ଭୁବନେଶ୍ବର ,୧୬।୩  :  ମିଲରଙ୍କ ଠାରୁ ୭୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଚାଉଳ କିଣି ଠକେଇ ଅଭିଯୋଗରେ ଆନ୍ଧ୍ରପ୍ରଦେଶର ଜଣଙ୍କୁ ଗୋଳନ୍ଥରା ପୁଲିସ ଗିରଫ କରିଛି।  ଗିରଫ ଅଭିଯୁକ୍ତ ଜଣକ ହେଲେ ଆନ୍ଧ୍ର ପ୍ରଦେଶ ତାନୁକୁ ଗାଁର ଇନ୍ଦୁକୁରି ମହେନ୍ଦ୍ର ବର୍ମା। ପିତାତଳିର ମାଆ ଅନ୍ନପୂର୍ଣ୍ଣା ଚାଉଳ ମିଲ ମାଲିକ ସାଦୀ ଲିଜିୟାଙ୍କ ଠାରୁ ୭୭ ଲକ୍ଷ ଟଙ୍କାର ଚାଉଳ କିଣି ଅଭିଯୁକ୍ତ ଜଣକ ଟଙ୍କା ଦେଇ ନ ଥିଲେ। 

ମାଆ ଅନ୍ନପୂର୍ଣ୍ଣା ରାଇସ  ମିଲ ମାଲିକ ସାଦୀ ଲିଜିୟାଙ୍କ ଅଭିଯୋଗ ଅନୁଯାୟୀ ୫ ବର୍ଷ ତଳେ ଆନ୍ଧ୍ର ପ୍ରଦେଶ ତାନୁକୁ ଗାଁର ଇନ୍ଦୁକୁରି ମହେନ୍ଦ୍ର ବର୍ମା ଓ ନୂନା ରାଜୁ  ପିତାତଳିସ୍ଥିତ ତାଙ୍କ କାର୍ଯ୍ୟାଳୟକୁ ଆସି ସବୁବେଳେ ତାଙ୍କ ଠାରୁ ଚାଉଳ କିଣିବେ ବୋଲି କହିଥିଲେ।  ଏପରି  ଅଧିକାଂଶ ସମୟରେ ଚାଉଳ କିଣିବା ସହ ତାହାର ଟଙ୍କା ପୈଠ କରିଥି‌ଲେ। ଏହା ପରେ ସେ ୭୭,୨୬,୩୯୮ ଟଙ୍କାର ଚାଉଳ  କିଣିଥିଲେ। ଟଙ୍କା ପରବର୍ତ୍ତି ସମୟରେ ଦେବେ ବୋଲି  ମିଲ ମାଲିକଙ୍କୁ କହିଥିଲେ। କିନ୍ତୁ ସେ ଆଉ ଟଙ୍କା ମିଲରଙ୍କୁ ଦେଇ ନଥିଲେ। ପରବର୍ତ୍ତି ସମୟରେ ଉଭୟ ପକ୍ଷ ବସି ଏକ ବୈଠକ କରିଥିଲେ। ନିର୍ଦ୍ଧାରିତ ତାରିଖରେ ଟଙ୍କା ଦେବେ ବୋଲି  ମହେନ୍ଦ୍ର କରିଥିଲେ। କିନ୍ତୁ ଉକ୍ତ ତାରିଖରେ ସେ ଟଙ୍କା ମିଲରଙ୍କୁ ଦେଇ ନ ଥିଲେ। ଏ ନେଇ ମିଲ୍ ମାଲିକ ସାଦୀ ଲିଜିୟା ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗର ତଦନ୍ତ କରି ଇନ୍ଦୁକୁରି ମହେନ୍ଦ୍ର ବର୍ମାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି  ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି।