ନୂଆଦିଲ୍ଲୀ ୧୨/୦୫: କ୍ରମାଗତ ତୃତୀୟ ଦିନ କାରବାର ଦିବସରେ ଦେଶର ପୁଞ୍ଜି ବଜାରରେ ହ୍ରାସ ଜାରି ରହିଛି । ସୋମବାର ଭାରତୀୟ ଇକ୍ୱିଟି ବଜାରରେ ଦେଖାଦେଇଛି ବଡ଼ ହ୍ରାସ । ୧,୩୦୦ ପଏଣ୍ଟରୁ ଅଧିକ ଖସିଯାଇଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ) ସୂଚକାଙ୍କ ସେନ୍ସେକ୍ସ । ରବିବାର ଇନ୍ଧନ ବାବଦ ଖର୍ଚ୍ଚ କମାଇବା ସହ ବର୍ଷେ ପର୍ଯ୍ୟନ୍ତ ସୁନା ନ କିଣିବା ତଥା ବିଦେଶ ଗସ୍ତ ବାତିଲ କରିବା ଲାଗି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ବୋଧନ ବଜାରକୁ ଭୟଭୀତ କରିଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ବୈଦେଶିକ ମୁଦ୍ରା ଭଣ୍ଡାର ଏବଂ ବର୍ଦ୍ଧିତ ଇନ୍ଧନ ଦର ଚିନ୍ତା ନିବେଶକଙ୍କୁ ଆଶଙ୍କିତ କରିଛି, ଯାହାର ପ୍ରଭାବ ଇକ୍ୱିଟି ବଜାର ଉପରେ ପଡ଼ିଥିବା ଅନୁମାନ କରାଯାଉଛି ।
ମଧ୍ୟପ୍ରାଚ୍ୟରେ ଯୁଦ୍ଧକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ଅଶୋଧିତ ତୈଳ ଦର ଉପରମୁହାଁ ହୋଇଛି । ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ୍ ୧୦୩ ଡଲାର ପାର୍ କରିଯାଇଛି । ଆହୁରି ବଢ଼ିବା ନେଇ ମଧ୍ୟ ଆଶଙ୍କା ବଳବତ୍ତର ହୋଇଛି । ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଏହା ନିରାଶଜନକ ଖବର । କାରଣ ଭାରତ ଏହାର ତୈଳ ଆବଶ୍ୟକତାର ୯୦% ଆମଦାନି କରିଥାଏ । ସେହିଭଳି ଡଲାର ତୁଳନାରେ ସୋମବାର ଟଙ୍କା ଦୁର୍ବଳ ହୋଇଛି । ଏସବୁ ବଜାରର ପତନ ପାଇଁ ପ୍ରମୁଖ କାରକ ଭାବେ ଉଭା ହୋଇଛି । ସୋମବାର କାରବାର ଶେଷରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ) ସେନ୍ସେକ୍ସରେ ୧,୩୧୨.୯୧ ପଏଣ୍ଟ ହ୍ରାସ ଘଟିଛି । ଫଳରେ ଏହା ୭୬,୦୧୫.୨୮ ପଏଣ୍ଟରେ ବନ୍ଦ ହୋଇଛି । ଅନ୍ୟପକ୍ଷରେ, ନ୍ୟାସ୍ନାଲ ଷ୍ଟକ୍ ଏକ୍ସଚେଞ୍ଜ(ଏନ୍ଏସ୍ଇ) ନିଫ୍ଟି ୩୬୦ ପଏଣ୍ଟ ଖସି ୨୩,୮୧୫.୮୫ ପଏଣ୍ଟରେ ବନ୍ଦ ହୋଇଛି । ସୋମବାର ଏହି ହ୍ରାସ ଫଳରେ ବିଏସ୍ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାର ମୂଲ୍ୟ ପାଖାପାଖି ୬ ଲକ୍ଷ କୋଟି ଟଙ୍କା ଖସି ୪୬୭ ଲକ୍ଷ କୋଟି ଟଙ୍କାକୁ ଆସିଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ବୟାନ ପରେ ସୋମବାର ଗହଣା କମ୍ପାନିଙ୍କ ସେୟାର ୧୦% ପର୍ଯ୍ୟନ୍ତ ଖସିଯାଇଛି ।
ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନାଗରିକଙ୍କୁ ଆହ୍ୱାନ ଦେଇଥିଲେ ଯେ, ବର୍ଷେ ପର୍ଯ୍ୟନ୍ତ ସେମାନେ ସୁନା ନ କିଣନ୍ତୁ । ଏହି ବୟାନ ପରେ ନିବେଶକ ଭୟଭୀତ ଅବସ୍ଥାରେ ଅଛନ୍ତି । କଲ୍ୟାଣ ଜୁଏଲର୍ସ ଏବଂ ସେନ୍କୋ ଗୋଲ୍ଡ ସେୟାର ୧୦% ଲେଖାଏଁ ଖସିଯାଇଛି । ସେହିଭଳି ଗହଣା କମ୍ପାନି ଟାଇଟନ୍ର ସେୟାର ୭% ଖସିଛି । ହାଇଦ୍ରାବାଦରେ ଏକ ସାର୍ବଜନିକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଦେଶୀ ମୁଦ୍ରା ଭଣ୍ଡାରକୁ ବଞ୍ଚାଇବା ପାଇଁ କହିଛନ୍ତି । ବର୍ଷେ ପର୍ଯ୍ୟନ୍ତ ସୁନା କିଣାରୁ ଦୂରେଇ ରହିବା ଏବଂ ୱାର୍କ ଫ୍ରମ୍ ହୋମ୍ ପୁନଃ ଆପଣାଇବା ଏବଂ ବିଦେଶ ଭ୍ରମଣରୁ ଦୂରେଇ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସୋମବାର ଇଣ୍ଡିଗୋ, ଏସ୍ବିଆଇ, ଭାରତୀ ଏୟାର୍ଟେଲ, ଇଟର୍ନାଲ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଏନ୍ଟିପିସିର ସେୟାର ମୂଲ୍ୟରେ ୨.୫%ରୁ ୫% ହ୍ରାସ ଘଟିଛି ।
ଆହୁରି ପଢ଼ନ୍ତୁ...Share Market କୁ ଯୁଦ୍ଧ ଝଟକା: ବିଦେଶୀ ନିବେଶକ କାଢ଼ି ନେଉଛନ୍ତି ପୁଞ୍ଜି, ୨ ଲକ୍ଷ କୋଟି ପ୍ରାତ୍ୟାହାର