ଭୁବନେଶ୍ୱର,୧୬/୦୫; କହି ବ୍ୟସ୍ତ ହୁଅନି । ଏବେ ଆମ ପାଖରେ ୧୩ ଦିନ ପାଇଁ ତେଲ ଷ୍ଟକ୍ ଅଛି । ଆମେ ଅନ୍ୟ ରାଜ୍ୟକୁ ତେଲ ଯୋଗାଉଛୁ, ଆମର ଅଭାବ ନାହିଁ । ଏହା କହିଛନ୍ତି, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଓଡ଼ିଶାରେ ପର୍ଯ୍ୟାପ୍ତ ପେଟ୍ରୋଲ, ଡିଜେଲ ମହଜୁଦ୍ ରହିଛି । ପାରାଦୀପ ରିଫାଇନାରୀରୁ ଅନ୍ୟ ରାଜ୍ୟକୁ ତେଲ ଯୋଗାଣ ହେଉଛି । କେତେକ ଟାଙ୍କିରେ ନିଜସ୍ୱ କାରଣରୁ ତେଲ ରଖିପାରିନାହାନ୍ତି । ଏହାକୁ ରାଜ୍ୟରେ ତେଲ ସଙ୍କଟ ବୋଲି କୁହାଯାଇପାରିବନି । ଜନସାଧାରଣ ବିନା କାରଣରେ ଆତଙ୍କିତ ଓ ବ୍ୟସ୍ତ ହୋଇ ତେଲ ଟାଙ୍କି ମୁହାଁ ହେଉଥିବାରୁ ଏଭଳି ସ୍ଥିତି ହୋଇଛି । ଏହା କହିଛନ୍ତି ଆଇଓସିଏଲର ସିଜିଏମ୍ କମଳ ସିଲ୍ । “ପର୍ଯ୍ୟାପ୍ତ ତୈଳ ମହଜୁଦ ଅଛି । କିଛି ସଙ୍କଟ ନାହିଁ ।” ତିନି ଦିନ ହେବ ଏଇ କଥାକୁ ଘୋଷି ହେଉଛନ୍ତି ରାଜ୍ୟ ଯୋଗାଣ ବିଭାଗ ଓ ତୈଳ କମ୍ପାନୀ । ଏଥର ଆସନ୍ତୁ ଦେଖିବା ବାସ୍ତବତା । ଆମ ରାଜ୍ୟରେ ଉଭୟ ସରକାରୀ ଓ ବେସରକାରୀ ତେଲ ଟାଙ୍କି ୨୮ ଶହରୁ ଅଧିକ ରହିଛି । ସମସ୍ତ ଜିଲ୍ଲାର ଆମ ପ୍ରତିନିଧିଙ୍କ ତଥ୍ୟ ଅନୁସାରେ ଶୁକ୍ରବାର ସନ୍ଧ୍ୟା ବେଳକୁ ୨୭୮ରୁ ଅଧିକ ଟାଙ୍କିରେ ନା ଥିଲା ପେଟ୍ରୋଲ ନା ଡିଜେଲ ।
କେଉଁଠି ‘ନୋ-ଷ୍ଟକ୍’ ବୋର୍ଡ ଝୁଲୁଥିଲା ତ ଆଉ କେଉଁଠି ଫାଟକ ବନ୍ଦ । ଏପରିକି ଖୋଦ୍ ରାଜଧାନୀରେ ଗୁରୁବାର ୮ଟି ବନ୍ଦ ଥିବା ବେଳେ ଶୁକ୍ରବାର ୩ଟି ବନ୍ଦ ରହିଛି । ସମଗ୍ର ରାଜ୍ୟରେ ପ୍ରାୟ ୭୬୦ରୁ ଅଧିକ ଟାଙ୍କି ଗୋଟିଏ ଓଳି ଖୋଲିଲେ ଗୋଟିଏ ଓଳି ବନ୍ଦ । ସେଥିରେ ପୁଣି କେଉଁଠି ପେଟ୍ରୋଲ ଥିଲେ ଡିଜେଲ ନାହିଁ, ଡିଜେଲ ଥିଲେ ପେଟ୍ରୋଲ ନାହିଁ । ୧୧ ଶହରୁ ଅଧିକ ଟାଙ୍କିରେ ତେଲ ମିଳୁଛି, କିନ୍ତୁ ବାଇକକୁ ୨/୩ ଶହ ଟଙ୍କାର, ଅନ୍ୟ ଗାଡ଼ିକୁ ଡିଜେଲ ହଜାରେ କି ଦେଢ଼ ହଜାର ଟଙ୍କାର । ରାଜ୍ୟର ମାତ୍ର ୫ କି ୬ ଶହ ଟାଙ୍କିରେ ଯଥେଷ୍ଟ ପରିମାଣର ତେଲ ଉପଲବ୍ଧ ହେଉଛି । ଏଥିରେ କିଛି ଟାଙ୍କି ଅଛି, ଯେଉଁମାନେ କି ଗୁରୁବାର ‘ନୋ ଷ୍ଟକ’ ଲେଖିଥିଲେ । କିନ୍ତୁ ଶୁକ୍ରବାର ସକାଳୁ ତେଲ ଦର ବଢ଼ିବା ଖବର ଆସିବା ମାତ୍ରେ ଯାହାକୁ ଯେତେ ତେଲ ଦରକାର ମିଳିଗଲା । ଏଭଳି ସ୍ଥିତିରେ ଗାଡ଼ି ଧରି ପେଟ୍ରୋଲ ପମ୍ପ୍ ଆଗରେ ଧାଡ଼ି ବାନ୍ଧିଛି ସାରା ଓଡ଼ିଶା । ରାତିଦିନ କସରତ୍ ଚାଲିଛି ଗାଡ଼ିରେ ତେଲ ପକାଇବା ପାଇଁ । ଧୁ ଧୁ ଖରାରେ ଘଣ୍ଟାଘଣ୍ଟା ସିଝିବାକୁ ପଡ଼ୁଛି । ଶୁକ୍ରବାର ଅନୁଗୁଳ ଓ ନୟାଗଡ଼ରେ ୪୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଲୋକ ଧାଡ଼ି ବାନ୍ଧିଥିଲେ । ରାଜଧାନୀରେ ୩୯ ଡିଗ୍ରୀ ତାପମାତ୍ରାରେ ତେଲ ଟିକେ ପାଇଁ ଲୋକେ ବିକଳ ହେଉଥିଲେ । ଅନେକ ଖରାରେ ବାଇକକୁ ଧାଡ଼ିରେ ରଖି ଦୂରରେ ଗଛ ଛାଇରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ରାତି ଉଜାଗର ହୋଇ ଏ ଟାଙ୍କି ସେ ଟାଙ୍କି ଚକ୍କର କାଟୁଛନ୍ତି ଲୋକେ । କିନ୍ତୁ ତୈଳ କମ୍ପାନି ଓ ଡିଲର୍ସ ସମସ୍ତେ ହାତ ଝାଡ଼ି ଦେଇ ଏକ୍ ସ୍ୱରରେ କହୁଛନ୍ତି, ଲୋକେ ହିଁ ଦାୟୀ । ଲୋକେ ଛାନିଆରେ ଅଧିକ ତେଲ କିଣିବାରୁ ସ୍ଥିତି ଏମିତି । ଅର୍ଥାତ୍-କାହାର କିଛି ଦୋଷ ନାହିଁ ! ସବୁ ଲୋକଙ୍କ ଦୋଷ !
