ଆଜି ୧୧ ଏପ୍ରିଲ, ଆମ ସମସ୍ତଙ୍କ ପାଇଁ ଅତି ସ୍ୱତନ୍ତ୍ର ଦିନ । ଆଜି ହେଉଛି ଭାରତର ମହାନ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ ପାଲଟିଥିବା ପ୍ରେରଣା ପୁରୁଷ ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ଜନ୍ମବାର୍ଷିକୀ । ଚଳିତ ବର୍ଷ ଏହି ଅବସର ଆହୁରି ଅଧିକ ଗୁରୁତ୍ୱ ବହନ କରେ, କାରଣ ଏଥର ତାଙ୍କର ୨୦୦ତମ ଜନ୍ମବାର୍ଷିକୀ ପାଳନର ଶୁଭାରମ୍ଭ ହେଉଛି । ମହାତ୍ମା ଫୁଲେ ଜଣେ ମହାନ ସଂସ୍କାରକ ଥିଲେ । ଏହା ସହିତ ତାଙ୍କର ଜୀବନ ନୈତିକ ସାହସ, ନିରନ୍ତର ଅନୁସନ୍ଧାନ ଏବଂ ସାମାଜିକ ମଙ୍ଗଳ ପାଇଁ ସମର୍ପିତ ଥିଲା । ମହାତ୍ମା ଫୁଲେ ଅନେକ ଅନୁଷ୍ଠାନ ଗଢ଼ି ଏବଂ ଏକାଧିକ ଆନ୍ଦୋଳନର ନେତୃତ୍ୱ ନେଇ ଚିରସ୍ମରଣୀୟ । ସେହିପରି ଆମ ସଭ୍ୟତାଗତ ଯାତ୍ରାରେ ସେ ବହୁମୂଲ୍ୟ ଯୋଗଦାନ ଦେଇଯାଇଛନ୍ତି । ସେ ଅନେକଙ୍କ ଜୀବନରେ ଅସୁମାରୀ ଆଶା ଜାଗ୍ରତ କରିଛନ୍ତି, ଅନେକଙ୍କୁ ଆତ୍ମବିଶ୍ୱାସ ଦେଇଛନ୍ତି ଏବଂ ତାଙ୍କର ବିଚାର ଦେଶବ୍ୟାପୀ କୋଟି କୋଟି ଲୋକଙ୍କୁ ସାମର୍ଥ୍ୟ ଓ ପ୍ରେରଣା ଦେଇଚାଲିଛି ।

୧୮୨୭ ମସିହାରେ ମହାନ ରାଜ୍ୟ ମହାରାଷ୍ଟ୍ରରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜୀବନ ଅତି ସାଧାରଣ ପୃଷ୍ଠଭୂମିରୁ ଆରମ୍ଭ ହୋଇଥିଲା । କିନ୍ତୁ ଜୀବନର ପ୍ରାରମ୍ଭିକ ଅବସ୍ଥାରେ ସେ ସାମ୍ନା କରିଥିବା କଷ୍ଟ କେବେବି ତାଙ୍କର ଶିକ୍ଷା, ସାହସ କିମ୍ବା ସମାଜ ପ୍ରତି ତାଙ୍କର ସମର୍ପଣରେ ବାଧା ସୃଷ୍ଟି କରିନଥିଲା । ଏହି ଗୋଟିଏ ବିଶେଷତ୍ୱ ସବୁବେଳେ ତାଙ୍କ ପାଖରେ ରହିଥିଲା । ଯେକୌଣସି ଆହ୍ୱାନ ସତ୍ତେ୍ୱ ଜଣେ ବ୍ୟକ୍ତି କଠିନ ପରିଶ୍ରମ କରିବା ଆବଶ୍ୟକ, ଜ୍ଞାନ ଆହରଣ କରିବା ଆବଶ୍ୟକ ଏବଂ ହାତବାନ୍ଧି ବସିରହିବା ପରିବର୍ତ୍ତେ ଆହ୍ୱାନର ମୁକାବିଲା ଲାଗି ଆଗେଇ ଆସିବା ଆବଶ୍ୟକ ବୋଲି ସେ ବିଶ୍ୱାସ କରୁଥିଲେ । ବିଦ୍ୟାଳୟରେ ପାଠପଢ଼ିବା ସମୟରେ ବାଳୁତ ଜ୍ୟୋତିରାଓ ଗଭୀର ଜିଜ୍ଞାସୁ ଥିଲେ । ପୁସ୍ତକ ପଠନ ପ୍ରତି ତାଙ୍କର ବିଶେଷ ଆଗ୍ରହ ଥିଲା । ତାଙ୍କ ବୟସର ପିଲାଠାରୁ ଯେତିକି ଆଶା କରାଯାଉଥିଲା ତା'ଠାରୁ ଢେର୍ ଅଧିକ ପୁସ୍ତକ ସେ ପଢ଼ିଥିଲେ । ଜୀବନର ପରବର୍ତ୍ତୀ ପର୍ଯ୍ୟାୟରେ ସେ କହିଥିଲେ "ଆମେ ଯେତେ ପ୍ରଶ୍ନ ପଚାରିବା, ସେତେ ଜ୍ଞାନ ଆହରଣ କରିପାରିବା । ପିଲାଦିନର ଏହି ଜିଜ୍ଞାସୁ ମନୋଭାବ ତାଙ୍କର ପରବର୍ତ୍ତୀ ଜୀବନଯାତ୍ରାରେ ମଧ୍ୟ ସ୍ପଷ୍ଟରୂପେ ଜାରି ରହିଥିଲା । ଶିକ୍ଷା ଓ ଅଧ୍ୟୟନ ଆଜୀବନ ମହାତ୍ମା ଫୁଲେଙ୍କ ଲକ୍ଷ୍ୟର କେନ୍ଦ୍ରରେ ରହିଥିଲା । ଜ୍ଞାନ ଆହରଣ କେବଳ କୌଣସି ଗୋଟିଏ ବର୍ଗର ସମ୍ପତ୍ତି ନୁହେଁ, ବରଂ ଏହା ଏପରି ଏକ ଶକ୍ତି ଯାହାକୁ ସବୁ ବର୍ଗର ଲୋକଙ୍କ ମଧ୍ୟରେ ବାଣ୍ଟିବା ଉଚିତ୍ ବୋଲି ସେ ବିଚାର କରୁଥିଲେ । ତତ୍କାଳୀନ ସମାଜରେ ଅନେକ ଲୋକଙ୍କୁ ଶିକ୍ଷାରୁ ବଞ୍ଚିତ ରଖାଯାଉଥିଲା । ସେଭଳି ଏକ ସମୟରେ ମହାତ୍ମା ଫୁଲେ ଝିଅ ଓ ବଞ୍ଚିତ ବର୍ଗର ଲୋକଙ୍କ ପାଇଁ ବିଦ୍ୟାଳୟ ଖୋଲିଥିଲେ । ସେ କହୁଥିଲେ "ମା'ମାନଙ୍କ ମାଧ୍ୟମରେ ପିଲାଙ୍କଠାରେ ଆସୁଥିବା ଯେକୌଣସି ସୁଧାର ଅତ୍ୟନ୍ତ ମୂଲ୍ୟବାନ । ସେଥିପାଇଁ ଯଦି ବିଦ୍ୟାଳୟ ଖୋଲାଯିବ ତା'ହେଲେ ସର୍ବପ୍ରଥମେ ଝିଅମାନଙ୍କ ପାଇଁ ଖୋଲାଯିବା ଆବଶ୍ୟକ' । ସେ ଶିକ୍ଷାକୁ ନ୍ୟାୟ ଓ ସମାନତାର ମାଧ୍ୟମରେ ପରିଣତ କରିଥିଲେ । ଶିକ୍ଷାପ୍ରତି ତାଙ୍କର ଦୃଷ୍ଟିକୋଣ ଆଜି ମଧ୍ୟ ଆମମାନଙ୍କୁ ଅନୁପ୍ରାଣୀତ କରିଥାଏ । ବିଗତ ଏକଦଶନ୍ଧି ମଧ୍ୟରେ ଆମେ ଭାରତର ଯୁବପିଢ଼ି ପାଇଁ ଗବେଷଣା ଓ ଉଦ୍ଭାବନକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛୁ । ଏପରି ଏକ ଇକୋସିଷ୍ଟମ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି ଯେଉଁଠାରେ ଯୁବ ମସ୍ତିଷ୍କକୁ ପ୍ରଶ୍ନ ପଚାରିବା, ଅନୁସନ୍ଧାନ କରିବା ଏବଂ ନୂତନ ଉଦ୍ଭାବନ କରିବା ପାଇଁ ଅନୁପ୍ରାଣୀତ କରାଯାଇପାରିବ । ଜ୍ଞାନ, ଦକ୍ଷତା ଏବଂ ସୁଯୋଗ କ୍ଷେତ୍ରରେ ନିବେଶ ସହିତ ଭାରତ ନିଜର ଯୁବପିଢ଼ିଙ୍କୁ ସମସ୍ୟା ସମାଧାନକାରୀ ଏବଂ ଜାତୀୟ ପ୍ରଗତିର ଆଧାର ସ୍ତମ୍ଭରେ ପରିଣତ କରିବା ଦିଗରେ କାର୍ଯ୍ୟ କରୁଛି ।

