ମୁମ୍ବାଇ,୨୯/୦୧: ଉପମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘଦିନ ଧରି ଜନତାଙ୍କ ସେବା କରିଥିବା ଏନ୍ସିପି ନେତା ଅଜିତ ପାୱାରଙ୍କୁ ମହାରାଷ୍ଟ୍ରବାସୀ ହରାଇ ବସିଛନ୍ତି । ତାଙ୍କ ଅନ୍ତେ ରାଜ୍ୟ ରାଜନୀତିରେ ବିରାଟ୍ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଅଜିତଙ୍କୁ ସମର୍ଥକମାନେ ‘ଅଜିତ ଦାଦା’ ଡାକୁଥିଲେ । ରାଜ୍ୟର ମହାୟୁତି ସରକାରରେ ଏକ ମଜଭୁତ ବୈକଳ୍ପିକ ଶକ୍ତି କେନ୍ଦ୍ର ସାଜିଥିଲେ ସେ । ତାଙ୍କର ପରଲୋକ ମହାରାଷ୍ଟ୍ର ରାଜନୀତି, ବିଶେଷକରି ଏନ୍ସିପି ଅଜିତ୍ ଗୋଷ୍ଠୀକୁ ସାଙ୍ଘାତିକ ଝଟକା ଦେଇଛି ।
ଅଜିତଙ୍କ ପୂର୍ବରୁ ଆଉ କିଛି ବିଶିଷ୍ଟ ନେତାଙ୍କ ଦେହାନ୍ତ ବି ମହାରାଷ୍ଟ୍ର ରାଜନୀତିକୁ ଦୋହଲାଇ ଦେଇଥିଲା । ଏହି ନେତାମାନଙ୍କ ମୃତ୍ୟୁ ରାଜ୍ୟ ରାଜନୀତି ପାଇଁ ଅଭିଶାପ ବୋଲି କୁହାଯାଉଛି । ପୂର୍ବରୁ ମହାରାଷ୍ଟ୍ର ହରାଇଥିବା କିଛି ପ୍ରମୁଖ ନେତାଙ୍କ ମଧ୍ୟରେ ଥିଲେ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରମୋଦ ମହାଜନ । ରାଜନୈତିକ କ୍ୟାରିୟରରେ ସେ ଶୀର୍ଷ ସ୍ତରରେ ଥିଲା ବେଳେ ଅର୍ଥାତ୍ ୨୦୦୬ ମେ’ ୩ରେ ତାଙ୍କ ସାନଭାଇ ପ୍ରବୀଣ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ । ବିଜେପିର ସେ ଜଣେ ରଣନୀତିକ ଚେହେରା ଥିଲେ । ତାଙ୍କୁ କେହି କିଙ୍ଗ୍ମେକର ବି କହୁଥିଲେ । ଅଟଳ ବିହାରୀ ବାଜପେୟୀ ଓ ଏଲ୍ କେ ଆଡଭାନୀଙ୍କ ପରେ ତାଙ୍କ ସ୍ଥାନ ସର୍ବୋଚ୍ଚ ଥିଲା । ସେ ବିଜେପିକୁ ଡିଜିଟାଲ ଯୁଗ ସହ ଯୋଡ଼ିଥିଲେ । ଏମିତିକି କିଛି ସାକ୍ଷାତକାରରେ ବାଜପେୟୀ-ଆଡଭାନୀଙ୍କ ଯୁଗ ପରେ ମହାଜନ ନିଜକୁ ପ୍ରଧାନମନ୍ତ୍ରୀ ପଦ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ଦର୍ଶାଉଥିଲେ ।
