ନୂଆଦିଲ୍ଲୀ,୦୭/୧୦: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ରବିବାର ୫ ଦିନିଆ ଭାରତ ଗସ୍ତରେ ଆସି ରାଜଧାନୀ ଦିଲ୍ଲୀରେ  ପହଞ୍ଚିଛନ୍ତି । ତାଙ୍କ ସହ ପତ୍ନୀ ସଜିଧା ମହମ୍ମଦ ଏବଂ ଏକ ଉଚ୍ଚସ୍ତରୀୟ  ପ୍ରତିନିଧି ମଣ୍ଡଳ ମଧ୍ୟ ଆସିଛନ୍ତି । ଭାରତ ସରକାରଙ୍କ ଦ୍ୱାରା ପଠାଯାଇଥିବା  ଏକ ସ୍ୱତନ୍ତ୍ର ବିମାନ ଯୋଗେ ମୁଇଜ୍ଜୁ ଯାତ୍ରା କରିଥିଲେ । ରାଷ୍ଟ୍ରପତି  ଭାବେ ଦାୟିତ୍ୱ ନେବା ପରେ ଭାରତକୁ ଏହା ତାଙ୍କର ପ୍ରଥମ ସରକାରୀ  ଗସ୍ତ। ସେ ୧୦ ତାରିଖ ପର୍ଯ୍ୟନ୍ତ ଭାରତରେ ରହିବେ । ଏହି ସମୟରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀମାନଙ୍କ ସହ ସେ ବିଭିନ୍ନ ଦ୍ୱିପାକ୍ଷିକ ଆଞ୍ଚଳିକ ଓ  ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିବେ । 

ରବିବାର ଅପରାହ୍ନରେ  ମୁଇଜ୍ଜୁ ନୂଆଦିଲ୍ଲୀରେ ପହଞ୍ଚିବା ପରେ ସନ୍ଧ୍ୟାରେ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କୁ ସାକ୍ଷାତ କରିଥିଲେ । ଏହାପରେ ଜୟଶଙ୍କର ସୋସିଆଲ  ମିଡିଆରେ ଏ ନେଇ ଏକ ପୋଷ୍ଟ କରି ଲେଖିଥିଲେ, ଆଜି ରାଷ୍ଟ୍ରପତି  ମୁଇଜ୍ଜୁଙ୍କ ଭାରତ ଗସ୍ତ ଆରମ୍ଭ ହୋଇଥିବା ବେଳେ ତାଙ୍କୁ ଭେଟି ବିଭିନ୍ନ  ପ୍ରସଙ୍ଗରେ ଆଲୋଚନା କରିଛି । ଦ୍ୱିପାକ୍ଷିକ ସମ୍ପର୍କକୁ ବଢ଼ାଇବା ପାଇଁ  ତାଙ୍କ ପ୍ରତିଶ୍ରୁତିବଦ୍ଧତାକୁ ପ୍ରଶଂସା କରୁଛି। ସୋମବାର ପ୍ରଧାନମନ୍ତ୍ରୀ  ମୋଦିଙ୍କ ସହ ତାଙ୍କର ହେବାକୁ ଥିବା ଆଲୋଚନା ଦ୍ୱିପାକ୍ଷିକ ସମ୍ପର୍କରେ  ନୂଆ ଉତ୍ସାହ ଭରିବା ନେଇ ଆଶା । 

ଉଲ୍ଲେଖଯୋଗ୍ୟ, ମୁଇଜ୍ଜୁ ଚଳିତବର୍ଷ  ଜୁନ୍‌ରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ସମାରୋହକୁ  ଆସିଥିଲେ । ଏହି ସମୟରେ ଉଭୟ ନେତା ଭାରତ ଓ ମାଳଦ୍ୱୀପ ମଧ୍ୟରେ  ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ପାଇଁ ସହମତି ପ୍ରକାଶ କରିଥିଲେ ।  ମୁଇଜ୍ଜୁ ମାଳଦ୍ୱୀପର ରାଷ୍ଟ୍ରପତି ହେବା ପରେ ଭାରତ ବିରୋଧୀ ମନ୍ତବ୍ୟ  ଦେଇଥିଲେ । ସେ ଚୀନ୍‌କୁ ପ୍ରାଥମିକତା ଦେଇଥିଲେ । ସବୁଠୁ ବଡ଼ କଥା  ହେଉଛି ମାଳଦ୍ୱୀପରେ ନୂଆ ରାଷ୍ଟ୍ରପତି ଶପଥ ନେବା ପରେ ପ୍ରଥମେ  ଭାରତ ଗସ୍ତ କରିଥାନ୍ତି । କିନ୍ତୁ ମୁଇଜ୍ଜୁ ସେହି ପରମ୍ପରା ଭାଙ୍ଗି ତୁର୍କୀ  ଓ ଚୀନ୍‌ ଯାଇଥିଲେ । ହେଲେ ଭାରତ ଏଥିରେ କୌଣସି ନକାରାତ୍ମକ  ପ୍ରତିକ୍ରିୟା ପ୍ରକାଶ ନ କରି ସୁସମ୍ପର୍କ ସ୍ଥାପନ ଲାଗି ଉଦ୍ୟମ କରିଥିଲା ।