ନୂଆଦିଲ୍ଲୀ,୦୯ /୦୯:  ମହାରାଷ୍ଟ୍ର ଥାନେର କୋପ୍ରି ଅଞ୍ଚଳରେ ଅଭାବନୀୟ ଘଟଣା। ଭୁଶୁଡ଼ିଲା ସରକାରୀ ବାସଭବନର ଛାତର ସ୍ଲାବ୍  । ଅଳ୍ପକେ ବର୍ତ୍ତିଗଲେ ମହିଳା ବିଚାରପତି ।ଏନେଇ  ଅବହେଳା ଅଭିଯୋଗରେ ପବ୍ଲିକ୍ ୱାର୍କସ୍ ଡିପାର୍ଟମେଣ୍ଟ ବା PWDର ଇଞ୍ଜିନିୟରମାନଙ୍କ ବିରୁଦ୍ଧରେ ଏକ ଫୌଜଦାରୀ ମାମଲା ରୁଜୁ କରାଯାଇଛି। ତେବେ ଏହି ଘଟଣା ରବିବାର ସନ୍ଧ୍ୟା ପ୍ରାୟ ୪ଟା ୪୫ ସମୟରେ ଘଟିଥିବା ଜଣାପଡ଼ିଛି। 

କୋପ୍ରି ପୁଲିସ ଷ୍ଟେସନର ଅଧିକାରୀଙ୍କ ଅନୁଯାୟୀ, ଭାରତୀୟ ନ୍ୟାୟ ସଂହିତାର ଧାରା ୧୨୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଅଭିଯୋଗଟି ଶିଳ୍ପ ଅଦାଲତର ବିଚାରପତିଙ୍କ ସ୍ୱାମୀ ଦାୟର କରିଛନ୍ତି।ସେ କହିଛନ୍ତି ଯେ ବିଚାରପତି ଏବଂ ଅନ୍ୟ ନ୍ୟାୟିକ ଅଧିକାରୀମାନେ ପୁରୁଣା କୋଠା ମରାମତି ପାଇଁ PWDକୁ ଅନେକ ଥର ଚିଠି ଲେଖିଥିଲେ, କିନ୍ତୁ ବିଭାଗ କୌଣସି ଦୃଢ଼ ପଦକ୍ଷେପ ନେଇ ନଥିଲା। ଏହା ସହିତ, ଅଭିଯୋଗରେ କୁହାଯାଇଛି ଯେ ସମୟାନୁସାରେ ମରାମତି ଅଭାବରୁ ଛାତର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା, ଯାହା ବିଚାରପତି, ତାଙ୍କ ସ୍ୱାମୀ ଏବଂ ପରିବାରର ଜୀବନକୁ ବିପଦରେ ପକାଇଥିଲା। ତଥାପି, ପୁଲିସ ଏହି ମାମଲାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ। କିନ୍ତୁ ତଦନ୍ତ ଚାଲିଛି ଏବଂ PWDର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଯାଉଛି।