ଭୁବନେଶ୍ଵର : କରୋନା ମହାମାରୀ ପରେ ଅଧିକାଂଶ ଲୋକ ଇମ୍ୟୁନିଟି ବୁଷ୍ଟ କରିବାକୁ ଆଗ୍ରହୀ । ସେଥିପାଇଁ ବଜାରରେ ଭିଟାମିନ୍‌-ସି, ଭିଟାମିନ୍‌-ଡି, ଜିଙ୍କ୍‌, ମଲ୍ଟିଭିଟାମିନ୍‌ ଓ ଅନ୍ୟ କେତେକ ହର୍ବାଲ ସପ୍ଲିମେଣ୍ଟ ମିଳିବାରେ ଲାଗିଛି। କିଛି ଲୋକଙ୍କ ଧାରଣା ରହିଛି ଯେ ସପ୍ଲିମେଣ୍ଟ୍‌ ଖାଇବା ଦ୍ୱାରା ରାତାରାତି ରୋଗ ପ୍ରତିରୋଧକ ଶକ୍ତି ବଢିଯିବ । ତେବେ ଏହା କ'ଣ ସତ? ଡାକ୍ତରଙ୍କ ମତରେ ସପ୍ଲିମେଣ୍ଟ୍‌ କେବଳ ପୋଷକ ତତ୍ତ୍ୱର ଅଭାବକୁ ଦୂର କରିଥାଏ । ସିଧାସଳଖ ଭାବେ ଇମ୍ୟୁନିଟି ବଢାଇ ନଥାଏ । ଏସିଆନ୍‌ ହସ୍ପିଟାଲ୍‌ର ଇଣ୍ଟରନାଲ୍‌ ମେଡିସିନ୍‌ର ଆସୋସିଏଟ୍‌ ଡାଇରେକ୍ଟର୍‌ ତଥା ମୁଖ୍ୟ ଡାକ୍ତର ସୁନୀଲ ରଣାଙ୍କ ମତରେ ଇମ୍ୟୁନିଟି କୌଣସି ବିଦ୍ୟୁତ ନୁହେଁ ଯେ ଏହାର ବଣ୍ଟନ ହେବ । ସପ୍ଲିମେଣ୍ଟ ଖାଇବା ଦ୍ୱାରା ହଠାତ୍‌ ଇମ୍ୟୁନିଟି ଅନ୍‌ ହୋଇଯିବ । ଏହା ଶରୀରର ସବୁଠାରୁ ବଡ଼ କମ୍ପେ୍ଲକ୍ସ ବ୍ୟବସ୍ଥା, ଯାହା ଆମର ଖାଦ୍ୟପାନୀୟ, ନିଦ, ବ୍ୟାୟାମ ଓ ଶାନ୍ତି ପରି ବିଭିନ୍ନ ଦିଗ ଉପରେ ନିର୍ଭର କରିଥାଏ । 

ସପ୍ଲିମେଣ୍ଟ ଇମ୍ୟୁନିଟି ବଢାଏ କି ? 
ଡାକ୍ତର ସୁନୀଲଙ୍କ ଅନୁସାରେ ସପ୍ଲିମେଣ୍ଟ୍‌ର ପ୍ରକୃତ କାମ ହେଉଛି ଶରୀରରେ ଥିବା ପୋଷାକ ତତ୍ତ୍ୱର ଅଭାବକୁ ଦୂର କରିବା । ଏହା ସିଧାସଳଖ ଭାବେ ଇମ୍ୟୁନିଟି ବଢାଏନି । ଯଦି ଶରୀରରେ ଭିଟାମିନ୍‌ଡି' ବା ବି-୧୨ର ଅଭାବ ରହିଥାଏ, ତେବେ ସପ୍ଲିମେଣ୍ଟ ଇମ୍ୟୁନିଟିକୁ ବଢାଇବାରେ ସହାୟତା କରିଥାଏ । କିନ୍ତୁ ଯଦି ଶରୀରରେ ପୋଷଣର ଅଭାବ ନଥାଏ, ତେବେ ବିନା କାରଣରେ କୌଣସି ଔଷଧ ଖାଇବା ଅନାବଶ୍ୟକ । 

ଅଚାନକ୍‌ କାହିଁକି ବଢିଛି ଚାହିଦା ? 
ଏହି ଔଷଧର ଚାହିଦା ବଢିବା ପଛରେ କେତେକ କାରଣ ରହିଛି । ଯେପରିକି- 
-ମହାମାରୀ ପରେ ଲୋକମାନେ ନିଜ ସ୍ୱାସ୍ଥ୍ୟକୁ ନେଇ ଅଧିକ ସତର୍କ ହୋଇଛନ୍ତି । 
-ସୋସିଆଲ୍‌ ମିଡିଆ ଓ ବିଜ୍ଞାପନର ପ୍ରଭାବ 
-ବିନା ପରିଶ୍ରମରେ ସ୍ୱାସ୍ଥ୍ୟ ସୁଧାରିବାର ଆଗ୍ରହ 

