରୀ