ମୁମ୍ୱାଇ,୨୮/୦୧:  ବାଫ୍‌ଟା-୨୦୨୬ ସମ୍ମାନ ଲାଗି ଆରମ୍ଭ ହୋଇଛି ରେସ୍‌ । ପୁରସ୍କାର ଲାଗି ନୋମିନେସନ୍‌ ତାଲିକା ଘୋଷଣା ହୋଇଛି । ଶ୍ରେଷ୍ଠ ଶିଶୁ ଓ ପାରିବାରିକ ଚଳଚ୍ଚିତ୍ର ବିଭାଗରେ ନୋମିନେଟ୍‌ ହୋଇଛି ମଣିପୁରୀ ଫିଲ୍ମ ‘ବୁଙ୍ଗ୍‌’। ବଲିଉଡ୍‌ ନିର୍ଦ୍ଦେଶକ- ପ୍ରଯୋଜକ ଫରହାନ ଅଖତରଙ୍କ ପ୍ରଡକ୍ସନ୍‌ ହାଉସ୍‌ ଏକ୍ସେଲ ଏଣ୍ଟରଟେନ୍‌ମେଣ୍ଟରେ ଫିଲ୍ମଟି ନିର୍ମିତ ହୋଇଛି । ଏହା ସହ ପ୍ରତିଯୋଗିତା କରୁଛନ୍ତି ‘ଆର୍କୋ’, ‘ଲିଲୋ ଆଣ୍ଡ୍‌ ଷ୍ଟିଚ୍‌’ ଓ ‘ଜୁଟ୍ରୋପୋଲିସ-୨’। ଲକ୍ଷ୍ମୀପ୍ରିୟା ଦେବୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବ୍ରଜେନ୍ଦ୍ର ଓରଫ୍‌ ବୁଙ୍ଗ୍‌ ଭୂମିକାରେ ଅଭିନୟ କରିଛନ୍ତି ଗୁଗୁନ କିପଜେନ୍‌ । 

ଆହୁରି ପଢନ୍ତୁ- ​​​​​​​ଶୀର୍ଷରୁ ସନ୍ନ୍ୟାସ: କାହିଁକି ‘ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍’କୁ ବାଏ ବାଏ କଲେ ଅରିଜତ୍

ସେପ୍ଟେମ୍ବର ୨୦୨୪ରେ ଏହା ଭାରତରେ ମୁକ୍ତିଲାଭ କରିଥିଲା । ଏକ ଉପହାର ଜରିଆରେ ନିଜ ମା’କୁ ସର୍‌ପ୍ରାଇଜ୍‌ ଦେବାକୁ ଯୋଜନା କରୁଥିବା ମଣିପୁରର ବୁଙ୍ଗ୍‌ ନାମକ ଜଣେ ବାଳକ ଉପରେ ଫିଲ୍ମର କାହାଣୀ ପର୍ଯ୍ୟବସିତ । ତା’ର ବିଶ୍ୱାସ ଯେ ଯଦି ନିଜ ବାପାଙ୍କୁ ସେ ଘରକୁ ଫେରାଇ ଆଣିବ, ତେବେ ଏହା ତା’ ମା’ ପାଇଁ ସବୁଠୁ ନିଆରା ଉପହାର ହେବ । ଇତିମଧ୍ୟରେ ସମୟରେ ସେ ଏକ ଅପ୍ରତ୍ୟାଶିତ ଉପହାର ଆବିଷ୍କାର କରିଛି । ଫିଲ୍ମଟି ୨୦୨୪ ଟରଣ୍ଟୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା । ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ମେଲ୍‌ବର୍ନରେ ସ୍ପଟ୍‌ଲାଇଟ୍‌ ଫିଲ୍ମ ଭାବେ ମଧ୍ୟ ଏହାକୁ ନାମିତ କରାଯାଇଥିଲା ।

ଅସ୍କାର ନୋମିନେସନ୍‌ ପରେ ପୁଣି ଥରେ ଚମକିଛି ପଲ୍‌ ଥୋମାସ ଆଣ୍ଡରସନ୍‌ଙ୍କ ‘ୱାନ୍‌ ବ୍ୟାଟଲ୍‌ ଆଫ୍ଟର ଆନାଦର’ । ସର୍ବାଧିକ ନୋମିନେସନ୍‌ ସହିତ ପୁରସ୍କାର ଦୌଡ଼ରେ ଏହା ସବୁଠୁ ଆଗରେ ଅଛି । ଶ୍ରେଷ୍ଠ ଚଳଚ୍ଚିତ୍ର, ନିର୍ଦ୍ଦେଶକ, ଅଭିନୟ ଓ ଟେକ୍ନୋଲୋଜି ବିଭାଗର ଅନେକ ପୁରସ୍କାର ସମେତ ୧୪ ବିଭାଗରେ ଏହାକୁ ନୋମିନେଟ୍‌ କରାଯାଇଛି । ସୂଚନାଯୋଗ୍ୟ, ୨୫ ବିଭାଗରେ ଭୋଟିଂ ପାଇଁ ଏହାକୁ ଚୟନ କରାଯାଇଥିଲା । ୧୩ ନୋମିନେସନ୍‌ ସହିତ ଏହା ପଛରେ ଅଛି ଭାମ୍ପାୟର ହରର୍‌ ଫିଲ୍ମ ‘ସିନର୍ସ’ । ୧୧ ନୋମିନେସନ୍‌ ସହିତ ଦୌଡ଼ରେ ୩ୟ ସ୍ଥାନରେ ଅଛି ‘ହାମ୍‌ନେଟ୍‌’ । ଫେବ୍ରୁଆରୀ ୨୨,ରବିବାର ଲଣ୍ଡନର ରୟାଲ ଫେଷ୍ଟିଭାଲ ହଲ୍‌ରେ ଧୂମ୍‌ଧାମ୍‌ରେ ଆୟୋଜିତ ହେବ ବ୍ରିଟିଶ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ୍‌ ଆୱାର୍ଡସ୍‌ (ବାଫ୍‌ଟା)- ୨୦୨୬ ।