ମାଲକାନଗିରି, ୧୮ ।୧୧ : ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମାଲକାନଗିରି ବ୍ଲକସ୍ଥ ପଦ୍ମଗିରି ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ବିଦ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ। ମଙ୍ଗଳ ବିଭାଗର ସ୍କୁଲର ଅବ୍ୟବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିରେ  ସୁଧାର ନ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନକୁ ଜଣାଇଛନ୍ତି ।

ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ପଦ୍ମଗିରି ସ୍ଥିତ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର  ବିଦ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ । ତାଙ୍କ ସହ  ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଓ ବିଧାୟକ ପ୍ରତିନିଧି ସତ୍ୟ ସରଣ ପାଲ ଉପସ୍ଥିତ ଥିଲେ ।  ଅପରାହ୍ନ ଦୁଇଟାରେ ସ୍କୁଲ ପରିସର ମଧ୍ୟରେ ପହଁଚିଲା ବେଳକୁ ପ୍ରଥମେ ପ୍ରତିଟି ଶ୍ରେଣୀ ଗୃହ ବୁଲିବା ସହ ଶ୍ରେଣୀ ଉପସ୍ଥାନ ଦେଖିଥିଲେ । ଉପସ୍ଥାନ ଓ ଛାତ୍ରଛାତ୍ରୀଙ୍କ ମେଳ ତାଳ ଖାଉନଥିବା ବେଳେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ନିଜେ ବିଧାୟକ ପାଠ ପଢ଼ାଇଥିଲେ । ଉପସ୍ଥାନ ଓ ଛାତ୍ରଛାତ୍ରୀଙ୍କ  ମଧ୍ୟରେ କାହିଁକି ମେଳ ନାହିଁ ବୋଲି ସ୍ଥାନୀୟ ପ୍ରଧାମ ଶିକ୍ଷକ ଲକ୍ଷ୍ମଣ ପଟଶାଣୀ ଙ୍କୁ ତାଗିଦ କରିଥିଲେ ବିଧାୟକ । ପରେ ବିଦ୍ୟାଳୟରେ ଥିବା ଛାତ୍ରାବାସ ବୁଲି ଦେଖିଥିଲେ ବିଧାୟକ । ଛାତ୍ରାବାସର କୌଣସି ଶୌଚାଳୟ ସଫା ନ ହୋଇଥିବା ଦେଖିଥିଲେ। ଅପ୍ରୀତିକର ପରିବେଶରେ ଛାତ୍ରଛାତ୍ରୀଙ୍କ ଶରୀର ଅସୁସ୍ଥ ହେବ ଆଉ ଯଥାଶୀଘ୍ର ପରିସ୍ଥିତିରେ ସୁଧାର ଆଣିବାକୁ କହିଥିଲେ ବିଧାୟକ ନରସିଂହ । 

ଛାତ୍ରଛାତ୍ରୀଙ୍କ ଭୋଜନ ପାଇଁ ଆସୁଥିବା ସାମଗ୍ରୀ ଚାଉଳ , ପନିପରିବା ଓ ସମସ୍ତ ସାମଗ୍ରୀର ମାନ ଦେଖିଥିଲେ ବିଧାୟକ । ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ଚାଉଳରେ ବ୍ୟାପକ ପରିମାଣର ଅନିୟମିତତା ହେଉଥିବା ପ୍ରମାଣ ପାଇଥିଲେ ଏବଂ ଗୋଦାମରେ ସଂଗୃହିତ ଚାଉଳ ଓ ରେକର୍ଡ ତାଳମେଳ ଖାଉନଥିବାରୁ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ । ବିଦ୍ୟାଳୟର ପରିବେଶ ସୁଧାରିବା ପାଇଁ ଅଧିକାରୀଙ୍କୁ ନିର୍ଦେଶ ଦେବା ସହ ଭାଙ୍ଗିଯାଇଥିବା ସୁରକ୍ଷା ପାଚେରୀ ଓ ଅନ୍ୟ କୋଠରୀର ମରାମତି ପାଇଁ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଧାୟକ କହିଛନ୍ତି । ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ପ୍ରଧାନ ଶିକ୍ଷକ ଲଷ୍ମଣ ପଟଶାଣୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।