ପ୍ରମୂଖ ଖବର
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଓଡ଼ିଶାରେ ନାହିଁ ଆଳୁ ସଙ୍କଟ, ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବେନି ରାଜ୍ୟ ସରକାର

Published By : Rasmita Pradhan | November 30, 2024 2:41 PM

ଭୁବନେଶ୍ଵର, ୩୦/୧୧ : ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବେନି ରାଜ୍ୟ ସରକାର। ପଶ୍ଚିମବଙ୍ଗ ଉପରେ ହେବେନି ନିର୍ଭରଶୀଳ। ମମତା ଦିଦି ଯଦି ନିଜ ଆଡୁ ଆଳୁ ପଠାଇବେ ତାହେଲେ ସରକାର ରଖିବେ, ନହେଲେ ଓଡ଼ିଶା ନିଜ ଆଡୁ ମାଗିବନି। ଓଡ଼ିଶାକୁ ଆଳୁ ଟ୍ରକ୍ ଛାଡିବା ନେଇ ମମତା ଦିଦି ମନମାନୀ କରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। 

ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ଆଳୁ ସଙ୍କଟ ନାହିଁ। ଉତ୍ତରପ୍ରଦେଶରୁ ଆଳୁ ଆସିବା ଆରମ୍ଭ ହୋଇଛି। ଆବଶ୍ୟକ ତୁଳନାରେ ଓଡ଼ିଶାରେ ଆଳୁ ମହଜୁଦ ଅଛି। ପଞ୍ଜାବ ସରକାରଙ୍କ ସହ ବି ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି। ସେହିପରି ଦର ବୃଦ୍ଧି ନେଇ ମନ୍ତ୍ରୀ କହିଛନ୍ତି ଯେ, ବଜାରରେ ଦର ବୃଦ୍ଧି ହୋଇନି। ପରିବହନ ଖର୍ଚ୍ଚ ପାଇଁ ଯେମିତି ଦର ରହିବା କଥା ସେତିକି ଦର ରହିଛି। ଦରବୃଦ୍ଧି ହେଲେ ଚଢାଉ ହେବ। ଆଗାମୀ ଦେଢ଼ ବର୍ଷ ମଧ୍ୟରେ ଓଡ଼ିଶା ସ୍ବାବଲମ୍ବୀ ହେବ। କୌଣସି ରାଜ୍ୟ ଉପରେ ଓଡ଼ିଶା ନିର୍ଭରଶୀଳ ହେବ ନାହିଁ।  

ମମତା ସରକାରଙ୍କ ତାଗିଦ୍ ପରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଟକି ରହିଛି ଶତାଧିକ ଆଳୁ ଗାଡି। ଦୁଇ ଦିନ ହେବ ପଡୋଶୀ ରାଜ୍ୟରୁ ଗୋଟିଏ ବି ଟ୍ରକ୍ ଆସିପାରିନି। ଯାହାର ପ୍ରଭାବ ବଜାର ଉପରେ ପଡିଛି। ଭୁବନେଶ୍ୱର ଓ କଟକରେ ଆଳୁ ଦର କିଲୋଗ୍ରାମ ପିଛା ୪୦ ଛୁଇଁଛି। ଶୁକ୍ରବାର ରାଜଧାନୀର ୧ ନମ୍ବର ହାଟ ଏବଂ ଅନ୍ୟାନ୍ୟ ଛୋଟ ଦୋକାନରେ ଆଳୁ କିଲୋ ୪୦ଟଙ୍କାରେ ବିକ୍ରି ହେଉଥିଲା। ଦିନକ ତଳେ ଯେଉଁ ଆଳୁ ୩୫ଟଙ୍କାରେ ବିକ୍ରି ହେଉଥିଲା ଆଳୁ ଗାଡ଼ି ଆସି ପାରୁନି ଖବର ବ୍ୟାପିବା କ୍ଷଣି ହଠାତ୍‌ ୫ଟଙ୍କା ବଢ଼ିଯାଇଛି। ଯଦି ପଶ୍ଚିମବଙ୍ଗରୁ ଆଳୁ ନଆସେ ତେବେ ଆସନ୍ତା ସପ୍ତାହରୁ ବାଧ୍ୟ ହୋଇ ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରିବାକୁ ବରାଦ ଦିଆଯିବ ବୋଲି ବ୍ୟବସାୟୀମାନେ କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.