- ୨୦୨୫ରେ ୧.୬୬ ଲକ୍ଷ କୋଟି କାଢ଼ିଥିଲେ
- ବିକଶିତ ବଜାର ଡେଟ୍ ଇନଷ୍ଟ୍ରୁମେଣ୍ଟରେ ନିବେଶ
- ମୁଦ୍ରାସ୍ଫୀତି ଚାପ, ଦୁର୍ବଳ ଟଙ୍କା ଚିନ୍ତା ବଢ଼ାଇଛ
ନୂଆଦିଲ୍ଲୀ,୧୧|୫: ମେ’ ମାସରେ ମଧ୍ୟ ଦେଶର ପୁଞ୍ଜି ବଜାରରୁ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫ୍ପିଆଇ)ମାନେ ପୁଞ୍ଜି ପ୍ରତ୍ୟାହାର ଜାରି ରଖିଛନ୍ତି । ଆମେରିକା-ଇରାନ ଯୁଦ୍ଧ ପୁଞ୍ଜି ବଜାରକୁ ଝଟ୍କା ଦେଇଛି । ଚଳିତ ବର୍ଷ ଅଦ୍ୟାବଧି ନିବେଶକମାନେ ୨ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ବ ରାଶି ପ୍ରତ୍ୟାହାର କରିଛନ୍ତି । ଏନ୍ଏସ୍ଡିଏଲ୍ ଡାଟା ମୁତାବକ, କେବଳ ମେ ମାସରେ ବିଦେଶୀ ନିବେଶକମାନେ ୧୪,୨୩୧ କୋଟି ଟଙ୍କା କାଢ଼ି ନେଲେଣି । ୨୦୨୬ର ଅଦ୍ୟାବଧି ହୋଇଥିବା ପୁଞ୍ଜି ପ୍ରତ୍ୟାହାର ଗତ ବର୍ଷର ପ୍ରତ୍ୟାହାର ଠାରୁ ଅଧିକ ରହିଛି । ୨୦୨୫ରେ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରୁ ୧.୬୬ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ ।
ଚଳିତ ବର୍ଷ ବିଦେଶୀ ନିବେଶକମାନେ ବଜାରକୁ ନେଇ ନକରାତ୍ମକ ମନୋଭାବ ପ୍ରକଟ କରିଛନ୍ତି । ଜାନୁଆରି ମାସରେ ଏମାନେ ୩୫,୯୬୨ କୋଟି ଟଙ୍କାର ଶେୟାର ବିକ୍ରି କରିଥିଲେ । ମାତ୍ର ଫେବ୍ରୁଆରି ମାସରେ ସେମାନେ ୨୨,୬୧୫ କୋଟି ଟଙ୍କା ନିବେଶ କରିଥିଲେ । ଯାହା ଗତ ୧୫ ମାସର ସବୁଠାରୁ ବଡ଼ ମାସିକ ନିବେଶ ଥିଲା । ମାତ୍ର ଏହି ଧାରା ଅଧିକ ସମୟ ଯାଏ ରହି ନ ଥିଲା । ମାର୍ଚ୍ଚରେ ବଜାରରୁ ୧.୧୭ ଲକ୍ଷ କୋଟି ଟଙ୍କାର ରାଶି କାଢ଼ି ନେଇଛନ୍ତି ନିବେଶକ । ସେହିଭଳି ଏପ୍ରିଲରେ ମଧ୍ୟ ନିବେଶକମାନେ ବଜାରରୁ ୬୦, ୮୪୭ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ ।
