କଟକ/ବାରଙ୍ଗ, ୦୭/୦୬: କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍ଙ୍କ ମୃତଦେହ ମିଳିବା ଘଟଣାରେ ଏବେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ମୃତଦେହ ମିଳିବା ଖବର ୪ ତାରିଖ ସକାଳୁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଓଏଏସ୍ ତାଲିମ ନେଉଥିବା ଚନ୍ଦ୍ରିକାଙ୍କ ପ୍ରେମିକ ହଠାତ୍ କେଉଁଆଡ଼େ ପଳାଇଛନ୍ତି । ସେ ଭୁବନେଶ୍ୱରରେ ରହି ଓଏଏସ୍ ତାଲିମ ନେଉଥିଲେ । ମାମଲା ରୁଜୁ ପରେ ବାରଙ୍ଗ ଥାନା ପୁଲିସ ଉକ୍ତ ତାଲିମ୍ ସେଣ୍ଟର୍କୁ ଯାଇ ଖୋଜାଖୋଜି କରିଥିଲା । ମାତ୍ର ସେଠାରୁ ପ୍ରେମିକଙ୍କୁ ନପାଇ ଖାଲିହାତରେ ଫେରିଛି । ତାଙ୍କ ଫୋନ୍ ବନ୍ଦ ରହିଛି ।
ଚନ୍ଦ୍ରିକାଙ୍କ ମା’ ହୀରାମଣି ହାଂସଦାଙ୍କ ଏତଲା ପରେ ବାରଙ୍ଗ ଥାନା ପୁଲିସ ବିଏନ୍ଏସ୍ର ଧାରା ୧୦୮ରେ ମାମଲା ରୁଜୁ କରିଛି । ଏହା ଜାମିନ ବିହୀନ ଧର୍ତ୍ତବ୍ୟ ଅପରାଧ ଶ୍ରେଣୀର ଓ ଏଥିରେ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ଓ ଜରିମାନାର ବ୍ୟବସ୍ଥା ରହିଛି । ବିନା ୱାରେଣ୍ଟ୍ରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରିବ । ଅନ୍ୟପଟେ ପୁଲିସ ଆଉ ଏକ ବିଷୟ ଜାଣିବାକୁ ପାଇଛି । ଓଏଏସ୍ ତାଲିମ୍ ନେଉଥିବା ଚନ୍ଦ୍ରିକାଙ୍କ ପ୍ରେମିକ ଅନ୍ୟ ଜଣେ ଝିଅର ପ୍ରେମରେ ପଡ଼ିଥିଲେ । ଉକ୍ତ ଝିଅ ପ୍ରଶାସନିକ ସେବାର ତାଲିମ ନେଉଛନ୍ତି । ତାଙ୍କ ଘର ଭୁବନେଶ୍ୱର । ସେହି ଝିଅଙ୍କ ରଙ୍ଗ ଗୋରା ଓ ଚନ୍ଦ୍ରିକାଙ୍କ ରଙ୍ଗ ଶ୍ୟାମଳ ଥିଲା । ତେଣୁ ପ୍ରେମିକ ଚନ୍ଦ୍ରିକାଙ୍କୁ ଅଣଦେଖା କରୁଥିଲେ । କଥା ଆଳରେ ପ୍ରେମିକ ଏକାଧିକ ବାର ଚନ୍ଦ୍ରିକାଙ୍କ ରଙ୍ଗକୁ ନେଇ ତାଙ୍କୁ ଟିପ୍ପଣୀ କରିଥିଲେ । ଚନ୍ଦ୍ରିକା ମଧ୍ୟ ଖୋଳତାଡ଼ କରି ଜାଣିବାକୁ ପାଇଲେ ଯେ, ତାଙ୍କ ପ୍ରେମିକ ଯେଉଁ ଝିଅ ପଛରେ ପଡ଼ିଛି ସେ ସଫା ବର୍ଣ୍ଣର । ତେଣୁ ସେ ନିଜର ବର୍ଣ୍ଣ ସଫା କରିବା ପାଇଁ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହେଉଥିଲେ ।
