ନୂଆଦିଲ୍ଲୀ: ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଏବଂ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର ବାଇଡେନଙ୍କ ମଧ୍ୟରେ ଏକ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଛି। ଉଭୟ ପକ୍ଷରୁ ଆରୋପ ପ୍ରତ୍ୟାରୋପ ଧାରା ଜାରି ରହିଛି। ଏହି ସମୟରେ, ମେଲାନିଆ ଟ୍ରମ୍ପ ହଣ୍ଟର ବାଇଡେନଙ୍କୁ ଚେତାବନୀ ଦେଇଛନ୍ତି। ମେଲାନିଆ ହଣ୍ଟରଙ୍କୁ ଯୌନ ନିର୍ଯାତନା ଏବଂ ଚାଲାଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜେଫ୍ରି ଏପଷ୍ଟାଇନଙ୍କ ସହ ତାଙ୍କ ନାମ ଯୋଡିଥିବା ବୟାନକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।

ମେଲାନିଆ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ, ଯଦି ହଣ୍ଟର ତାଙ୍କର ମନ୍ତବ୍ୟ ଫେରାଇ ନନିଅନ୍ତି, ତେବେ ସେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବେ। ସୂଚନାଥାଉକି, ଏହି ମାସରେ ବ୍ରିଟିଶ ସାମ୍ବାଦିକ ଆଣ୍ଡ୍ରୁ କାଲାଘାନଙ୍କ ସହିତ ଏକ ସାକ୍ଷାତକାର ସମୟରେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ଦ୍ୱାରା ଦିଆଯାଇଥିବା ଦୁଇଟି ମନ୍ତବ୍ୟ ଉପରେ ମେଲାନିଆ ଅଭିଯୋଗ ଆଣିଥିଲେ । ହଣ୍ଟର ବିଡେନ କହିଥିଲେ ଯେ, ଏପଷ୍ଟାଇନ ମେଲାନିଆଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ସହ ପରିଚୟ କରାଇଥିଲେ।

ମେଲାନିଆ ଟ୍ରମ୍ପଙ୍କ ଓକିଲ ଆଲେଜାଣ୍ଡ୍ରୋ ବ୍ରିଟୋ ହଣ୍ଟର ବାଇଡେନଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି, "ଏହି ବୟାନ ଗୁଡ଼ିକ ମିଥ୍ୟା, ମାନହାନିକାରକ ଏବଂ 'ଅତ୍ୟନ୍ତ ଅଶ୍ଳୀଳ'।" ଚିଠିରେ କୁହାଯାଇଛି ଯେ ହଣ୍ଟର ବାଇଡେନଙ୍କ ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବରେ ପ୍ରସାରିତ ହୋଇଥିଲା ଏବଂ ବିଶ୍ୱର ବିଭିନ୍ନ ଗଣମାଧ୍ୟମ ସଂଗଠନ ଦ୍ୱାରା ପ୍ରକାଶିତ ହୋଇଥିଲା, ଯାହା ପ୍ରଥମ ମହିଳାଙ୍କୁ 'ଚରମ ଆର୍ଥିକ କ୍ଷତି ପହଞ୍ଚାଇଥିଲା ଏବଂ ତାଙ୍କ ମର୍ଯ୍ୟଦାକୁ କ୍ଷୁର୍ଣ୍ଣ କରିଥିଲା।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ତାଙ୍କ ପତ୍ନୀ ମେଲାନିଆ ବହୁ ଦିନ ଧରି କହିଆସୁଛନ୍ତି ଯେ ୧୯୯୮ ମସିହାରେ ନ୍ୟୁୟର୍କ ଫ୍ୟାଶନ୍ ସପ୍ତାହର ଏକ ପାର୍ଟିରେ ମଡେଲିଂ ଏଜେଣ୍ଟ ପାଓଲୋ ଜାମ୍ପୋଲି ସେମାନଙ୍କୁ ପରିଚୟ କରାଇଥିଲେ।