ପ୍ରମୋଦଙ୍କ ଭିଣୋଇ ଗୋପୀନାଥ ମୁଣ୍ଡେଙ୍କୁ ବିଜେପିର ‘ଚନ୍ଦ୍ରଗୁପ୍ତ ମୌର୍ଯ୍ୟ’ କୁହାଯାଉଥିଲା । ଉଭୟ ମିଶି ମହାରାଷ୍ଟ୍ର ରାଜନୀତି ବଦଳାଇ ଦେଇଥିଲେ । ୧୯୮୦ ଦଶକ ପର୍ଯ୍ୟନ୍ତ ମରାଠା ଦବ୍ଦବା ଥିଲା, କିନ୍ତୁ ମୁଣ୍ଡେ ବାଜପେୟୀଙ୍କ ରାଜନୀତିରୁ ପ୍ରେରିତ ହୋଇ ଜାତିଗତ ସୀମାଠାରୁ ଊଦ୍ଧ୍ୱର୍କୁ ଉଠି ଜନତାଙ୍କ ସହ ଯୋଡ଼ି ହୋଇଥିଲେ । ୧୯୯୫ରେ ଶିବସେନା ସହ ବିଜେପିର ମେଣ୍ଟ ତାଙ୍କର ଐତିହାସିକ ନିଷ୍ପତ୍ତି ଥିଲା । ତାଙ୍କ ଦ୍ୱାରା କଂଗ୍ରେସ କ୍ଷମତାଚ୍ୟୁତ୍ ହୋଇଥିଲା । ୨୦୧୪ ଜୁନ୍ ୩ରେ ଦିଲ୍ଲୀରେ କାର୍ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା । ଗ୍ରାମୀଣ ବିକାଶ ମନ୍ତ୍ରୀ ହେବା ପରେ ସେ ମହାରାଷ୍ଟ୍ର ଯାଉଥିଲା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତାଙ୍କ ବିୟୋଗରେ ବିଜେପି କିଛିଦିନ ପର୍ଯ୍ୟନ୍ତ ଟାଣୁଆ ନେତାବିହୀନ ରହିଯାଇଥିଲା । ମହାରାଷ୍ଟ୍ରର ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିବା ବିଳାସରାଓ ଦେଶମୁଖଙ୍କ ଅଚାନକ ପରଲୋକ ଘଟିଥିଲା । ଏହା କଂଗ୍ରେସ ପାଇଁ ବଡ଼ ଧକ୍କା ଥିଲା । ଲାତୁରର ଏକ ଧନୀ ଚାଷୀ ପରିବାରରୁ ଆସିଥିବା ବିଳାସରାଓ କୃଷିଋଣ ଛାଡ଼ ଭଳି ପ୍ରସଙ୍ଗକୁ ଆଗକୁ ବଢ଼ାଇଥିଲେ, ଯାହା ୟୁପିଏକୁ ୨୦୦୯ରେ ପୁନଃ କ୍ଷମତାସୀନ କରାଇବାରେ ସହାୟକ ହୋଇଥିଲା । ଲିଭର କ୍ୟାନ୍ସର ସହ ଲଢ଼ି ସେ ୨୦୧୨ ଅଗଷ୍ଟ ୧୪ରେ ଆଖି ବୁଜିଥିଲେ । ମହାରାଷ୍ଟ୍ରରେ କଂଗ୍ରେସକୁ ଆଜି ପର୍ଯ୍ୟନ୍ତ ତାଙ୍କ ଭଳି ଟାଣୁଆ ନେତା ମିଳିବା ସମ୍ଭବ ହୋଇନାହିଁ । ୬୬ ବର୍ଷୀୟ ଅଜିତ ଅନନ୍ତରାଓ ପାୱାର ମହାରାଷ୍ଟ୍ର ରାଜନୀତିର ଜଣେ ପ୍ରଭାବଶାଳୀ ନେତା ଥିଲେ । ପ୍ରଶାସନିକ ଦକ୍ଷତା ଓ ସାହସିକ ନିଷ୍ପତ୍ତି ପାଇଁ ସେ ଚର୍ଚ୍ଚିତ ଥିଲେ । ୧୯୯୧ରୁ ଲଗାତର ୭ଥର ବାରାମତୀରୁ ବିଧାୟକ ନିର୍ବାଚିତ ହୋଇଥିଲେ । ପ୍ରତ୍ୟେକ ଥର ଭାରୀ ବହୁମତରେ ସେ ଗୃହରେ ପହଞ୍ଚୁଥିଲେ ।
ଅଧିକ ପଡ଼ନ୍ତୁ- ରାଷ୍ଟ୍ରୀୟ ସମ୍ମାନରେ ଅଜିତ୍ ପାୱାରଙ୍କୁ ଶେଷ ବିଦାୟ, ଜନସମୁଦ୍ର ପାଲଟିଲା ବାରାମତି ବିଦ୍ୟା ପ୍ରତିଷ୍ଠାନ ମୈଦାନ