ମୁମ୍ବାଇ,୧୮/୦୧: ବମ୍ବେ ହାଇକୋର୍ଟଙ୍କ ନାଗପୁରସ୍ଥିତ ଖଣ୍ଡପୀଠ ବୁଧବାର ଜଣେ ମହିଳାଙ୍କୁ ଆତ୍ମହତ୍ୟା  ଲାଗି ଉସ୍‌କାଇବା ମାମଲାରେ ରାୟ ଶୁଣାଇଥିଲେ । କୋର୍ଟ କହିଥିଲେ,  ବିବାହ ପାଇଁ ମନା କରିବା ଆତ୍ମହତ୍ୟାକୁ ପ୍ରୋତ୍ସାହିତ କରିବା ନୁହେଁ । ପୁରୁଷଜଣକ ସଂପର୍କକୁ ଶେଷ କରିଦେବା ପରେ ମହିଳା  ଆତ୍ମହତ୍ୟା କରିଥିବା କାରଣରୁ କେବଳ ବ୍ୟକ୍ତିଙ୍କ ବିରୋଧରେ ଆତ୍ମହତ୍ୟା ଲାଗି  ଉସ୍‌କାଇବା ମାମଲା ରୁଜୁ ହୋଇପାରିବ ନାହିଁ । ଏଥିସହିତ ଜଷ୍ଟିସ୍‌ ଉର୍ମିଳା ଯୋଶୀ- ଫାଲ୍‌କେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ମୁକ୍ତ  କରି ଦେଇଛନ୍ତି । ତାଙ୍କ ବିରୋଧରେ ଜଣେ  ମହିଳାଙ୍କୁ ଆତ୍ମହତ୍ୟା ଲାଗି ଉସ୍‌କାଇବାର  ମାମଲା ରୁଜୁ ହୋଇଥିଲା । ସେହି ମହିଳାଙ୍କ  ସହିତ ସେ ୯ ବର୍ଷ ଧରି ପ୍ରେମ ସଂପର୍କରେ  ଥିଲେ । ବୁଲଧାନା ଜିଲ୍ଲାର ଖାମଗାଓଁ  ସେସନ୍ସ କୋର୍ଟ ତାଙ୍କୁ ଏହି ମାମଲାରେ ମୁକ୍ତ  ନ କରିବାରୁ ସେ ସେସନ୍ସ କୋର୍ଟଙ୍କ ରାୟକୁ  ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ।  

ବିଚାରପତି ଜଷ୍ଟିସ୍‌ ଉର୍ମିଳା ଯୋଶୀ  ଫାଲ୍‌କେଙ୍କ ଅନୁସାରେ, ଅଭିଯୁକ୍ତ  ମୃତକଙ୍କୁ ଆତ୍ମହତ୍ୟା ଲାଗି ପ୍ରୋତ୍ସାହିତ  କରିବା ସଂପର୍କରେ ତଦନ୍ତରେ କେଉଁଠି  ଉଲ୍ଲେଖ ନାହିଁ । ବରଂ ବ୍ରେକ୍‌ଅପ୍‌ ପରେ  ବି ଉଭୟଙ୍କ ମଧ୍ୟରେ କଥାବର୍ତ୍ତା ଜାରି  ଥିବାର ପ୍ରମାଣ ରହିଛି । ଯଦି ଅଭିଯୁକ୍ତ  ତାଙ୍କୁ ବିବାହ ଲାଗି ମନା କରିଦେଇଥିଲେ  ତେବେ ଏହା ମହିଳାଙ୍କୁ ଆତ୍ମହତ୍ୟା ଲାଗି  ଉସ୍‌କାଇବା କିମ୍ବା ସେଥିସହ ସମାନ  ହେବନାହିଁ । ସେହିପରି ମହିଳାଙ୍କର  ସୁଇସାଇଡ୍‌ ନୋଟ୍‌ କିମ୍ବା ହ୍ୱାଟସଆପ୍‌  ଚାଟ୍‌ରୁ ଅଭିଯୁକ୍ତ ତାଙ୍କୁ ବିବାହ ପ୍ରତିଶ୍ରୁତି  ଦେଇ ଶାରିରୀକ ସଂପର୍କ ରକ୍ଷା କରିବା  ଓ ପରେ ସେମାନଙ୍କର ସଂପର୍କ  ଭାଙ୍ଗିଥିବା ଜଣାପଡୁନାହିଁ । ମହିଳା ମଧ୍ୟ ବ୍ରେକ୍‌ଅପ୍‌ର ତୁରନ୍ତ ପରେ ଆତ୍ମହତ୍ୟା  କରିନଥିଲେ । ଉଭୟଙ୍କ ମଧ୍ୟରେ ଜୁଲାଇ  ୨୦୨୦ରେ ବ୍ରେକଅପ୍‌ ହୋଇଥିବାବେଳେ  ମହିଳା ସେହିବର୍ଷ ଡିସେମ୍ବର ୩ରେ  ଆତ୍ମହତ୍ୟା କରିଥିଲେ । ଏହାର ଅର୍ଥ  ବ୍ରେକଅପ୍‌ ଓ ସୁଇସାଇଡ୍‌ ମଧ୍ୟରେ  କୌଣସି ସଂପର୍କ ନାହିଁ । ଏଥିସହିତ  ହାଇକୋର୍ଟ ସେସନ୍ସ କୋର୍ଟଙ୍କ ରାୟକୁ  ରଦ୍ଦ କରିଦେଇଛନ୍ତି।