ଗୋପବନ୍ଧୁ ନଗର, ୨୮/୫ : ମୟୂରଭଞ୍ଜ ଜିଲ୍ଲାର ଗୋପବନ୍ଧୁ ନଗର ବ୍ଲକ ଆରପଟା ମାଟିର ପିତା ଶରତ ନାୟକ ମାତା ସୁପ୍ରଭା ନାୟକଙ୍କ କନ୍ୟା ସ୍ମୃତି ସମ୍ପର୍ଣ୍ଣା ନାୟକ ଜାତୀୟ ସ୍ତରରେ ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି। ଗ୍ନେନମାର୍କ ଫାଉଣ୍ଡେସନ୍ ପକ୍ଷରୁ 'ମେରି ପୌଷ୍ଟିକ ରୋଷେଇ ସିଜିନ୍-୮' ପ୍ରତିଯୋଗିତାରେ ବିଜେତା ହୋଇ ସେ ମୟୂରଭଞ୍ଜ ଏବଂ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି।
ଆମ ରୁରାଲ ଓ ଗାଉଁଲି ଅଞ୍ଚଳର ପାରମ୍ପରିକ ଖାଦ୍ୟ ଯାହାକୁ ଲୋକମାନେ ଆଜି ସେତିକି ଗୌରବ ଦେଉନାହାନ୍ତି ତାକୁ ନେଇ ଆଧୁନିକ ଉପସ୍ଥାପନା ସହ ଜାତୀୟ ମଞ୍ଚରେ ପହଞ୍ଚାଇବାରେ ତାଙ୍କ ଏହି ସଫଳତା ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି। ମୁମ୍ବାଇରେ ଆୟୋଜିତ ଗ୍ରାଣ୍ଡ ଫାଇନାଲ୍ରେ ସ୍ମୃତି ନିଜର ପ୍ରତିଭା, ଉପସ୍ଥାପନା ଶୈଳୀ ଏବଂ ପୌଷ୍ଟିକ ଖାଦ୍ୟ ସମ୍ପର୍କିତ ଧାରଣା ଦ୍ୱାରା ଜୁରିମାନଙ୍କ ମନ ଜିତିଥିଲେ। ସେ ୫୦ ହଜାର ଟଙ୍କାର ଆର୍ଥିକ ରାଶିରେ ପୁରସ୍କୃତ ହୋଇଛନ୍ତି।
ଫାଇନାଲ୍ରେ ସେ “Forest Blossom Mahua Tart” (ମହୁଲ ଫୁଲ ) ନାମକ ଏକ ଅନନ୍ୟ ପୌଷ୍ଟିକ ରେସିପି ପ୍ରସ୍ତୁତ କରିଥିଲେ। ଏହି ରେସିପିର ମୁଖ୍ୟ ଆକର୍ଷଣ ଥିଲା ମୟୂରଭଞ୍ଜର ଟ୍ରାଇବାଲ୍ ଅଞ୍ଚଳର ମହୁଲ ଫୁଲର ବ୍ୟବହାର। ପାରମ୍ପରିକ ଗାଉଁଲି ଖାଦ୍ୟକୁ ଆଧୁନିକ ପ୍ଲେଟିଂ ଓ ନୂତନ ଧାରାରେ ଉପସ୍ଥାପନା କରି ସେ ଦେଖାଇଥିଲେ ଯେ ଗ୍ରାମୀଣ ଓ ପାରମ୍ପରିକ ଖାଦ୍ୟ ମଧ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିଜ ପରିଚୟ ସୃଷ୍ଟି କରିପାରିବ।
ଅଧିକ ପଢ଼ନ୍ତୁ :- IMD weather update : ମୌସୁମୀକୁ ନେଇ ଖରାପ ଖବର, ପାଣିପାଗ ବିଭାଗର ଚେତାବନୀ, ଏଲନିନୋ ପାଇଁ ଜୁନରେ ଭୟଙ୍କର ହିଟୱେଭ୍...
ଜୁରିମାନଙ୍କ ସମ୍ମୁଖରେ ସ୍ମୃତି ଏହି ଖାଦ୍ୟର ପୌଷ୍ଟିକ ଗୁଣ ଓ ଲାଭ ବିଷୟରେ ବିସ୍ତାରିତ ଭାବେ କହିଥିଲେ। ସେ କହିଥିଲେ ଯେ ମହୁଲ ଫୁଲରେ ପ୍ରାକୃତିକ ପୌଷ୍ଟିକତା ଥାଏ, ଯାହା ଶରୀରକୁ ଶକ୍ତି ଦେବା ସହ ପିଲାମାନଙ୍କ ପୌଷ୍ଟିକ ଅଭାବ (Malnutrition) ଦୂର କରିବାରେ ସହାୟକ ହୋଇପାରେ। ସ୍ଥାନୀୟ ଉପାଦାନ ବ୍ୟବହାର କରି ସୁସ୍ଥ ଓ ପୌଷ୍ଟିକ ଖାଦ୍ୟ କିପରି ତିଆରି ହୋଇପାରିବ, ସେ ବିଷୟରେ ମଧ୍ୟ ସେ ନିଜ ମତ ରଖିଥିଲେ।
ସ୍ମୃତିଙ୍କ ଏହି ସଫଳତା କେବଳ ତାଙ୍କର ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ମୟୂରଭଞ୍ଜର ସଂସ୍କୃତି, ଓଡ଼ିଶାର ପାରମ୍ପରିକ ପୌଷ୍ଟିକ ଖାଦ୍ୟ ଓ ଗ୍ରାମୀଣ ପ୍ରତିଭାର ଜୟ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।