ନିଜର ଶୈକ୍ଷିକ ଜ୍ଞାନ ଏବଂ ବୌଦ୍ଧିକତା ବଳରେ ମହାତ୍ମା ଫୁଲେ କୃଷି, ସ୍ୱାସ୍ଥ୍ୟ ଏବଂ ଗ୍ରାମୀଣ ବିକାଶ ଭଳି କ୍ଷେତ୍ରରେ ଗଭୀର ଜ୍ଞାନ ଆହରଣ କରିଥିଲେ । ସେ ପ୍ରାୟତଃ କହୁଥିଲେ, ଚାଷୀ ଓ ଶ୍ରମିକଙ୍କ ସହିତ ଅନ୍ୟାୟ ସମାଜକୁ ଦୁର୍ବଳ କରିଥାଏ । ସାମାଜିକ ଅସମାନତା କୃଷିକ୍ଷେତ୍ରରେ ଏବଂ ଗ୍ରାମାଞ୍ଚଳରେ କିଭଳି ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି ତାହା ସେ ଦେଖିଥିଲେ । ସେଥିପାଇଁ ସେ ଗରିବ, ବଞ୍ଚିତ ଏବଂ ଦୁର୍ବଳ ବର୍ଗର ଲୋକଙ୍କୁ ସମ୍ମାନ ଦେବାଲାଗି ନିଜ ଜୀବନକୁ ସମର୍ପି ଦେଇଥିଲେ । ଏଥିସହିତ ସେ ସାମାଜିକ ସଦ୍ଭାବ ବଜାୟ ରଖିବା ନିମନ୍ତେ ଯଥାସମ୍ଭବ ପ୍ରୟାସ କରିଥିଲେ । ମହାତ୍ମା ଫୁଲେ କହିଥିଲେ ‘ସମାଜର ସବୁ ଲୋକମାନଙ୍କୁ ସମାନ ଅଧିକାର ନମିଳିବା ପର୍ଯ୍ୟନ୍ତ ପ୍ରକୃତ ସ୍ୱାଧୀନତା ମିଳିପାରିବ ନାହିଁ ।’ ଏହି ବିଚାରକୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ଲାଗି ସେ ଅନେକ ଅନୁଷ୍ଠାନ ଗଢ଼ିଥିଲେ । ତାଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟଶୋଧକ ସମାଜ, ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମାଜ ସଂସ୍କାର ଆନ୍ଦୋଳନ ମଧ୍ୟରୁ ଅନ୍ୟତମ ଥିଲା । ଏହି ଆନ୍ଦୋଳନ ସାମାଜିକ ସଂସ୍କାର, ସମାଜ ସେବା ଏବଂ ମାନବୀୟ ଗରିମାକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଅଗ୍ରଣୀ ରହିଥିଲା । ଏହା ମହିଳା, ଯୁବବର୍ଗ ଏବଂ ଗାଁରେ ରହୁଥିବା ଲୋକଙ୍କ ପାଇଁ ଦୃଢ଼ ସ୍ୱର ପାଲଟିଥିଲା । ନ୍ୟାୟ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନ ଏବଂ ସାମୂହିକ ପ୍ରଗତି ବଳରେ ସମାଜରେ ଦୃଢ଼ତା ଆସିପାରିବ ବୋଲି ସେ ବିଶ୍ୱାସ କରୁଥିଲେ, ଯାହା ତାଙ୍କର ଏହି ଆନ୍ଦୋଳନରେ ପ୍ରତିଫଳିତ ହୋଇଥିଲା । ତାଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ ସାହସର ଶିକ୍ଷା ଦେଇଥାଏ । ଲୋକଙ୍କ ସହ ରହି ଲଗାତାର କାମ କରିବା ତାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥିଲା । କିନ୍ତୁ ଗୁରୁତର ବ୍ୟାଧି ମଧ୍ୟ ତାଙ୍କର ସଂକଳ୍ପକୁ ଦୁର୍ବଳ କରିପାରିନଥିଲା । ଗମ୍ଭୀର ମସ୍ତିଷ୍କାଘାତ ପରେ ମଧ୍ୟ ସେ କାମ କରିବା ଛାଡ଼ିନଥିଲେ ଏବଂ ନିଜର ସଂକଳ୍ପକୁ ସାକାର କରିବା ଦିଗରେ ଚେଷ୍ଟା ଜାରି ରଖିଥିଲେ । ତାଙ୍କ ଶରୀର ଦୁର୍ବଳ ହୋଇଯାଇଥିଲା, କିନ୍ତୁ ସମାଜ ପାଇଁ ତାଙ୍କର ଅତୁଟ ସମର୍ପଣ ବଜାୟ ରହିଥିଲା । ଆଜି ମଧ୍ୟ କୋଟି କୋଟି ଲୋକ ତାଙ୍କ ଜୀବନର ଏହି ଦିଗରୁ ପ୍ରେରଣା ଲାଭ କରିଥାନ୍ତି ।

ସାବିତ୍ରୀବାଇ ଫୁଲେଙ୍କ ବିଷୟରେ ସସମ୍ମାନେ ଉଲ୍ଲେଖ କରିବା ବିନା ମହାତ୍ମା ଫୁଲେଙ୍କ ସ୍ମୃତିଚାରଣ ଅଧୁରା ରହିଯିବ । ସେ ମଧ୍ୟ ଭାରତର ମହାନ ସମାଜ ସଂସ୍କାରକଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ଭାରତର ପ୍ରଥମ ମହିଳା ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଅନ୍ୟତମ ସାବିତ୍ରୀବାଇ ଝିଅମାନଙ୍କ ଶିକ୍ଷାକୁ ଆଗକୁ ବଢାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ମହାତ୍ମା ଫୁଲେଙ୍କ ଦେହାନ୍ତ ପରେ ମଧ୍ୟ ସେ ଏହି କାମ ଜାରି ରଖିଥିଲେ । ୧୮୯୭ ମସିହାରେ ପ୍ଲେଗ୍ ମହାମାରୀ ସମୟରେ ସେ ରୋଗୀମାନଙ୍କର ଏତେ ନିଷ୍ଠାର ସହିତ ସେବା କରିଥିଲେ ଯେ, ନିଜେ ସେହି ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ସେଥିରେ ତାଙ୍କର ପରଲୋକ ହୋଇଥିଲା । ଭାରତ ବାରମ୍ବାର ଏପରି ମହାପୁରୁଷଙ୍କ ଆଶୀର୍ବାଦ ପାଇଛି, ଯେଉଁମାନେ ନିଜ ବିଚାର, ତ୍ୟାଗ ଏବଂ କାର୍ଯ୍ୟ ମାଧ୍ୟମରେ ସମାଜକୁ ସୁଦୃଢ଼ କରିଯାଇଛନ୍ତି । ସେମାନେ ପରିବର୍ତ୍ତନ ପାଇଁ ଅପେକ୍ଷା କରିନଥିଲେ, ବରଂ ନିଜେ ପରିବର୍ତ୍ତନର ବାହକ ସାଜିଥିଲେ । ଶହ ଶହ ବର୍ଷ ଧରି ଆମ ଦେଶରେ ସେହି ମହାପୁରୁଷମାନେ ହିଁ ସମାଜ ସଂସ୍କାରର ସ୍ୱର ଉଠାଇଛନ୍ତି । ଯେଉଁମାନେ ଦୁଃଖକୁ ସାମ୍ନା କରିଛନ୍ତି, କିନ୍ତୁ ଏହାକୁ କପାଳ ଲିଖନ ବୋଲି ସହଜରେ ସ୍ୱୀକାର କରିନାହାନ୍ତି । ମହାତ୍ମା ଜ୍ୟୋତିରାଓ ଫୁଲେ ସେଭଳି ଜଣେ ବ୍ୟକ୍ତିତ୍ୱ ଥିଲେ ।

୨୦୨୨ରେ ମୁଁ ପୁଣେ ଗସ୍ତ କରିଥିଲି । ସେହି ସମୟରେ ମୁଁ ସହରରେ ଥିବା ମହାତ୍ମା ଫୁଲେଙ୍କ ଭବ୍ୟ ପ୍ରତିମୂର୍ତ୍ତିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି । ଆମେ ମହାତ୍ମା ଫୁଲେଙ୍କର ୨୦୦ତମ ଜନ୍ମବାର୍ଷିକୀ ବର୍ଷ ପାଳନ ଆରମ୍ଭ କରିବାକୁ ଯାଉଥିବାବେଳେ, ସାମାଜିକ ନବଜାଗରଣ ନିମନ୍ତେ ତାଙ୍କ ଆଦର୍ଶକୁ ଗ୍ରହଣ କରିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ । ତାଙ୍କ ହୃଦୟର ନିକଟତର ଥିବା ବିଷୟ ଯଥା- ଶିକ୍ଷା କ୍ଷେତ୍ରରେ ନବଜାଗରଣ ପାଇଁ ଆମର ପ୍ରତିବଦ୍ଧତାକୁ ସୁଦୃଢ଼ କରିବାକୁ ହେବ । ଅନ୍ୟାୟ ପ୍ରତି ସମ୍ବେଦନଶୀଳ ହେବାକୁ ପଡ଼ିବ ଏବଂ ବିଶ୍ୱାସ କରିବାକୁ ପଡ଼ିବ ଯେ ସମାଜ ନିଜ ପ୍ରୟାସ ଦ୍ୱାରା ନିଜକୁ ଉନ୍ନତ କରିପାରିବ । ସମାଜର ଶକ୍ତିକୁ ଜନହିତ ଏବଂ ନୈତିକ ମୂଲ୍ୟବୋଧ ସହ ମିଶାଇ ଭାରତରେ ବୈପ୍ଳବିକ ପରିବର୍ତ୍ତନ ଆଣିହେବ ବୋଲି ତାଙ୍କର ଜୀବନ ଆମକୁ ଶିକ୍ଷା ଦିଏ । ଏହି କାରଣରୁ ଆଜି ମଧ୍ୟ ତାଙ୍କ ବିଚାର ଲକ୍ଷ ଲକ୍ଷ ଲୋକଙ୍କ ମନରେ ନୂତନ ଉତ୍ସାହ ଓ ପ୍ରେରଣା ଜାଗ୍ରତ କରିଥାଏ । ୨୦୦ବର୍ଷ ପରେ ମଧ୍ୟ ମହାତ୍ମା ଜ୍ୟୋତିରାଓ ଫୁଲେ କେବଳ ଜଣେ ଐତିହାସିକ ବ୍ୟକ୍ତିତ୍ୱ ନୁହନ୍ତି, ବରଂ ଭାରତର ଭବିଷ୍ୟତ ପାଇଁ ଏକ ଆଲୋକବର୍ତ୍ତିକା ହୋଇ ରହିଛନ୍ତି ।