ବେଗୁନିଆ, ୫।୧: ଉନ୍ନତ ଜ୍ଞାନକୌଶଳକୁ ଉପଯୋଗ କରି ବାର୍ଷିକ ୬ରୁ ୭ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଜଣେ ଉଚ୍ଚଶିକ୍ଷିତ ମହିଳା ଚାଷୀ । କେତେବେଳେ ହାତରେ କୋଦାଳ ତ କେତେବେଳେ କାନ୍ଧରେ ଔଷଧ ଭର୍ତ୍ତି କଣ୍ଟେନର ଧରି କ୍ଷେତରେ ବୁଲୁଥିବା ଏହି ମହିଳା ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଲୁହାପାଟଣା ଗ୍ରାମର ରାଜଶ୍ରୀ ପଣ୍ଡା । ରାଜଶ୍ରୀ ଗ୍ରାଜୁଏଟ । ଉଚ୍ଚଶିକ୍ଷିତା ହୋଇ ମଧ୍ୟ ଚାକିରି ପଛରେ ନ ଗୋଡ଼ାଇ ନିଜ ପଡ଼ିଆ ଜମିରେ ଚାଷ କରି ହୋଇଛନ୍ତି ସ୍ୱାବଲମ୍ବୀ । ସଫଳ ଓ ସ୍ମାର୍ଟ ମହିଳା ଚାଷୀ ଭାବେ ରାଜ୍ୟ ସରକାର ରାଜଶ୍ରୀଙ୍କୁ ପୁରସ୍କୃତ କରିଛନ୍ତି । ନିଜ ୫ ଏକର ଜମିରେ ବର୍ଷ ସାରା ଧାନ, ସୋରିଷ, ପିଆଜ, ରସୁଣ, ମୁଗ, ରାଶି, କୋଳଥ, ଆଳୁ, ମୂଳା, ଶାଗ ଆଦି ଚାଷ କରି ବାର୍ଷିକ ୬ରୁ ୭ ଲକ୍ଷ ଟଙ୍କା ରୋଜଗାର କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ସେହିପରି ଗ୍ରାମର ଚାରୋଟି ପରିବାରକୁ ରୋଜଗାର ଯୋଗାଉଛନ୍ତି ।

ଯୁବଗୋଷ୍ଠୀ ଚାକିରି ପଛରେ ନ ଗୋଡ଼ାଇ ଉନ୍ନତ ପଦ୍ଧତିରେ ଚାଷ କାମରେ ମନୋନିବେଶ କଲେ ବେଶ୍ ଭଲ ରୋଜଗାର କରିପାରିବେ ବୋଲି ରାଜଶ୍ରୀ କହିଛନ୍ତି । କୃଷି ବିଭାଗ ସମ୍ପୂର୍ଣ୍ଣ ସହଯୋଗରେ ସେ ସଫଳ ହୋଇପାରିଥିବା କହିଛନ୍ତି । ରାଜଶ୍ରୀଙ୍କ ଏହି ଚାଷ କାର୍ଯ୍ୟକୁ ନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ସେନାପତି କହିଛନ୍ତି, ରାଜଶ୍ରୀ ପଣ୍ଡା ଜଣେ କର୍ମଠ ମହିଳା । ପ୍ରତିବର୍ଷ ସେ ଛତୁ, ଧାନ, ସୋରିଷ ଭଳି ଚାଷ ସହ ସମନ୍ୱିତ ଚାଷ କରି ଭଲ ରୋଜଗାର କରୁଛନ୍ତି । ଗୋଟିଏ ପରେ ଗୋଟିଏ ସଫଳତା ପାଉଛନ୍ତି । ସେହିପରି ବ୍ଲକ ସହକାରୀ କୃଷି ଅଧିକାରୀ ଶୁଭ୍ରନ କୁମାର ରାଉଳ କହିଛନ୍ତି, ରାଜଶ୍ରୀ ସଫଳ ଚାଷୀ । ସେ ଆମ ବିଭାଗରୁ ବିଭିନ୍ନ ସମୟରେ ପରାମର୍ଶ ନେଇ ଚାଷ କରିଥାନ୍ତି । ଚଳିତ ବର୍ଷ ୩ ଏକର ଜାଗାରେ ସୋରିଷ ବୁଣିଛନ୍ତି । ଗ୍ରାଜୁଏଟ ହୋଇ ମଧ୍ୟ ଚାଷ କାମ ପ୍ରତି ଆଗ୍ରହ ରାଜଶ୍ରୀଙ୍କୁ ସଫଳତା ଦେଇଛି ।

ଆହୁରି ପଢ଼ନ୍ତୁ... ଅପରାଧୀଙ୍କ ମୁହଁ ଚିହ୍ନଟ କରିବ ରେଳ ‘ରୋବୋକପ୍’, ତଥ୍ୟ ଓ ଫଟୋ ଆଧାରରେ କାମ କରିବ