ଭୁବନେଶ୍ୱର ଜୟଦେବ ବିହାର-ନୟାପଲ୍ଲୀ ଅଞ୍ଚଳରେ ଥିବା ଜଣେ ପ୍ରତିଷ୍ଠିତ ଚର୍ମରୋଗ ବିଭାଗର ଡାକ୍ତରଙ୍କ ପାଖରେ ଗତ ଅକ୍ଟୋବର ମାସ ୧୩ ତାରିଖରେ ଚିକିତ୍ସା ଆରମ୍ଭ କରିଥିଲେ । ଚିକିତ୍ସକ ଏକାଧିକ ଔଷଧ ଓ କସ୍ମେଟିକ୍ କ୍ରିମ୍ ବ୍ୟବହାର କରିବାକୁ ଦେଇଥିଲେ । ଏହା ପରଠୁ ଚନ୍ଦ୍ରିକା ଭୁବନେଶ୍ୱରକୁ ଏକାଧିକ ଥର ଆସିଥିଲେ । ଗତ ୪ ତାରିଖରେ ମୃତଦେହ ନଦୀରୁ ମିଳିବା ବେଳେ ବ୍ରିଜ୍ ଉପରେ ଏକ ବ୍ୟାଗ୍ ମିଳିଥିଲା । ଉକ୍ତ ବ୍ୟାଗ୍ରୁ ବାରଙ୍ଗ ଥାନା ପୁଲିସ ଏକାଧିକ ଡାକ୍ତରୀ ଚିଠା ଓ ମାଳମାଳ କସ୍ମେଟିକ୍ ତଥା ଔଷଧୀୟ କ୍ରିମ୍ ଦେଖିବାକୁ ପାଇଥିଲା । ଏହିସବୁ ଡାକ୍ତରୀ ଚିଠା ଭୁବନେଶ୍ୱରର ଉକ୍ତ ଚର୍ମରୋଗ ବିଭାଗର ଡାକ୍ତରଙ୍କର ବୋଲି ତଦନ୍ତ ବେଳେ ଜଣାପଡ଼ିଛି । ସେଠାକୁ ବାରଙ୍ଗ ଥାନାର ଏକ ଟିମ୍ ଯାଇ ପ୍ରାଥମିକ ତଦନ୍ତ କରି ଫେରି ଆସିିଛି ।
ଚନ୍ଦ୍ରିକାଙ୍କ ପରିବାରକୁ ଭେଟିଲେ ଉଦଳା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାସ୍କର ମଢେଇ। ତାଙ୍କ ମା ଏବଂ ବାପାଙ୍କ ସହିତ ଆଲୋଚନା କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ପୋଲିସ ଡିଜି ଙ୍କ ସହିତ ଆଲୋଚନା କରିବା ସହିତ ତଦନ୍ତ କିପରି ଶୀଘ୍ର କରାଯାଇ ଦୋଷୀକୁ ଚିହ୍ନଟ କରାଯିବ ଏବଂ ସନ୍ଦେହ ଘେରକୁ ଆସିଥିବା ପୁରୁଷ ବନ୍ଧୁଙ୍କୁ ତଦନ୍ତ ପରିସର ଭୁକ୍ତ କରାଯିବ ସେ ଦିଗରେ ବିଧାୟକ ପଦକ୍ଷେପ ନେବେ ବୋଲି ପରିବାର ସଦସ୍ୟଙ୍କୁ କହିଛନ୍ତି। କାଠଯୋଡି ପୋଲ ରୁ ଡେଇଁ ଆତ୍ମହତ୍ୟା କରିବା ଗ୍ରହଣୀୟ ହେଉ ନ ଥିବା ବେଳେ ନିରପେକ୍ଷ ତଦନ୍ତ କରାଯିବ ବୋଲି କହିଛନ୍ତି ବିଧାୟକ।
ଅଧିକ ପଢ଼ନ୍ତୁ :- କାଠଯୋଡ଼ିରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣା: ୧୫ ବର୍ଷ ପ୍ରେମ ସମ୍ପର୍କ ପରେ ହଠାତ୍ ଫାଟ, ମୃତ୍ୟୁ ପଛରେ ତ୍ରିକୋଣୀୟ ପ୍ରେମ
ସୂଚନାଯୋଗ୍ୟ, ଗତ ୪ତାରିଖ ସକାଳେ ନେତାଜୀ ସୁଭାଷ ସେତୁ ତଳୁ ବାରଙ୍ଗ ଥାନା ପୁଲିସ ଚନ୍ଦ୍ରିକାଙ୍କ ମୃତଦେହ ଜବତ କରିଥିଲା । ଚନ୍ଦ୍ରିକାଙ୍କ ଘର ମୟୂରଭଞ୍ଜ ଓ ସେ ବାଲେଶ୍ୱର ମେଡ଼ିକାଲ୍ କଲେଜରେ ଏମ୍ବିବିଏସ୍ ପଢ଼ୁଥିଲେ । ମୃତଦେହ ମିଳିବା ପରେ ପରିବାର ଏହି ମୃତ୍ୟୁ ପାଇଁ ଚନ୍ଦ୍ରିକାଙ୍କ ପ୍ରେମିକ ଓ ପ୍ରେମିକଙ୍କ ଝିଅ ସାଙ୍ଗକୁ ଦାୟୀ କରି ବାରଙ୍ଗ ଥାନାରେ ଏତଲା ଦେଇଥିଲେ ।