କଟକ/ ବାରଙ୍ଗ ୦୬/୦୬: ପ୍ରାୟ ୧୫ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା । ସବୁକିଛି ଠିକ୍‌ଠାକ୍ ଚାଲିଥିଲା । ଆସନ୍ତା ବର୍ଷ ଡିସେମ୍ବରରେ ବାହାଘର ହୋଇଥାନ୍ତା । ହେଲେ ଅନ୍ୟ ଜଣେ ଯୁବତୀ ପଶି ସବୁ ବିଭ୍ରାଟ କଲେ । ସମ୍ପର୍କରେ ଫାଟ ସୃଷ୍ଟି ହେଲା । ଏପରିକି ଆମ ଝିଅ ସହିତ ତା’ର ପ୍ରେମିକ ପ୍ରତାରଣା କଲା । ଶେଷରେ ଝିଅର ଜୀବନ ଚାଲିଗଲା । ଆମ ଝିଅର ଏହି ମୃତ୍ୟୁ ପାଇଁ ତା’ର ପ୍ରେମିକ ଓ ତା’ର ଜଣେ ଝିଅ ସାଙ୍ଗ ଦାୟୀ ।-କାଠଯୋଡ଼ିରୁ ମୟୂରଭଞ୍ଜର ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍‌ଙ୍କ ମୃତଦେହ ମିଳିବା ପରେ ବାରଙ୍ଗ ଥାନାରେ ଏହି ଅଭିଯୋଗ କରିଛନ୍ତି ତାଙ୍କର ମା’ ହୀରାମଣି ହାଂସଦା ।

ଯଦିଓ ସେ ଏତଲାରେ ସିଧାସଳଖ ହତ୍ୟା ବିଷୟରେ ଉଲ୍ଲେଖ କରିନାହାନ୍ତି । ମାତ୍ର ଗଣମାଧ୍ୟମକୁ ଦେଇଥିବା ବୟାନରେ କହିଛନ୍ତି, କିଛିଦିନ ହେବ ପ୍ରେମିକ ନିର୍ଯାତନା ଦେଉଥିଲା। ଏଥିରେ ପ୍ରେମିକର ଝିଅ ସାଙ୍ଗ ମଧ୍ୟ ସାମିଲ ଥିଲା । ଶେଷରେ ଦୁହେଁ ହତ୍ୟା କରି ନଦୀରେ ଫିଙ୍ଗିଦେଇଥିବା ମା’ ହୀରାମଣି ଅଭିଯୋଗ କରିଛନ୍ତି । ଥାନାରେ ହୋଇଥିବା ଅଭିଯୋଗ ପରେ ମାମଲା ରୁଜୁ କରାଯାଇଛି ବୋଲି କଟକ ଡିସିପି ଖିଲାରୀ ରିଷିକେଶ ଦ୍ୟାନ୍ଦେଓ ସୂଚନା ଦେଇଛନ୍ତି । ଗତକାଲି ମୃତଦେହ ବ୍ୟବଚ୍ଛେଦ ପରେ ବାରଙ୍ଗ ପୁଲିସ ପରିବାର ଜିମା ଦେଇଥିଲା । ଏହାପରେ ପ୍ରାୟ ମଧ୍ୟରାତିରେ ବାରଙ୍ଗ ଥାନାକୁ ଚନ୍ଦ୍ରିକାଙ୍କ ପରିବାର ଯାଇଥିଲେ । ସେଠାରେ ମା’ ହୀରାମଣି ଏତଲା ଦେଇଥିଲେ ।

 

ଅଭିଯୋଗ ଅନୁସାରେ, ଦୀର୍ଘ ୧୫ ବର୍ଷ ତଳେ ମୟୂରଭଞ୍ଜ ବେତନଟି ଅଞ୍ଚଳରେ ଥିବା ଏକ ନବୋଦୟ ବିଦ୍ୟାଳୟରେ ଚନ୍ଦ୍ରିକା ପଢ଼ୁଥିବା ବେଳେ ବଡ଼ସାହି ଥାନା ଅନ୍ତର୍ଗତ ସାଙ୍କୁଚା ଗାଁର ଜଣେ ସହପାଠୀଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଉଭୟ ପରିବାର ଏହା ଜାଣିଥିଲେ । ଚନ୍ଦ୍ରିକା ବାଲେଶ୍ୱର ମେଡିକାଲ୍ କଲେଜରେ ଡାକ୍ତରୀ ପଢ଼ୁଥିଲେ । ତାଙ୍କ ପ୍ରେମିକ ବି ସେଠାରେ ପଢ଼ୁଥିଲେ ।

ଡାକ୍ତରୀ ପଢ଼ିବା ସହିତ ଚନ୍ଦ୍ରିକାଙ୍କ ପ୍ରେମିକ ଓଏଏସ୍ ପାଇଁ ପ୍ରସ୍ତୁତି କରୁଥିଲେ । ଗତବର୍ଷ ସେ ଓଏଏସ୍ କୃତକାର୍ଯ୍ୟ ହେବା ପରେ ଡାକ୍ତରୀ ପଢ଼ା ଛାଡ଼ି ତାଲିମ ନେବାକୁ ଚାଲିଆସିଲେ । ତାଲିମ ନେବା ବେଳେ ଚନ୍ଦ୍ରିକାଙ୍କ ପ୍ରେମିକ ଜୀବନରେ ଅନ୍ୟ ଜଣେ ଝିଅ ଆସିଥିଲା । ଦୁହେଁ ସାଙ୍ଗ ହୋଇ ଓଏଏସ୍ ତାଲିମ ନେଉଥିବାରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା । ଆଉ ଏହି ତ୍ରିକୋଣୀୟ ପ୍ରେମ ଫଳରେ ପ୍ରେମିକ ଚନ୍ଦ୍ରି କାଙ୍କଠାରୁ ଦୂରେଇବାକୁ ଲାଗିଲେ । ଏହାକୁ ନେଇ ଚନ୍ଦ୍ରିକା ଓ ତାଙ୍କ ପ୍ରେମିକଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ଏପରିକି ଚନ୍ଦ୍ରିକାଙ୍କୁ ତାଙ୍କ ପ୍ରେମିକ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ଏହାକୁ ନେଇ ଚନ୍ଦ୍ରିକା ମାନସିକ ଅବସାଦରେ ରହୁଥିଲେ । ବୁଧବାର ସେ ଭୁବନେଶ୍ୱର ତାଙ୍କ ଭଉଣୀଙ୍କ ଘରକୁ ଆସିଥିଲେ । ସେଠାରୁ ଫେରିବା ପରେ ହଠାତ୍ ମୋବାଇଲ୍ ବନ୍ଦ ହୋଇଯାଇଥିଲା ।

ଅଧିକ ପଢ଼ନ୍ତୁ :- Minor sold Jhansi : ଝାନ୍ସୀରେ ନାବାଳିକାଙ୍କୁ ବିକ୍ରି ମାମଲା, ଝାନ୍ସୀରୁ ଚନ୍ଦ୍ରପାଳକୁ ଉଠାଇ ଆଣିଲା ପୁଲିସ୍, ପୀଡ଼ିତାଙ୍କୁ ହେପାଜତ୍କୁ ନେଲା ସିଡବ୍ଲୁସି

ଗୁରୁବାର ସକାଳୁ ବାରଙ୍ଗ ଥାନା ପୁଲିସ ଖବର ଦେଲାକି ଚନ୍ଦ୍ରିକାର ମୃତଦେହ କାଠଯୋଡ଼ି ନଦୀରୁ ମିଳିଛି । ପୁଲିସ ବିଏନ୍ଏସ୍‌ର ଧାରା ୧୦୮(ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା) ଏକ ମାମଲା ରୁଜୁ କରି ଚନ୍ଦ୍ରିକାଙ୍କର ମୋବାଇଲ୍ କଲ୍ ରେକର୍ଡ, ସୋସିଆଲ୍ ମିଡିଆ ପୋଷ୍ଟ୍ ଓ ହ୍ୱାଟସ୍ ଆପ୍ ଚାଟ୍‌କ ଯାଞ୍ଚ୍ କରୁଥିବା କଟକ ଡିସିପି ସୂଚନା ଦେଇଛନ୍ତି । ବୁଧବାର ରାତିରେ ଫୋନ୍ ବନ୍ଦ ହେବା ପୂର୍ବରୁ ଶେଷ କିଛି କଲ୍ ତାଙ୍କ ସମ୍ପର୍କୀୟ, ପରିବାର ଲୋକ ଏପରିକି ତାଙ୍କ ପ୍ରେମିକଙ୍କୁ କରିଥିବା କୁହାଯାଉଛି ।