ବ୍ରହ୍ମପୁର, ୧୭/୦୨: ବିନା ଅପରେସନ୍ରେ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରୁ ଜେଲ୍ ଫେରିଛନ୍ତି ପୀତବାସ ପଣ୍ଡା ହତ୍ୟା ଘଟଣାର ଅଭିଯୁକ୍ତ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା । ମଙ୍ଗଳବାର ମଧ୍ୟାହ୍ନରେ ତାଙ୍କୁ ଡିସ୍ଚାର୍ଜ ଦିଆଯିବା ପରେ ପୁଲିସ ଏସ୍କର୍ଟ ତାଙ୍କୁ ଜେଲ୍ରେ ନେଇ ଛାଡିଥିଲା । ଡିସଚାର୍ଜ କରାଯାଉଥିବା ସୂଚନା ପାଇବା ପରେ ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚିଥିଲେ । ପୁଲିସ ଏସକର୍ଟ ଟିମ୍ର ଦାୟିତ୍ୱରେ ଥିବା ଡିଏସ୍ପି ସ୍ମୃତିପ୍ରଭା ପ୍ରଧାନଙ୍କୁ କୁଆଡେ ନିଆଯାଉଛି ବୋଲି ସେମାନେ ପଚାରିଥିଲେ । ସେତେବେଳେ ସେ କହିଥିଲେ ଯେ, ଡାକ୍ତର ଡିସଚାର୍ଜ ଦେଇଛନ୍ତି । ତେଣୁ ତାଙ୍କୁ ଜେଲ୍କୁ ନିଆଯାଉଛି । କିନ୍ତୁ ବିକ୍ରମ ପଣ୍ଡା ସେତେବେଳେ ଡିସ୍ଚାର୍ଜ ସମ୍ପର୍କରେ କିଛି ଜାଣିନାହାନ୍ତି ବୋଲି କହିଥିଲେ । ସେ କହିଥିଲେ ଯେ, ପୁଲିସ ତାଙ୍କୁ ତଳକୁ ନିଆଯାଉଛି ବୋଲି କହି ଆଣିଥିଲା । ଏବେ ପରିବାର ଲୋକ ଆସିବାରୁ ଡିସଚାର୍ଜ ସମ୍ପର୍କରେ ଅବଗତ କରାଗଲା । ଅପରେସନ୍ ନକରି ଡିସଚାର୍ଜକୁ ନେଇ ପରିବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ବିକ୍ରମଙ୍କ ଶରୀରରେ ପାଇଲସ୍, ଗଲ୍ ବ୍ଲାଡର୍ ଷ୍ଟୋନ୍ ସହିତ ପ୍ରୋଷ୍ଟେଟୋମୋଗାଲି ଭଳି ରୋଗ ଚିହ୍ନଟ ହୋଇଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଥିଲେ । ଅଧୀକ୍ଷକ ଦୁର୍ଗାମାଧବ ଶତପଥି ପୂର୍ବାହ୍ନରେ ବିକ୍ରମଙ୍କ ଅସ୍ତ୍ରୋପଚାର ଆବଶ୍ୟକ ଥିବା ପ୍ରକାଶ କରିଥିଲେ । ତେବେ ସେ ଏଥିପାଇଁ ସହମତି ଦେଇନଥିଲେ । ଡିସ୍ଚାର୍ଜ କରିବା ପରେ ଅସ୍ତ୍ରୋପଚାର ପାଇଁ କହିଥିଲେ ବୋଲି ଅଧୀକ୍ଷକ କହିଛନ୍ତି । ଅସ୍ତ୍ରୋପଚାର ପାଇଁ ବିକ୍ରମ ରାଜି ଥିବା କହୁଥିବାବେଳେ ଅଧୀକ୍ଷକ ପ୍ରଫେସର ଶତପଥି କିନ୍ତୁ ମନା କରୁଛନ୍ତି । ବିକ୍ରମଙ୍କ ପେଟ ଯନ୍ତ୍ରଣା ଓ ଝାଡ଼ାରେ ରକ୍ତ ପଡିବା ସମସ୍ୟା ନେଇ ଏମ୍କେସିଜିରେ ଭର୍ତ୍ତି ହୋଇଥିଲା । ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବାକୁ ୭ଜଣିଆ ଟିମ୍ କରାଯାଇଥିବା ବେଳେ ସେମାନେ ପ୍ରତିଦିନ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲେ । ସେହି ଟିମ୍ ପରାମର୍ଶ ପ୍ରକାରେ ବିକ୍ରମଙ୍କ ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ହୋଇଥିଲା ।
ବିକ୍ରମଙ୍କ ଓକିଲ ଦୀପକ କୁମାର ପଟ୍ଟନାୟକ କହିଛନ୍ତି ଯେ, ଜବରଦସ୍ତ ତାଙ୍କୁ ଡିସଚାର୍ଜ କରାଯାଇଛି । ଗତ ୧୦ ତାରିଖରୁ ବିକ୍ରମ ପଣ୍ଡା ଏମ୍କେ ସିଜିରେ ଚିକିତ୍ସିତ ହେଉଥିଲେ ।ସର୍ଜରୀ ହେବାର ଥିଲା । କିନ୍ତୁ ତାଙ୍କୁ ଡିସଚାର୍ଜ କରାଯାଇଛି । ସେ ଜଣେ ପୂର୍ବତନ ବିଧାୟକ । ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ । କାହା ନିର୍ଦ୍ଦେଶରେ ଡାକ୍ତର ତାଙ୍କୁ ଡିସଚାର୍ଜ କରିଛନ୍ତି ତାହା ତଦନ୍ତ ସାପେକ୍ଷ । ମୁଖ୍ୟମନ୍ତ୍ରୀ ଗୁରୁତ୍ୱର ସହ ଏହାକୁ ଚିନ୍ତା କରନ୍ତୁ । ଜଣେ ରୋଗୀକୁ ହସ୍ପିଟାଲରୁ ଜୋରଜବରଦସ୍ତ ଭାବେ ଉଠାଇ ନିଆଯାଉଛି ତାହାର ଏକ ତଦନ୍ତ କରାଯାଉ । ଯଦି ବିକ୍ରମଙ୍କ ଜେଲ୍ ଭିତରେ କିଛି ହୋଇଗଲା ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଆଇନଜୀବୀ ପଟ୍ଟନାୟକ କହିଛନ୍ତି ।