କୋଲକାତା,୨୪।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବଧ ଧରଣର ପରାଜୟ ପରେ ଟିଏମ୍ସିରେ ଅସ୍ଥିରତା ଜାରି ରହିଛି। ପାର୍ଟିର ସାଂସଦ ଓ ଏକ ସମୟରେ ମମତାଙ୍କ ଘନିଷ୍ଠ ଥିବା କାକୋଳି ଘୋଷ ଦସ୍ତିଦାର ବାରାସାତ ଡିଷ୍ଟ୍ରିକ୍ଟ କମିଟିର ପ୍ରେସିଡେଣ୍ଟ ପଦରୁ ଇସ୍ତଫା ଦେଇଛନ୍ତି। ଗତ କିଛି ଦିନ ହେବ ମମତା କାକୋଳିଙ୍କୁ ଲୋକସଭାର ହ୍ବିପ୍ ପଦରୁ ହଟାଇ ଦେଇଥିଲେ ଓ କଲ୍ୟାଣ ବାନାର୍ଜୀଙ୍କୁ ପୁଣିଥରେ ଏହି ଦାୟିତ୍ବ ଦେଇଥିଲେ। ଏହାକୁ ନେଇ କାକୋଲି ଖୁବ୍ ଅସନ୍ତୁଷ୍ଟ ଥିଲେ। ଏହାପରେ କେନ୍ଦ୍ର ସରକାର କାକୋଲିଙ୍କୁ ସୁରକ୍ଷାକୁ ବଢାଇ ଦେଇଥିଲା ଓ ଓ୍ବାଇ କାଟାଗୋରି ସିକ୍ୟୁରିଟି ପ୍ରୋଭାଇଡ୍ କରିଥିଲେ। କାକୋଲିଙ୍କ ପଦ ଛାଡିବା ମମତା ବାନାର୍ଜୀଙ୍କ ପାଇଁ କୌଣସି ଝଟକାଠାରୁ କମ୍ ନୁହେଁ। କାରଣ ସେ ଦୀର୍ଘ ସମୟ ଧରି ଟିଏମସି ସହିତ ଜଡିତ ଥିଲେ। ତାଙ୍କୁ ମମତାଙ୍କ ଖୁବ୍ ଘନିଷ୍ଠ ବୋଲି ମଧ୍ୟ କୁହାଯାଏ।

କାକୋଲି ପତ୍ର ଲେଖି କହିଛନ୍ତି, ନିକଟରେ କିଛି ଦିନରେ ପଶ୍ଚିମବଙ୍ଗରେ କ୍ରାଇମ୍ ଓ କରପସନ୍ର କିଛି ବିପଦଜନକ ଘଟଣା ସାଧାରଣ ଲୋକଙ୍କ ମନରେ ସ୍ବାଭାବିକ ରୂପରେ ପ୍ରଶ୍ନ ଓ ଭୟ ସୃଷ୍ଟି କରିଥିଲା। ଡେମୋକ୍ରାସିକୁ ଆହୁରି ମଜବୁତ କରିବା ପାଇଁ ପଲିଟିକ୍ସରେ ସଫେଇ, ଆକାଉଣ୍ଟବିଲିଟି, ଦାୟିତ୍ବକୁ ଅଧିକ ମହତ୍ବ ଦେବା ଜରୁରୀ। ମୋ ମତରେ ସମାଜରେ ଭରସା ଓ ଏକ ହେଲଦି ପଲିଟିକାଲ କଲଚରକୁ ଆଇଡିୟାଲିଜମ୍ ଓ ମଣିଷତ୍ବର ରାଜନୀତିରେ ମଜବୁତ କରିହେବ।

ସେ ଆହୁରି କହିଛନ୍ତି, ଏହି ବିଧାନସଭା ନିର୍ବାଚନରେ ଜିଲ୍ଲାରେ ପାର୍ଟିର ଫଳାଫଳ ଆଶା ଅନୁଯାୟୀ ନାହିଁ। ଏହାର ନୈତିକ ଦାୟିତ୍ବ ନେଇ ମୁଁ ବାରାସାତ ଡିଷ୍ଟ୍ରିକ୍ଟ ପାର୍ଲିଆମେଣ୍ଟରୀ ପ୍ରେସିଡେଣ୍ଟର ଦାୟିତ୍ବକୁ ଇସ୍ତଫା ଦେଉଛି। ମମତା ବାନାର୍ଜୀଙ୍କୁ ଅପିଲ୍, କେବଳ ଆପଣ ପୂର୍ବ ଭଳି ବିଶ୍ବସ୍ତ ଏବଂ ସଚ୍ଚୋଟ ପୁରୁଣା କର୍ମୀଙ୍କ ସହ ଯଦି କାମ କରିବେ ତେବେ ଦଳ ନିହାତି ଚମକିବ।’

କାକୋଲି ନିର୍ବାଚନ ବେଳେ ଟିଏମ୍‌ସି ପାଇଁ ରଣନୀତି ପ୍ରସ୍ତୁତ କରିଥିବା ଆଇପ୍ୟାକ୍ ସଂସ୍ଥାକୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ମୋତେ ଲାଗୁଛି ଯେଉଁଭଳି ଏହି ସଂଗଠନ କାମ କରୁଛି ଓ ଆମ ସହ ର୍ଦୁବ୍ୟବହାର କରିଛି, ଏହା କାମ କରିବାର ଠିକ୍ ପଦ୍ଧତି ନୁହେଁ। ଉଲ୍ଲେଖନୀୟ ଯେ, କେନ୍ଦ୍ର ସରକାର ଟିଏମସି ସାଂସଦ କାକୋଲି ଘୋଷଙ୍କୁ ଗତ ୧୯ ରେ ଓ୍ବାଇପ୍ଲାସ ସୁରକ୍ଷା ପ୍ରଦାନ କରିଛନ୍ତି।