ଚେତାବନୀକୁ ବେଖାତିର, ମିନର୍ଭାର ମ୍ୟାଚ୍ ବୟକଟ୍

ଭୁବନେଶ୍ୱର, ୧୫ ।୩ (ବ୍ୟୁରୋ): ଦ୍ୱିତୀୟ ଇଣ୍ଡିଆନ ସୁପର କପ୍ର ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଆଜି ପୁନେ ସିଟି ଓ ମିନର୍ଭା ପଞ୍ଜାବ ସହ ଖେଳାଯିବାର ଥିଲା । ମାତ୍ର ମିନର୍ଭା ମ୍ୟାଚ୍ ଖେଳିବାକୁ ଆସି ନଥିଲା । ଫଳରେ ପ୍ରଥମ ମ୍ୟାଚ୍ରେ ପୁନେ ସିଟିକୁ ୱାକଓଭର ପ୍ରଦାନ କରାଯାଇଛି । ଗତକାଲି ସାମ୍ବାଦିକ ସମ୍ମିଳନୀରୁ ଦୂରେଇ ରହିବା ପରେ ସର୍ବଭାରତୀୟ ଫୁଟବଲ୍ ସଂଘ (ଏଆଇଏଫ୍ଏଫ୍) ମିନର୍ଭାକୁ ଚେତାବନୀ ଦେଇଥିଲା । ମାତ୍ର ଏଆଇଏଫ୍ଏଫ୍ର ଚେତାବନୀକୁ ବେଖାତିର କରି ଆଜି ମ୍ୟାଚ୍ ବୟକଟ୍ କରିଥିଲା ମନିର୍ଭା । ଆସନ୍ତାକାଲରି ମ୍ୟାଚ୍ ପାଇଁ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇ-ଲିଗର ଆଉ ଦୁଇଟି ଦଳ ଗୋକୁଳମ କେରଳ ଓ ଆଇଜଲ ଏଫ୍ସି ଯୋଗ ଦେଇ ନଥିଲେ । ଏହାପରେ ସୁପର କପ୍ର ଆସନ୍ତାକାଲିର ଦୁଇଟି ମ୍ୟାଚ୍ ଖେଳା ଯିବା ନେଇ ଆଶଙ୍କା ଦେଖା ଦେଇଛି । ଏଆଇଏଫ୍ଏଫ୍ କାର୍ଯ୍ୟାପନ୍ଥା ଓ ଅବହେଳାତ୍ମକ ଦୃଷ୍ଟିଭଙ୍ଗୀକୁ ବିରୋଧ କରି ଆଇ-ଲିଗର ୮ଟି ଦଳ ବିଦ୍ରୋହରେ ସାମିଲ ହୋଇଛନ୍ତି । ଦଳ ଗୁଡ଼ିକ ମଧ୍ୟରେ ରହିଛନ୍ତି ଚେନ୍ନାଇ ସିଟି, ଇଷ୍ଟ୍ ବେଙ୍ଗଲ, ଚର୍ଚ୍ଚିଲ ବ୍ରଦର୍ସ, ଆଇଜଲ ଏଫ୍ସି, ଗୋକୁଳମ କେରଳ, ନେରୋକା ଏଫ୍ସି, ମୋହନ ବାଗନ ଓ ମିନର୍ଭା ପଞ୍ଜାବ । କେବଳ ସୁପର କପ୍ର ଯୋଗ୍ୟତା ପର୍ଯ୍ୟାୟ ନୁହଁ ସେମାନେ ମୁଖ୍ୟ ଡ୍ର’ରେ ମଧ୍ୟ ମ୍ୟାଚ୍ ବୟକଟ୍ କରିବା ନେଇ ପ୍ରସ୍ତୁତ ଥିବା ଜଣା ପଡ଼ିଛି । ଦୁଇ ଦିନ ପୂର୍ବରୁ ଆଇ-ଲିଗ ଦଳ ଗୁଡ଼ିକ ମେଳି ହୋଇ ସୁପର କପ୍ରୁ ଓହରି ଯିବା ବିଷୟରେ ଏଆଇଏଫ୍ଏଫ୍କୁ ପତ୍ର ଲେଖିଥିଲେ । ମାତ୍ର ଏହାକୁ ଏଆଇଏଫ୍ଏଫ୍ ଗୁରୁତର ସହ ନେଇ ନଥିଲା । ସେମାନଙ୍କ ସହ ଆଲୋଚନା ମାଧ୍ୟମରେ ସମାଧାନର ପନ୍ଥା ବାହାର କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲା । ସେଥିପାଇଁ ଗୁରୁବାର ପ୍ରଥମ ମିନର୍ଭା ପଞ୍ଜାବ ସାମ୍ବାଦିକ ସମ୍ମିଳନୀରୁ ଦୂରେଇ ରହିଥିଲା । ଯଦିଓ ଦଳ ତା ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚି ଅଭ୍ୟାସ
ଆରମ୍ଭ କରିଥିଲା । ମିନର୍ଭା ସାମ୍ବାଦିକ ସମ୍ମିଳନୀରୁ ଦୂରେଇ ରହିବା ପରେ ଆଲୋଚନା ପରିବର୍ତ୍ତେ ପ୍ରେସ ବିଜ୍ଞପ୍ତି ଜାରି କରି ଚେତାବନୀ ଦେଇଥିଲା । ଏଆଇଏଫ୍ଏଫ୍ ପକ୍ଷରୁ କୁହାଯାଇଥିଲା ଯେ, ପୁନେ ସିଟି, କେରଳ ବ୍ଲାଷ୍ଟର୍ସ ଓ ଇଣ୍ଡିଆନ ଆରୋଜ ସମ୍ମିଳନୀରେ ଯୋଗଦେଇଥିବାବେଳେ ମିନର୍ଭା ପଞ୍ଜାବ ଏଥିରୁ ଦୂରେଇ ରହିଥିଲା । ଦଳର ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହଁ । ଯଦି ଦଳ ଶୁକ୍ରବାର ଅପରାହ୍ଣ ୫ଟା ସମୟରେ ଖେଳାଯିବାକୁ ଥିବା ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ଯୋଗ ନଦିଏ ତେବେ କ୍ଲବ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’