ଭୁବନେଶ୍ୱର, ୫।୧: ପୂର୍ବତଟ ରେଳପଥର ବିଭିନ୍ନ ରେଳ ଷ୍ଟେସନରେ ଅପରାଧ ରୋକିବ କୃତ୍ରିମ ବୁଦ୍ଧିମତା ବା AI । ଅପରାଧୀଙ୍କ ମୁହଁ ଚିହ୍ନଟ କରି ଧରିବ ରେଳ ରୋବୋକପ୍ । ପୂର୍ବରୁ ଏହି ରୋବୋକପ୍ ନିକଟରେ ଥିବା ତଥ୍ୟ ଓ ଫଟୋ ଆଧାରରେ କାମ କରିବ । ଏହି ସ୍ୱଦେଶୀ ବୈଷୟିକ ଜ୍ଞାନ କୌଶଳରେ ନିର୍ମିତ ରେଳ ରୋବାକପ୍ ‘ଏଏସସି ଅର୍ଜୁନ’ର ବିଶାଖାପାଟଣା ଷ୍ଟେସନରେ ସଫଳତା ମିଳିବା ପରେ ଏବେ ଅନ୍ୟ ଷ୍ଟେସନମାନଙ୍କରେ ମଧ୍ୟ ଲାଗିବ ବୋଲି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ବିଶାଖାପାଟଣା ରେଳ ଷ୍ଟେସନରେ ରେଳ ରୋବୋକପ୍ ‘ଏଏସସି ଅର୍ଜୁନ’ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ପରିଚାଳିତ ମୁହଁ ଚିହ୍ନଟ ପ୍ରକ୍ରିୟା(ଫେସିଆଲ୍ ରିକଗ୍ନିସନ୍ ସିଷ୍ଟମ୍) ମାଧ୍ୟମରେ ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ କରିଛି ।
ଚଳିତ ମାସ ୨ ତାରିଖ ରାତି ପ୍ରାୟ ୮ଟା ୧୦ରେ, ନିରୀକ୍ଷଣ ଏବଂ ପାଟ୍ରୋଲିଂ ପାଇଁ ନିୟୋଜିତ ରେଳ ରୋବୋକପ୍ ‘ଏଏସସି ଅର୍ଜୁନ’ ଜଣେ ସନ୍ଦିଗ୍ଧକୁ ଚିହ୍ନଟ କରିଥିଲା । ଫଳରେ ଜଣେ ଅଭ୍ୟାସଗତ ଅପରାଧୀ, ହଡ଼ପା ଶିବ ଏବଂ ତାଙ୍କ ସହଯାଗୀ ଜି. ଭାଙ୍ଗାରୁଙ୍କୁ ସଫଳତାର ସହ ଗିରଫ କରାଯାଇଥିଲା । ସେହିପରି ରେଳ ରୋବୋକପ୍ ‘ଏଏସସି ଅର୍ଜୁନ’ର ସଫଳତା ସମ୍ପର୍କରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ କହିଛନ୍ତି, ଯାତ୍ରୀ ସୁରକ୍ଷା ବୃଦ୍ଧି କରିବାରେ ଏ ବୈଷୟିକ ପଦକ୍ଷେପ ଅତ୍ୟନ୍ତ ସଫଳ ବୋଲି ପ୍ରମାଣିତ ହୋଇଛି । ବିଶାଖାପାଟଣା ରେଳ ଷ୍ଟେସନରେ ସକାରାତ୍ମକ ଫଳ ଦ୍ୱାରା ଉତ୍ସାହିତ ହୋଇ ପୂର୍ବତଟ ରେଳପଥ ଯାତ୍ରୀମାନଙ୍କ ଲାଭ ପାଇଁ ଏହିପରି ଉନ୍ନତ ସୁରକ୍ଷା ବ୍ୟବସ୍ଥା ଅନ୍ୟ ସ୍ଥାନରେ କରିବ ବୋଲି ଶ୍ରୀ ଫୁଙ୍କୱାଲ କହିଛନ୍ତି ।
ଆହୁରି ପଢ଼ନ୍ତୁ... ୧୦୦ କୋଟି ବ୍ୟୟରେ ତିଆରି ହେବ ଅତ୍ୟାଧୁନିକ ଭିତ୍ତିଭୂମି, ଡିପିଆର୍କୁ ରାଜ୍ୟ ସରକାରଙ୍କ ଅନୁମୋଦନ