ମର୍ଣ୍ଣିଂଷ୍ଟାର ଇନଭେଷ୍ଟମେଣ୍ଟ ରିସର୍ଚ୍ଚ ଇଣ୍ଡିଆର ପ୍ରମୁଖ ରିସର୍ଚ୍ଚ ମ୍ୟାନେଜର ହିମାଂଶୁ ଶ୍ରୀବାସ୍ତବ କହିଛନ୍ତି, ବୈଶ୍ୱିକ ସ୍ତରରେ ବଢ଼ୁଥିବା ମୁଦ୍ରାସ୍ଫୀତି, ସୁଧହାରରେ ପରିବର୍ତ୍ତନ ନେଇ ଆଶଙ୍କା ଏବଂ ଯୁଦ୍ଧ ବଜାରକୁ ପ୍ରଭାବିତ କରିଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଅଶୋଧିତ ତେଲ ଲଗାତାର ବୃଦ୍ଧି ହେଉଛି । ଯାହା ମୁଦ୍ରାସ୍ଫୀତି ଚାପ ବଢ଼ାଇଛି । ଫଳରେ ସୁଧହାର ହ୍ରାସ ହେବନି ବୋଲି ନିବେଶକ ଭାବୁଛନ୍ତି । ସେମାନେ ବିକଶିତ ବଜାର ଗୁଡିକର ଡେଟ୍ ଇନଷ୍ଟ୍ରୁମେଣ୍ଟରେ ନିବେଶ କରୁଛନ୍ତି । ସେହିଭଳି ଡଲାର ତୁଳନାରେ ଟଙ୍କା ମୂଲ୍ୟ ଲଗାତର ଦୁର୍ବଳ ହେବା ଯୋଗୁ ନିବେଶକଙ୍କ ଚିନ୍ତା ବଢ଼ିଛି । ଡଲାର ଦୃଷ୍ଟିକୋଣରୁ ସେମାନଙ୍କ ରିଟର୍ଣ୍ଣ ପ୍ରଭାବିତ ହୋଇଛି ।
ଜିଓଜିତ ଇନଭେଷ୍ଟମେଣ୍ଟର ମୁଖ୍ୟ ନିବେଶ ଷ୍ଟ୍ରାଟେଜିଷ୍ଟ ଭିକେ ବିଜୟ କୁମାର କହିଛନ୍ତି, ଟଙ୍କା ମୂଲ୍ୟ ହ୍ରାସ ହେବା ଏବଂ ଭାରତରେ ଆୟ ଅଭିବୃଦ୍ଧିକୁ ନେଇ ଚିନ୍ତା ଜାରି ରହିଛି । ଏହି କାରଣ ଗୁଡିକ ଯୋଗୁ ନିବେଶକ ବଜାରରୁ ପୁଞ୍ଜି ପ୍ରତ୍ୟାହାର ଜାରି ରଖିଛନ୍ତି । ଲଗାତାର ହେଉଥିବା ବିକ୍ରି ଶେୟାର ବିକ୍ରି ସର୍ତ୍ତ୍ବେ ମଧ୍ୟ ବିଦେଶୀ ନିବେଶକ ମାନେ ବଜାରରୁ ସମ୍ପୂର୍ଣ୍ଣ ଭାବେ ବାହାରକୁ ବାହାରି ନାହାନ୍ତି । ନିବେଶକମାନେ ଶକ୍ତି, ନିର୍ମାଣ, କ୍ୟାପିଟାଲ ଗୁଡ୍ସ ଭଳି ବଚ୍ଛାବଚ୍ଛା କ୍ଷେତ୍ରରେ ନିବେଶ କରୁଛନ୍ତି । ସେହିଭଳି ଉନ୍ନତ ଆୟ ପ୍ରଦାନ କରୁଥିବା ମିଡ୍ କ୍ୟାପ୍ ଏବଂ ସ୍ମଲ କ୍ୟାପ୍ ଫଣ୍ଡ ଗୁଡିକରେ ମଧ୍ୟ ନିବେଶ ଜାରି ରଖିଛନ୍ତି ।
ଅଧିକ ପଢ଼ନ୍ତୁ- ହୋର୍ମୁଜ୍ ସଙ୍କଟର ସମାଧାନ ଖୋଜିଲା ଭାରତ ! ବନ୍ଧୁ UAE ସହ ମିଶି ‘ଫୁଜୈରା ପୋର୍ଟ’ ନେଇ ବଡ଼ ଡିଲ୍ କରିବେ ପ୍ରଧାନମନ୍ତ୍ରୀ