ରାସ୍ତାକଡରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ଜଣେ ଯୁବକ ଥାନାରେ ଅଟକ…

ମୁନିଗୁଡା: ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଚିଚିପଙ୍ଗା ଗାଁ ନିକଟ ରାସ୍ତା କଡରୁ ଗତକାଲି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ନାବାଳିକାଙ୍କ ମୁତଦେହକୁ ଉଦ୍ଧାର କରାଯାଇଛି । ପରେ ଶବ ବ୍ୟବଛେଦ କରି ପରିବାର କୁ ହସ୍ତାନ୍ତର କରିଥିବା ବେଳେ ଏଥିରେ ସପୃକ୍ତ ଥିବା ସନ୍ଦେହରେ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଯାରି ରଖିଛି ପୋଲିସ । ମୃତ ନାବାଳିକା ଜଣକ ଲତେଗୁଡା ଗ୍ରାମର ବୋଲି ଜଣାପଡିଛି । ବୁଧବାର ରାତିରେ କିଛି ସାଙ୍ଗ ମିଶି ଏହି ଯୁବତୀ ଜଣକ ଚନ୍ଦ୍ରପୁରରେ ଚାଲିଥିବା ଯାତ୍ରା ଦେଖିବାକୁ ଯାଇ ଆଉ ଫେରିନଥିଲେ ।
ଗତକାଲି ଚିଚିପଙ୍ଗା ଗାଁ ନିକଟରେ ତାଙ୍କର ମୃତଦେହ ଠାବ ହୋଇଥିଲା । ମୃତ୍ୟୂର କାରଣ ଅସ୍ପଷ୍ଟ ଥିବାବେଳେ ପରିବାର ଲୋକଙ୍କ କହିବା ଅନୁଯାୟୀ ଏହି ଯୁବତୀ ମାନେ ଯାତ୍ରା ଦେଖିବା ବେଳେ ଆମୋସ ଗୁମିଡାଙ୍ଗା ନାମକ ଯୁବକ ୩ ଜଣ ଯୁବତୀଙ୍କୁ ଗାଁ ରେ ଛାଡିଦେବ କହି ବାଇକରେ ନେଇଥିଲା । ତେବେ ୨ ଜଣ ଯୁବତୀଙ୍କୁ ଅଧା ରାସ୍ତାରେ ଛାଡି ମୃତ୍ୟୁ ହୋଇଥିବା ନାବାଳିକାଙ୍କୁ ବାଇକ୍ ରେ ଗାଁ କୁ ଛାଡିବାକୁ ଯାଇଥିଲା । କିନ୍ତୁ ଗାଁ ରେ ଛାଡିନଥିଲା ଓ ସକାଳୁ ରାସ୍ତାକଡରୁ ମୃତଦେହ ମିଳିଥିଲା । ତେଣୁ ପୋଲିସ ସେହି ଯୁବକକୁ ଅଟକ ରଖି ତଦନ୍ତ ଯାରିରଖିଛି ।