ସମ୍ବଲପୁର, ୨୧/୦୫ :୫୨ ଟଙ୍କାର ତମାଖୁ ଚୋରି ଅଭିଯୋଗ ପାଇଁ ୨୦ ବର୍ଷର ଆଇନଗତ ଲଢ଼େଇ । ଶେଷରେ କୋର୍ଟରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ତିନି ଅଭିଯୁକ୍ତ । ବିଳମ୍ବିତ ନ୍ୟାୟ ବ୍ୟବସ୍ଥାର ଏଭଳି ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ । ହେଲେ ନ୍ୟାୟ ପାଇବା ବେଳକୁ ଆଖି ବୁଜି ସାରିଛନ୍ତି ଦୁଇ ଅଭିଯୁକ୍ତ । ଅଭିଯୋଗକାରୀଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି ।
ଘଟଣା ୨୦୦୬ ମସିହା ସେପ୍ଟେମ୍ବର ୨୯ର । ସମ୍ୱଲପୁର ଜିଲ୍ଲା ବାମରା (ପଣ୍ଡରିପଥର) ଷ୍ଟେସନ ବସ୍ତିରେ ପ୍ରଫୁଲ୍ଲ ସାହୁଙ୍କ ମାଲିକାନାରେ ଥିବା ଏକ ପାନ ଦୋକାନରୁ ୫୨ ଟଙ୍କାର ଗୁଟ୍ଖା ପ୍ୟାକେଟ ଏବଂ ସିଗାରେଟ୍ ଚୋରି ହୋଇଥିଲା । ଏ ନେଇ ଗୋବିନ୍ଦପୁର ଥାନାରେ ତା’ ପରଦିନ ଅଭିଯୋଗ କରିଥିଲେ ପ୍ରଫୁଲ୍ଲ । ପୁଲିସ୍ ନୁନିଆମୁଣ୍ଡା ଗ୍ରାମର ଚାରି ଜଣଙ୍କୁ ଏବଂ ଚୋରି ସାମଗ୍ରୀ କିଣିବା ଅଭିଯୋଗରେ କେଚୁପାଣି ଗ୍ରାମର ଅନ୍ୟ ଜଣଙ୍କୁ ଗିରଫ କରିଥିଲା । ପ୍ରାୟ ମାସେ ଜେଲ୍ରେ ରହିବା ପରେ ସମସ୍ତେ ଜାମିନରେ ମୁକୁଳିଥିଲେ । ସେହିବର୍ଷ ନଭେମ୍ବର ୧୧ରେ ମାମଲାର ଚାର୍ଜସିଟ୍ ଦାଖଲ ହୋଇଥିଲା ଓ ବିଚାର ପ୍ରକ୍ରିୟା ଜାରି ରହିଥିଲା । ହେଲେ ବର୍ଷ ବର୍ଷ ଧରି ଜାରି ରହିଥିବା ମାମଲା କ୍ରମେ ଶିଥିଳ ପଡ଼ିଗଲା । କୋର୍ଟ ନୋଟିସ୍ ମଧ୍ୟ କମିଗଲା । ଦୀର୍ଘ ଆଇନଗତ ପ୍ରକ୍ରିୟା ମଧ୍ୟରେ ଦୁଇ ଅଭିଯୁକ୍ତ ଏବଂ ଅଭିଯୋଗକାରୀ ପ୍ରଫୁଲ୍ଲ ସାହୁଙ୍କ ମୃତ୍ୟୁ ହୋଇଯାଇଥିଲା । ଜୀବିତ ଥିବା ଅନ୍ୟ ୩ ଜଣ ଅଭିଯୁକ୍ତ କୋର୍ଟରେ ହାଜର ହେବା ମଧ୍ୟ ବନ୍ଦ କରି ଦେଇଥିଲେ ।
ଅଧିକ ପଢ଼ନ୍ତୁ :- Crime News: ବିଧାୟକଙ୍କ ମେଲୋଡି ନାଇଟ୍ରେ ହଙ୍ଗାମା, ଯୁବକଙ୍କୁ ଛୁରାମାଡ କଲେ ଦୁର୍ବୃତ୍ତ
କିଛିଦିନ ତଳେ ଜୀବିତ ୩ ଅଭିଯୁକ୍ତ ନୁନିଆମୁଣ୍ଡାର ଗଣେଶ ଜୟପୁରିଆ (୫୦), ଉମେଶ ବାଙ୍କରା (୪୮)ଏବଂ ଚୋରି ସାମଗ୍ରୀ କିଣିଥିବା ଅଭିଯୁକ୍ତ କେଚୁପାଣି ଗ୍ରାମର ହେମନ୍ତ ସାହୁ (୬୩)ଙ୍କ ବିରୋଧରେ କୁଚିଣ୍ଡା ଏସ୍ଡିଜେଏମ୍ କୋର୍ଟରୁ ୱାରେଣ୍ଟ ଜାରି ହୋଇଥିଲା । ଏହା ସତ୍ତେ୍ୱ ୩ ଅଭିଯୁକ୍ତ ହାଜର ହେଉ ନ ଥିବାରୁ ଗତ ୧୬ ତାରିଖରେ ସେମାନଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ମାମଲାର ଶୁଣାଣି କରି କୋର୍ଟ ତିନି ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏଥିସହ ମାମଲାର ଅନ୍ତ ଘଟାଇଛନ୍ତି । ନିର୍ଦ୍ଦୋଷରେ ଖଲାସ ହୋଇଥିବା ହେମନ୍ତ କହିଛନ୍ତି, ୨୦ ବର୍ଷର ଆଇନଗତ ଲଢ଼େଇ ପରେ କୋର୍ଟ ଶେଷରେ ଆମକୁ ନିର୍ଦ୍ଦୋଷରେ ମୁକ୍ତ କରିଛନ୍ତି । ଓକିଲ ଏମ୍.କେ.୦ ମିଶ୍ର କହିଛନ୍ତି, ସେମାନେ ୨୦୦୬ ରୁ ୨୦୨୬ ପର୍ଯ୍ୟନ୍ତ ଆଇନଗତ ଲଢ଼େଇ ଲଢ଼ୁଥିଲେ । ଅନେକ ଥର ପ୍ରତ୍ୟକ୍ଷଦର୍ଶୀ କୋର୍ଟରେ ହାଜର ନ ହେବାରୁ ମାମଲା ବିଳମ୍ୱିତ ହୋଇଥିଲା । କୁଚିଣ୍ଡାର ଏସ୍ଜିଜେଏମ୍ କୋର୍ଟ ସମ୍ପୃକ୍ତ ତିନି ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।