କଟକ କାଠଯୋଡ଼ି ବ୍ରିଜ୍ ଉପରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଆମ୍ବୁଲାନ୍ସରୁ ତେଲ ସରିଯିବାରୁ କଟକ ଏସସିବିରୁ ଭୁବନେଶ୍ୱର ଆସୁଥିବା ରୋଗୀଙ୍କ ଜୀବନ ଚାଲିଗଲା । ଗାଁଠୁ ସହରରେ ଏବେ ଲୋକେ କାମଧନ୍ଦା ଛାଡ଼ି ତେଲ ପାଇଁ ଟାଙ୍କି ଚକ୍କର କାଟୁଛନ୍ତି । ବସ୍, ଟ୍ରକ, ଟ୍ୟାକ୍ସି, ଅଟୋ ସେବା ସ୍ଥିତି ଯାହା, ଦିନେ ଦୁଇଦିନରେ ତେଲ ଯୋଗାଣ ସ୍ୱାଭାବିକ ନ ହେଲେ ଜୀବନଯାତ୍ରା ସାଂଘାତିକ ଭାବେ ପ୍ରଭାବିତ ହେବ । ଜନସାଧାରଣଙ୍କ ଅଭିଯୋଗ ଯେ, ଏତେ ବଡ଼ ସଙ୍କଟକୁ କେମିତି ନିୟନ୍ତ୍ରଣ କରାଯିବ, ସେ ନେଇ କିଛି ଯୋଜନା ନାହିଁ । ନା ତୈଳ ଡିପୋରେ ଚଢ଼ଉ ହେଉଛି ନା ତେଲ ଟାଙ୍କି ଷ୍ଟକ ଯାଞ୍ଚ କରାଯାଉଛି । କଳାବଜାରୀକୁ ବି ଆଖି ବୁଜି ଦେଇଛନ୍ତି । ଗୋଟିଏ ପଟେ ଟାଙ୍କିରେ ‘ନୋ-ଷ୍ଟକ’ ଝୁଲୁଥିବା ବେଳେ ରାସ୍ତାକଡ଼ରେ ୧୪୦/୧୫୦ ଟଙ୍କା ଲିଟର ଦରରେ ପେଟ୍ରୋଲ ମିଳୁଛି । କୌଣସି ସ୍ଥାନରେ ଏସ୍ମା ମଧ୍ୟ ଲାଗୁ ହୋଇନାହିଁ । ଜାଣିଣୁଣି ଏଭଳି ସଙ୍କଟ ସୃଷ୍ଟି କରାଯାଇଛି । ଅଧିକାରୀମାନଙ୍କୁ ଦାୟିତ୍ୱହୀନ ମନ୍ତବ୍ୟ ଲୋକଙ୍କ ଯନ୍ତ୍ରଣାକୁ ଦୁଇଗୁଣା କରୁଛି ।
ଏହା ବି ପଢନ୍ତୁ...ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ଲାଗିବ ନିଆଁ, ଆଗକୁ ଆହୁରି ବଢ଼ିବ ଇନ୍ଧନ ଦର
ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ତୈଳ କମ୍ପାନି ସହ ବୈଠକ କରିବା ପରେ କହିଛନ୍ତି, କେବଳ ଲୋକଙ୍କ ଭିଡ଼ ଯୋଗୁଁ ୫୦ ପ୍ରତିଶତ ଚାହିଦା ବଢ଼ିଛି । ଲୋକଙ୍କୁ ନିବେଦନ ପାନିକ୍ ହୁଅନ୍ତୁ ନାହିଁ । ଜାରକିନ୍ ଆଣି ଟାଙ୍କିରେ ଭିଡ଼ କରନ୍ତୁ ନାହିଁ । ଘରେ ତେଲ ସଞ୍ଚୟ କରି ରଖନ୍ତୁ ନାହିଁ । ତୈଳ କମ୍ପାନି କର୍ତ୍ତୃପକ୍ଷ କହିଛନ୍ତି, ପର୍ଯ୍ୟାପ୍ତ ତେଲ ଅଛି । ୩୭% ଚାହିଦା ବଢ଼ିବା ପରେ ତୈଳ ଯୋଗାଣ ବଢ଼ାଯାଇଛି । କିଛି ସଙ୍କଟ ନାହିଁ । ଅନ୍ୟପଟେ ଉତ୍କଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି, ପୂର୍ବାପେକ୍ଷା ସ୍ଥିତିରେ ସୁଧାର ଆସିଛି । ଆସନ୍ତାକାଲି ଆଡ଼କୁ ସ୍ଥିତି ସ୍ୱାଭାବିକ ହୋଇପାରେ । କିନ୍ତୁ ଅନେକ ତେଲ ଟାଙ୍କି ମାଲିକଙ୍କ କହିବା କଥା ହେଲା, ଏଯାଏ ସରକାର ଡିଲର୍ସ ସଂଘ ସହ ଆଲୋଚନା କରିନାହାନ୍ତି । ଡିଲର୍ସ ସଂଘ ଓ ତୈଳ କମ୍ପାନି ଭିତରେ ଆଜି ବୈଠକ ହୋଇପାରେ । ବର୍ଦ୍ଧିତ ଚାହିଦା ଅନୁଯାୟୀ ତୈଳ କମ୍ପାନି ପେଟ୍ରୋଲ, ଡିଜେଲ ନ ଦେବା ପର୍ଯ୍ୟନ୍ତ ସ୍ଥିତି ସୁଧୁରିବ ନାହିଁ ।
ଖାଲି ସେତିକି ନୁହେଁ, ଟାଙ୍କିର ରିଅଲ ଟାଇମ୍ ତଥ୍ୟକୁ ନେଇ କମ୍ପାନି ତୈଳ ଯୋଗାଇବା ଦରକାର । ଏହା ହେଉନଥିବାରୁ ଥରେ ତେଲ ସରିଗଲେ, ଟାଙ୍କି ୪/୫ ଘଣ୍ଟା ବନ୍ଦ ରହୁଛି । ଅନ୍ୟପଟେ ବିଭିନ୍ନ ତେଲ ଟାଙ୍କିରେ ଦୁଇ ଚକିଆ ପାଇଁ ସର୍ବାଧିକ ୨ଶହ, ୩ଶହ ଟଙ୍କାର ପେଟ୍ରୋଲ ଓ ୪ ଚକିଆ ପାଇଁ ୫ଶହରୁ ୧ ହଜାର ଟଙ୍କାର କଟକଣା ବଳବତ୍ତର ରହିଛି । ଏଥିଯୋଗୁ ଲୋକେ ଅଧିକ ଛାନିଆ ହୋଇ ବିଭିନ୍ନ ଟାଙ୍କି ବୁଲିବୁଲି ତେଲ ଭର୍ତ୍ତି କରୁଛନ୍ତି । ଏସବୁ କଟକଣା ନେଇ ଯୋଗାଣ ବିଭାଗ ଏଯାଏ କିଛି ବି କରିନାହିଁ ।ବୁଧବାର ରାତି ସୁଦ୍ଧା ରାଜ୍ୟର ଅନେକ ଜିଲ୍ଲାରେ ସବୁ କିଛି ଆପାତତଃ ସ୍ୱାଭାବିକ ଥିବା ବେଳେ ଗୁରୁବାର ସକାଳୁ ଏଭଳି ସ୍ଥିତି ଅଚାନକ କାହିଁକି ହେଲା ? ଏହାର ଉତ୍ତର କାହାକୁ ଅଜଣା । ୪୮ ଘଣ୍ଟା ବିତିବାକୁ ବସିଥିଲେ ମଧ୍ୟ ପରିସ୍ଥିତିରେ ସୁଧାର ଦେଖା ନଯିବା ରାଜ୍ୟବାସୀଙ୍କୁ ବିସ୍ମିତ କରିଛି ।