କଟକ,୧୨/୦୧: ଖାନ୍‌ନଗର ଦୁର୍ଗା ମଣ୍ଡପ ନିକଟ ରିଂରୋଡ୍ କଡ଼ରୁ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ରବିବାର ସକାଳେ ଉଦ୍ଧାର କରାଯାଇଛି । ମୃତକ ହେଲେ ପୁରୀଘାଟ ଥାନା ଅଧୀନ ହଜାରୀଲେନ୍‌ର ପପୁ ଓରଫ ପ୍ରକାଶ ଦାସ(୪୫) । ତାଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି । ତାଙ୍କ ମୁଣ୍ଡର ପଛପଟେ ବଡ଼ କ୍ଷତଚିହ୍ନ ରହିଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ମଦ୍ୟପାନ ଜନିତ ବିବାଦକୁ କେନ୍ଦ୍ର କରି ଏଭଳି ଘଟିଥିବା ପୁଲିସ ସନ୍ଦେହ କରୁଛି । ବାଦାମବାଡ଼ି ଥାନା ପୁଲିସ ମୃତଦେହ ଜବତ କରି ତନାଘନା ଚଳାଇଛି । ପ୍ରାୟ ସାତ ବର୍ଷ ତଳେ ୨୦୧୯ ଜୁଲାଇରେ ସହରରେ ଘଟିଥିବା ଏକ ପଥର ଛେଚା ହତ୍ୟା ଘଟଣାର ବୀଭତ୍ସ ଚିତ୍ରକୁ ଆଜିର ଏ ଅଘଟଣ ତାଜା କରି ଦେଇଥିବା ବେଳେ ଷ୍ଟୋନ୍‌ମ୍ୟାନ୍ ଆତଙ୍କକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ମିଳିଥିବା ସୂଚନା ଅନୁସାରେ, ରବିବାର ସକାଳେ ଖାନ୍ନଗର ଦୁର୍ଗା ମଣ୍ଡପ ନିକଟ ଏକ ହୋଟେଲ ସମ୍ମୁଖରେ ପପୁଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ବାଦାମବାଡ଼ି ଥାନା ପୁଲିସ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଥିଲା । କୌଣସି ସୂତ୍ରରୁ ଖବର ପାଇ ପରିବାର ଲୋକେ ପହଞ୍ଚି ଉକ୍ତ ମୃତଦେହ ପ୍ରକାଶଙ୍କର ବୋଲି ଚିହ୍ନଟ କରିଥିଲେ । ପପୁଙ୍କ ମୁଣ୍ଡର ପଛପଟକୁ କେହି ଶକ୍ତ ଆଘାତ ଦେଇଥିବା ଯାଞ୍ଚ୍ ବେଳେ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା । ପାଖରେ ରକ୍ତ ଛିଟା ଲାଗିଥିବା ଏକ ପଥର ଖଣ୍ଡ ବି ପଡ଼ିଥିଲା । ତେଣୁ ଉକ୍ତ ପଥରରେ ମୁଣ୍ଡକୁ ଛେଚି ପ୍ରକାଶଙ୍କୁ କେହି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ।

ପ୍ରକାଶ ପ୍ରାୟ ୮ରୁ ୧୦ ବର୍ଷ ହେବ ଘରୁ ବାହାରି ଆସି ଅଲଗା ରହୁଥିବା ପରିବାର ଲୋକେ ପୁଲିସକୁ କହିଛନ୍ତି । ସେ ଅବିବାହିତ ଥିଲେ । ଖାନ୍‌ନଗର ରିଂବନ୍ଧ ରାସ୍ତାରେ ଜରିପାଲ ଟାଣି ଏକୁଟିଆ ରହୁଥିଲେ । ଖପୁରିଆସ୍ଥିତ ଜଣେ ବ୍ୟକ୍ତିଙ୍କ ମାଛ ଦୋକାନରେ ମାଛ କାଟିବା କାମ କରି ସେ ଚଳୁଥିଲେ । ପାଖାପାଖି ଆଉ କିଛି ମାଛ ଦୋକାନରେ ମଧ୍ୟ ସେ ବେଳେବେଳେ କାମ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ଘରଠୁ ଏତେ ପାଖରେ ରହୁଥିଲେ ମଧ୍ୟ ସେ ଘରକୁ ଯା’ଆସ କରୁନଥିଲେ । ଘରେ କାହାରି ସହିତ ତାଙ୍କର ମତଭେଦ ନ ଥିଲା ବୋଲି ପରିବାର ସଦସ୍ୟ ପୁଲିସକୁ ଜଣାଇଛନ୍ତି । ଏନେଇ ପ୍ରକାଶଙ୍କ ପୁତୁରା ରାଜେଶ ଦାସ ବାଦାମବାଡ଼ି ଥାନାରେ ଏତଲା ଦେଇଛନ୍ତି । ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ଏସ୍ସିବି ମେଡିକାଲ୍ ପଠାଇ ହତ୍ୟା ମାମଲା ରୁଜୁ କରିଛି । ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ୟରେ ପୁଲିସ ତଥ୍ୟ ପ୍ରମାଣ ସଂଗ୍ରହ କରିଛି । ଶନିବାର ବିଳମ୍ୱିତ ରାତିରେ କେହି ଏ ବୀଭତ୍ସ ହତ୍ୟାକାଣ୍ଡ ଭିଆଇଥିବା ପୁଲିସ କହିଛି । ସମ୍ଭବତଃ ନିଶା ସେବନକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରୁଛି । ହତ୍ୟାକାରୀକୁ ଧରିବା ପାଇଁ ଆଖପାଖର ସିସିଟିଭି ଫୁଟେଜ୍ ଯାଞ୍ଚ୍ କରାଯାଉଛି ।