ନୂଆଦିଲ୍ଲୀ, ୧୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଯୁଦ୍ଧ ପରିସ୍ଥିତି ଏବେ ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଇଛି । ବିଶେଷ କରି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ 'ହୋର୍ମୁଜ୍ ଷ୍ଟ୍ରେଟ୍' ପ୍ରାୟତଃ ବନ୍ଦ ହୋଇଯାଇଥିବାରୁ ଭାରତ ପାଇଁ ଶକ୍ତି ସଙ୍କଟ ଦେଖାଦେଇଛି । ଏହି ସଙ୍କଟ ସମୟରେ ଭାରତ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ରୁଷ ଆଡ଼କୁ ହାତ ବଢ଼ାଇଛି । ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ମାସରେ ଭାରତ ରୁଷରୁ ଅଶୋଧିତ ତେଲ ଆମଦାନୀରେ ବ୍ୟାପକ ବୃଦ୍ଧି କରିଛି । ଫେବୃଆରୀ ମାସରେ ଭାରତ ଦୈନିକ ୧୦ ଲକ୍ଷ ବ୍ୟାରେଲ୍ ତେଲ କିଣୁଥିବା ବେଳେ ମାର୍ଚ୍ଚରେ ଏହା ବୃଦ୍ଧି ପାଇ ୧୫ ଲକ୍ଷ ବ୍ୟାରେଲ୍ରେ ପହଞ୍ଚିଛି । ଅର୍ଥାତ୍ ମାତ୍ର ମାସକରେ ରୁଷରୁ ତେଲ ଆମଦାନୀ ପ୍ରାୟ ୫୦ ପ୍ରତିଶତ ବଢ଼ିଛି ।

ଏହି ବୃଦ୍ଧି ପଛର ଦୁଇଟି ବଡ଼ କାରଣ:

ଆମେରିକାର କୋହଳ ନୀତି: ମିଡିଲ୍ ଇଷ୍ଟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଆମେରିକା ଭାରତକୁ ରୁଷରୁ ତେଲ କିଣିବା ପାଇଁ ୩୦ ଦିନର ବିଶେଷ ରିହାତି ଦେଇଛି ।

ବିକଳ୍ପ ସନ୍ଧାନ: ସାଉଦି ଆରବ, ଇରାକ ଏବଂ ୟୁଏଇ (UAE) ଭଳି ଦେଶରୁ ଆସୁଥିବା ତେଲ ଜାହାଜ ଗୁଡ଼ିକ ହୋର୍ମୁଜ୍ ଦେଇ ଆସିଥାନ୍ତି । ଏହି ରାସ୍ତା ବନ୍ଦ ଥିବାରୁ ଭାରତ ରୁଷକୁ ଏକ ସୁରକ୍ଷିତ ବିକଳ୍ପ ଭାବେ ଗ୍ରହଣ କରିଛି ।

LPGକୁ ନେଇ ବଢ଼ିଲା ଚିନ୍ତା: କ’ଣ ପଡ଼ିବ ପ୍ରଭାବ ?

ତେଲ ସଙ୍କଟ ମଧ୍ୟରେ ସବୁଠାରୁ ବଡ଼ ଚିନ୍ତାଜନକ ବିଷୟ ହେଉଛି ରନ୍ଧନ ଗ୍ୟାସ୍ ବା LPG । ବିଶେଷଜ୍ଞଙ୍କ ଅନୁଯାୟୀ, ଅଶୋଧିତ ତେଲ ପାଇଁ ରୁଷ ଏକ ବିକଳ୍ପ ହୋଇପାରେ, କିନ୍ତୁ LPG ପାଇଁ ବିକଳ୍ପ ଖୋଜିବା କଷ୍ଟକର । ଭାରତ ଦୈନିକ ପ୍ରାୟ ୧୦ ଲକ୍ଷ ବ୍ୟାରେଲ୍ LPG ବ୍ୟବହାର କରେ । ଘରୋଇ ଉତ୍ପାଦନରୁ ମାତ୍ର ୪୦-୪୫% ଚାହିଦା ପୂରଣ ହୁଏ, ବାକି ୫୫-୬୦% ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼େ । ଭାରତକୁ ଆସୁଥିବା ମୋଟ LPG ର ପ୍ରାୟ ୮୦-୯୦% ମିଡିଲ୍ ଇଷ୍ଟରୁ ଆସିଥାଏ ଏବଂ ଏହା 'ହୋର୍ମୁଜ୍ ଷ୍ଟ୍ରେଟ୍' ଦେଇ ଗତି କରିଥାଏ । କେପଲରର ଆନାଲିଷ୍ଟ ସୁମିତ ରିତୋଲିଆଙ୍କ କହିବା ଅନୁଯାୟୀ, ଯଦି ହୋର୍ମୁଜ୍ ଷ୍ଟ୍ରେଟ୍ ଦୀର୍ଘ ସମୟ ଧରି ବନ୍ଦ ରହେ, ତେବେ LPG ସପ୍ଲାଏ ବାଧାପ୍ରାପ୍ତ ହୋଇପାରେ । ଭାରତକୁ ଦୈନିକ ପ୍ରାୟ ୧୬ ଲକ୍ଷ ବ୍ୟାରେଲ୍ ତେଲ ଏବଂ ବହୁ ପରିମାଣର ଗ୍ୟାସ୍ର ଅଭାବ ସହିବାକୁ ପଡ଼ିପାରେ । ଭାରତ ସରକାର ରୁଷରୁ ତେଲ ଆଣି ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରୁଥିଲେ ମଧ୍ୟ, ଯଦି ମିଡିଲ୍ ଇଷ୍ଟରେ ସ୍ଥିତି ନ ସୁଧୁରେ, ତେବେ ଆଗାମୀ ଦିନରେ LPG ଦର ଏବଂ ଉପଲବ୍ଧତା ଉପରେ ଏହାର ଗଭୀର ପ୍ରଭାବ ପଡ଼ିପାରେ ।