ମାଲକାନଗିରି, ୭/୧୨: ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବକୁ ଆହୁରି ଉତ୍ସବମୁଖର କରିବା ପାଇଁ ମାଲକାନଗିରିରେ ପଥ ଉତ୍ସବ ଅନୁଷ୍ଠିତ । ଶୀତୁଆ ସକାଳରେ ନାଚିଲା ଗାଇଲା ଓ ଝୁମିଲା ମାଲକାନଗିରି ସହର । ଏହି ପଥ ଉତ୍ସବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ଠାରୁ ଡିଏନକେ ଖେଳ ପଡିଆ ପର୍ଯ୍ୟନ୍ତ ଆୟୋଜନ ହୋଇଥିଲା । ସକାଳର ପହିଲି କିରଣ ସହ ବେଶ ବର୍ଣ୍ଣାଢ୍ୟରେ ଆୟୋଜନ ସହ ପାଳନ ହୋଇଛି ପଥୋତ୍ସବ । ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପଥ ଉତ୍ସବକୁ ସହରବାସୀ ବେଶ୍ ଉପଭୋଗ କରିଥିଲେ । ଉଦଘାଟନୀ ସମାରୋହ ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ନେଇ ବେଶ ଝୁମିଥିଲେ ନାଚିଥିଲ ଯୁବକଯୁବତୀ। ମଞ୍ଚରେ ଦେଖିବାକୁ ମିଳିଥିଲା ଜନଜାତି କଳା ସଂସ୍କୃତିର ଝଲକ । ପଥ ଉତ୍ସବରେ ନାଚ, ଗୀତ, ସ୍କେଟିଂ, ଖାଦ୍ୟର ପସରା, ଆର୍ଟ-କ୍ରାଫ୍ଟ. ଝୋଟି ଚିତା,  ଯୋଗ, ବିଭିନ୍ନ ପ୍ରକାର ଦୁଃସାହସିକ ଖେଳ ଓ କ୍ରୀଡା ପ୍ରଦର୍ଶିତ ହୋଇଥିଲା ।

ଏଥିରେ ଅନେକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳିଛି । ପରିବେଶ ସଚେତନତା, ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ମାନିବା ପାଇଁ ସଚେତନତା ମଧ୍ୟ ଦେଖିବାକୁ ମିଳିଛି । ବିଶେଷକରି ପାରମ୍ପରିକ କଳା ଓ ନୃତ୍ୟ ପ୍ରଦର୍ଶନ ଲୋକଙ୍କ ମନକୁ ବେଶ ଛୁଇଁଥିଲା । ଆଜିର ପଥ ଉତ୍ସବରେ ସୀମା ସୁରକ୍ଷା ବଳ ତରଫରୁ ଆୟୋଜନ କରାଯାଇଥିବା ‘ଡଗ୍ ସୋ’ ବେଶ୍ ଆକର୍ଷଣୀୟ ହୋଇଥିଲା। ପୁଲିସ ବାହିନୀ ତରଫରୁ ଆରକ୍ଷୀ ଝଙ୍କାର ଟିମ୍ ମେଲୋଡି ପ୍ରଦର୍ଶନ କରିଥିଲେ। ଶ୍ୟାମ ସୁନ୍ଦର ନାୟକ ଓ ନିବେଦିତା ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଉପ-ଜିଲ୍ଲାପାଳ ଅଶ୍ନି ଏଏଲ, ବନଖଣ୍ଡ ଅଧିକାରୀ ସାଇ କିରଣ ଓ ବିଏସଏଫ ଡେପୁଟି କମାଣ୍ଡାଣ୍ଟ ରବି ମିଶ୍ର ଉପସ୍ଥିତ ଥିଲେ ।

​​​​​​​