ମାଲକାନଗିରି,୩/୧: ମାଲକାନଗିରି ଥାନା ପୁଲିସ କୁ ମିଳିଛି ବଡ ସଫଳତା। ଛତିଶଗଡ଼କୁ ଚୋରା ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅଟୋ ସହିତ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ କରି ଜଣେ ଚାଲାଣ କାରିକୁ ଗିରଫ କରିଛି ପୁଲିସ।
ମାଲକାନଗିରି ଥାନା ଏଏସ ଆଇ ବି.ବି ସୁତାରଙ୍କ ନେତୃତ୍ୱ ରେ ହାବିଲଦାର ମିହିରକୁମାର ସାମଲ,କନେଷ୍ଟବଳ ବଳରାମ, ହୋମଗାର୍ଡ କୈଳାଶ ଦୁର୍ଗା ମାଲକାନଗିରି ଜୟପୁର ୩୨୬ନମ୍ବର ଜାତୀୟ ରାଜପଥ ଚମ୍ପାଖରୀ ଗାଁ ନିକଟରେ ରବିବାର ଅପରାହ୍ନ ରେ ପାଟ୍ରୋଲିଙ୍ଗ କରୁଥିଲେ। ସନ୍ଧ୍ୟରେ ଜଣେ ଅଟୋ ଚାଳକ ଗାଡି ଦୃତ ଗତିରେ ନେଇ ପଳାଇଯାଉଥିବାରୁ ପୁଲିସର ତା ଉପରେ ସନ୍ଦେହ ହୋଇଥିଲା। ଏଣୁ ପୋଲିସ ଅଟୋଟିର ପିଛାକରି ଗାଡିକୁ ଜବତ କରିଥିଲେ। ପରେ ଗାଡିକୁ ଯାଞ୍ଚ କରିବାରୁ ଗାଡିରେ ୫ଟି ଜରି ବସ୍ତାରେ ଗଞ୍ଜେଇ ଥିବାର ଦେଖାଯାଇଥିଲା।
ଅଟୋରେ ଗଞ୍ଜେଇ ନେଇ ଯାଉଥିବା ଗାଡି ଚାଳକ ଜଣଙ୍କ ହେଉଛି ମାଲକାନଗିରି ଜିଲ୍ଲା ରିକ୍ଲା ମେସନ କଲୋନୀ ର ଗୌରାଙ୍ଗ ମଣ୍ଡଳ (୩୦)। ପୁଲିସ ତାକୁ ଗିରଫ କରି ଥାନା କୁ ନେଇ ପଚରା ଉଚରା କରିଥିଲା। ସେ ବାଲିମେଳା ଅଞ୍ଚଳ ରୁ ଗଞ୍ଜେଇ ଆଣି ଛତିଶଗଡ଼କୁ ଚାଲାଣ କରିବା ପାଇଁ ଯାଉଥିଲା ବୋଲି ଦୋଷ ସ୍ୱୀକାର କରିଥିଲା।
ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯିବା ପରେ ତାହାର ପରିମାଣ ୧୦୦କେଜି ବୋଲି ଜଣାପଡିଥିଲା। ଗିରଫ ହୋଇଥିବା ଗୌରାଙ୍ଗ ମଣ୍ଡଳଙ୍କୁ ଡାକ୍ତରୀ ମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯାଇ ଥିବାର ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗନ କିଣ୍ଡୋ ସୂଚନା ଦେଇଛନ୍ତି।