ଅଧିକ ସପ୍ଲିମେଣ୍ଟ ନେବା କ୍ଷତିକାରକ 
କିଛି ଲୋକଙ୍କ ଧାରଣା ରହିଛି ଯେ ଅଧିକ ସପ୍ଲିମେଣ୍ଟ ନେବା ଦ୍ୱାରା ଅଧିକ ଲାଭ ମିଳିଥାଏ । କିନ୍ତୁ ଡାକ୍ତରଙ୍କ ମତରେ ଏହା ସମ୍ଫୂର୍ଣ୍ଣ ଭୁଲ୍‌ । ଆବଶ୍ୟକଠାରୁ ଅଧିକ ସପ୍ଲିମେଣ୍ଟ୍‌ ନେବା ଦ୍ୱାରା ଶରୀର ଉପରେ କୁପ୍ରଭାବ ପଡିପାରେ । ଉଦାହରଣସ୍ୱରୂପ, ଅଧିକ ଭିଟାମିନ୍‌-ଡି ନେବା ଦ୍ୱାରା କିଡ୍‌ନୀ ଉପରେ ଖରାପ ପ୍ରଭାବ ପଡିଥାଏ । ସେହିପରି ଅଧିକ ଜିଙ୍କ୍‌ ନେବା ଦ୍ୱାରା ପାଚନତନ୍ତ୍ରରେ ସମସ୍ୟା ହୋଇଥାଏ । ଅଧିକ ମଲ୍ଟିଭିଟାମିନ୍‌ ନେବା ଦ୍ୱାରା ଶରୀରର ପ୍ରାକୃତିକ ସନ୍ତୁଳନ ବିଗିଡି ଯାଏ । 

ଇମ୍ୟୁନିଟିକୁ ମଜଭୁତ କରିବାର ଶୈଳୀ 
ଡାକ୍ତର ସ୍ପଷ୍ଟ କରିଛନ୍ତି, ମଜଭୁତ ଇମ୍ୟୁନିଟି ପାଇଁ ଜୀବନଶୈଳୀ ହିଁ ସବୁଠାରୁ ବଡ଼ ଅସ୍ତ୍ର । 
ସନ୍ତୁଳିତ ଆହାର: ଭୋଜନରେ ସତେଜ ଫଳ, ପନିପରିବା, ପ୍ରୋଟିନ୍‌ ଓ ସ୍ୱାସ୍ଥ୍ୟକର ଫ୍ୟାଟ୍‌ ସାମିଲ୍‌ କରନ୍ତୁ । 
ଶାନ୍ତିରେ ଶୁଅନ୍ତୁ: ନିୟମିତ ୭/୮ ଘଣ୍ଟା ଶାନ୍ତିରେ ଶୁଅନ୍ତୁ । 
ବ୍ୟାୟାମ କରନ୍ତୁ: ନିୟମିତ ଦିନରେ ୩୦ ମିନିଟ୍‌ ଯାଏ ବ୍ୟାୟାମ କରନ୍ତୁ । 
ଚିନ୍ତାରୁ ଦୂରେଇ ରୁହନ୍ତୁ: ମନ ଓ ମସ୍ତିଷ୍କକୁ ଶାନ୍ତ ଓ ଚିନ୍ତା ମୁକ୍ତ ରଖିବାକୁ ଧ୍ୟାନ କରନ୍ତୁ । 
ପର୍ଯ୍ୟାପ୍ତ ପାଣି ପିଅନ୍ତୁ: ସାରାଦିନରେ ପର୍ଯ୍ୟାପ୍ତ ପାଣି ପିଅନ୍ତୁ । ଶରୀରକୁ ଜଳ ଶୁଷ୍କ ହେବାକୁ ଦିଅନ୍ତୁନି । 

କାହାକୁ ସପ୍ଲିମେଣ୍ଟ ଜରୁରି 
ଗର୍ଭବତୀ ମହିଳା, ବୟସ୍କ ଲୋକ, ଯେଉଁମାନଙ୍କ ଶରୀରରେ ପୋଷଣର ଅଭାବ ରହିଥାଏ । ଏହାବ୍ୟତୀତ ଯେଉଁମାନଙ୍କ ନିୟମିତ ଖାଦ୍ୟପାନୀୟ ସନ୍ତୁଳିତ ନୁହେଁ । ସେମାନେ ସପ୍ଲିମେଣ୍ଟ ନେବା ଉଚିତ୍‌। କିନ୍ତୁ ସୁସ୍ଥ ବ୍ୟକ୍ତି ସପ୍ଲିମେଣ୍ଟ ନେବା ଅନୁଚିତ୍‌।