ଭୁବନେଶ୍ୱର,୩୦/୦୫: ମଞ୍ଚେଶ୍ୱର ଥାନା କୁଆଖାଇ ସେତୁ ଉପରେ ଘଟିଛି ଲୋମଟାଙ୍କୁରା ଦୁର୍ଘଟଣା । ଏକ କାର୍‌କୁ ଅଧ କିଲୋମିଟର ଘୋଷାଡ଼ି ନେଇଛି ହାଇୱା । କାର୍‌ରେ ଥିବା ବାପା ଝିଅ ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପୁଲିସ୍ ହାଇୱାକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । କାର୍ ହାଇୱା ସାମନାକୁ ଚାଲିଆସିବାରୁ ଏହି ଦୁର୍ଘଟଣା ଘଟିଥିବା ମଞ୍ଚେଶ୍ୱର ଥାନା ପୁଲିସ୍ କହୁଛି ।

ଅଧିକ ପଢ଼ନ୍ତୁ :-  Septic Tank: ସେପ୍ଟିକ୍ ଟ୍ୟାଙ୍କରେ ଫଶି ୧୦ବର୍ଷରେ ଗଲାଣି ୨୬ ଜୀବନ, ଅମ୍ଳଜାନ ଥଳି ଓ ସୁରକ୍ଷା କିଟ୍ ପରିଧାନ ଜରୁରୀ

ସୂଚନା ଅନୁଯାୟୀ, ରାତି ପ୍ରାୟ ୧୧ଟା ବେଳେ ରସୁଲଗଡ଼ ପଟୁ ଏକ ହାଇୱା କଟକ ଆଡକୁ ଯାଉଥିଲା । କୁଆଖାଇ ସେତୁ ଆରମ୍ଭ ପୂର୍ବରୁ ଏକ କାର୍ ହାଇୱାକୁ ଓଭର୍‌ଟେକ୍ କରିଥିଲା । କାର୍‌ଟି ହାଇୱା ସାମ୍ନାକୁ ଚାଲି ଆସିଥିଲା । ତେବେ ଦ୍ରୁତ ଗତିରେ ଥିବା ହାଇୱା କାରକୁ ଧକ୍କା ଦେଇଥିଲା । କାର୍‌ଟି ବୁଲିଯାଇଥିଲା । ହାଇୱା ଚାଳକ ଭୟରେ ଗାଡ଼ିର ବେଗ ବଢ଼ାଇ ଦେଇଥିଲା । ଫଳରେ କାରକୁ ବହୁ ଦୂରକୁ ଠେଲି ନେଇଥିଲା । ପୋଲ ପାର ହେବା ପରେ ହାଇୱା ଚାଳକ ଗାଡ଼ିର ଦିଗ ବଦଳାଇ ଦେବାରୁ କାର୍ ଖସି ଯାଇଥିଲା। ବାଟରେ ଯାଉଥିବା ଲୋକ ଏ ଦୃଶ୍ୟ ଦେଖି ପୁଲିସ୍‌କୁ ଫୋନ୍ କରିଥିଲେ । ପିସିଆର ଭ୍ୟାନ୍ ତୁରନ୍ତ ନଖରା ପୁଲିସ୍‌କୁ ଜଣାଇଥିଲା । ନଖରା ପୁଲିସ୍ ଉକ୍ତ ହାଇୱାକୁ ଧରିଥିଲା । ଚାଳକକୁ ପୁଲିସ ଅଟକ ରଖିଛି । କାର୍ ଭିତରେ ଥିବା ବାପା ଝିଅ ଭୟଭିତ ହୋଇଯାଇଥିଲେ । ସେମାନେ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।