ଭୁବନେଶ୍ୱର,୧୭/୧୦: ମିଶାଇଲ୍ ଭଳି ଗତିରେ ମାଡ଼ି ଆସିଲା ମର୍ସିଡିଜ୍ । ଭାଙ୍ଗି ଚାଲିଲା ଗୋଟିଏ ପରେ ଗୋଟିଏ ଷ୍ଟ୍ରିଟ୍ ଲାଇଟ୍ ପୋଲ୍ । ୨୦୦ ଫୁଟ୍ ଯାଏ ଘୋଷାଡି ହୋଇ ଚଢ଼ିଗଲା ଫୁଟପାଥ୍ ଉପରେ । ଗାଡ଼ିରେ ଥିବା ୨ ଜଣ ଆହତଙ୍କୁ ଉଦ୍ଧାର କଲେ ପଥଚାରୀ । ରାଜଧାନୀ ଭୁବନେଶ୍ୱରର ନାଲକୋ ଛକରୁ ଜୟଦେବ ବିହାର ଅଭିମୁଖେ ଯାଉଥିବା ରାସ୍ତାରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ନାଲକୋ ଛକରୁ ଜୟଦେବ ବିହାର ଅଭିମୁଖେ ଯାଉଥିବା ମର୍ସିଡିଜ୍ ଏ୩୫ କାର୍ ପାଲ୍ ହାଇଟ୍ ଛକ କଟିଂ ପୂର୍ବରୁ ହଠାତ୍ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢି ଯାଇଥିଲା । ପରେ ଗୋଟିଏ ପରେ ଗୋଟିଏ ଷ୍ଟ୍ରିଟ୍ ଲାଇଟ୍ ପୋଲ୍ ଭାଙ୍ଗିବା ସହ ରାସ୍ତାରେ ପାଖାପାଖି ୨୦୦ ଫୁଟ୍ ଯାଏ ଘୋଷାଡି ହୋଇ ଫୁଟପାଥ୍ ଉପରେ ରହିଯାଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଗାଡ଼ିରେ ଆହତ ଅବସ୍ଥାରେ ଥିବା ଦୁଇ ଯୁବକଙ୍କୁ ଉଦ୍ଧାର କରି ମେଡିକାଲ ପଠାଇ ଥିଲେ । ଏହା ସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ସହିଦ୍ ନଗର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ତେବେ କିଛି ଲୋକେ ଏହାକୁ ମଦ୍ୟପାନ କରି ବେପରୁଆ ଗାଡ଼ି ଚାଳନା କହୁଥିବା ବେଳେ ଆଉ କିଛି ଏହା ବ୍ରେକ୍ ଫେଲ୍ ହୋଇଯାଇଥିବା କହିଛନ୍ତି।