ଭୁବନେଶ୍ୱର/ଧଉଳି,୧୬/୧୨: ରାଜଧାନୀରେ ବଳିଗଲା ଗୋପାଳପୁର ସି-ବିଚ୍ ଭଳି ଘଟଣାକୁ । ପ୍ରେମିକକୁ ପଥରରେ ଛେଚି ଲହୁଲୁହାଣ କରିବା ପରେ ପ୍ରେମିକା(ନାବାଳିକା ଛାତ୍ରୀ)କୁ ଗଣଦୁଷ୍କର୍ମ କରାଯାଇଛି । ୩ ଯୌନ ପିପାସୁଙ୍କ ଏଭଳି ନାରକୀୟକାଣ୍ଡ ଜଣାପଡ଼ିବା ପରେ ରାଜଧାନୀ ସମେତ ପୂରା ରାଜ୍ୟରେ ଘୋର ଆଲୋଡ଼ନ ସୃଷ୍ଟି ହୋଇଛି । ଅଭିଯୋଗ ପାଇ ଧଉଳି ଥାନା ପୁଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିବା ବେଳେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଏହି ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଏବଂ ତାର ଦୁଇ ସହଯୋଗୀ ଜେଲ୍ ଫେରନ୍ତା ପେଷାଦାର ଅପରାଧୀ ବୋଲି ଜଣାପଡ଼ିଛି । ଶିଶୁପାଳଗଡ଼ ଅଞ୍ଚଳର ଉକ୍ତ ମୁଖ୍ୟ ଅଭିଯୁକ୍ତ ଜଣକ ଫେରାର୍ ହୋଇଯାଇଛି । ତାକୁ ଗିରଫ କରିବା ପାଇଁ କମିଶନରେଟ୍ ପୁଲିସର ଦୁଇଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।
ମିଳିଥିବା ଅଭିଯୋଗ ମୁତାବକ, ଗତ ୧୦ ତାରିଖରେ ନାବାଳିକା ଓ ତାଙ୍କ ପୁରୁଷ ବନ୍ଧୁ ଶାନ୍ତିସ୍ତୂପ ଧଉଳି ବୁଲିବାକୁ ଯାଇଥିଲେ । ବୁଲାବୁଲି ସାରି ସେଠାରୁ ସେମାନେ ସନ୍ଧ୍ୟା ପ୍ରାୟ ୭ଟା ବେଳେ ବାଇକ୍ରେ ଫେରୁଥିଲେ । ସେମାନେ ଲିଙ୍ଗିପୁର-ଟଙ୍କପାଣି ରାସ୍ତାରେ ଫେରୁଥିବା ବେଳେ ଅଧାବାଟରେ ଅନ୍ଧାରରେ ବାଇକ୍ ରଖି ନଦୀ ପଠାରେ ବସିଥିଲେ । ଏହି ସମୟରେ ୫ ଜଣ ଦୁର୍ବୃତ୍ତ ସେମାନଙ୍କ ପାଖରେ ପହଞ୍ଚି କେତେ ଟଙ୍କା ରଖିଛ ଦେଇଦିଅ ବୋଲି କହିଥିଲେ । ସେମାନେ ମନା କରିବାରୁ ଦୁର୍ବୃତ୍ତମାନେ ପୁରୁଷବନ୍ଧୁଙ୍କୁ ନିସ୍ତୁକ ମାଡ଼ ମାରିବା ସହ ପଥରରେ ଛେଚି ମୋବାଇଲ ଓ ଟଙ୍କା ଲୁଟିଥିଲେ । ପ୍ରେମିକା ନାବାଳିକା ଜଣଙ୍କ ପ୍ରତିବାଦ କରିବାରୁ ସେମାନଙ୍କ ମଧ୍ୟରୁ ୩ ଜଣ ତାଙ୍କୁ ଟଣାଓଟରା କରିବା ସହ ଡ୍ରେସ୍ ଚିରି ଦେଇଥିଲେ । ୨ ଜଣ ପ୍ରେମିକକୁ ଧରି ମାଡ଼ ମାରୁଥିବା ବେଳେ ୩ ଜେଲ୍ ଫେରନ୍ତା ନାବାଳିକାଙ୍କୁ ନଦୀ ପଠାକୁ ଟେକି ନେଇଥିଲେ । ନାବାଳିକା ଜଣଙ୍କ ଚିତ୍କାର କରି ନେହୁରା ହୋଇଥିଲେ ମଧ୍ୟ ଯୌନ ପିପାସୁମାନେ ଅତି ନୃଶଂସ ଭାବେ ଜଣ ଜଣ କରି ତାଙ୍କୁ ଚିତ୍କାର କରି ନେହୁରା ହୋଇଥିଲେ ମଧ୍ୟ ଯୌନ ପିପାସୁମାନେ ଅତି ନୃଶଂସ ଭାବେ ଜଣ ଜଣ କରି ତାଙ୍କୁ ଦୁଷ୍କର୍ମ କରିଥିଲେ । ଏପରିକି ବଳାତ୍କାର ବେଳର ଦୃଶ୍ୟକୁ ମୋବାଇଲରେ ରେକର୍ଡିଂ କରିଥିଲେ । କାହାରିକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇ ୫ ଜଣଯାକ ସେଠାରୁ ପଳାଇଥିଲେ । ବହୁ କଷ୍ଟରେ ପୀଡ଼ିତା ଜଣଙ୍କ ପୁରୁଷବନ୍ଧୁଙ୍କ ସହ ଧଉଳି ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ତେବେ ଏଭଳି ସମ୍ବେଦନଶୀଳ ଘଟଣାକୁ ପୁଲିସ କମିଶନରେଟ୍ ପୁଲିସ ଅତି ଖାମଖିଆଲ ଭାବେ ନେଇଥିଲା । ଏକ ଅସଦାଚରଣ ମାମଲା ରୁଜୁକରି ପୀଡ଼ିତା ଓ ପୁରୁଷବନ୍ଧୁଙ୍କୁ ବିଦା କରି ଦେଇଥିଲା । ବଳାତ୍କାରୀଙ୍କ ଆକ୍ରମଣରେ ଉକ୍ତ ଯୁବକଙ୍କ ଆଖି ନଷ୍ଟ ହୋଇଯାଇଛି । ତଥାପି ଏହି ଘଟଣାକୁ ପୁଲିସ ହାଲୁକା ଭାବେ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ତେବେ ଏହି ଘଟଣା ପ୍ରଘଟ ହେବା ପରେ ଭୁବନେଶ୍ୱର ଡିସିପି ତୁରନ୍ତ ଧଉଳି ଥାନା ଅଧିକାରୀ ପ୍ରଦୀପ କିଶୋର ନାୟକଙ୍କୁ ବଦଳି କରିଛନ୍ତି । ତାଙ୍କ ସ୍ଥାନରେ ଆଇଆଇସି ସ୍ମୃତିରଞ୍ଜନ ମହାନ୍ତିଙ୍କୁ ଧଉଳି ଥାନାର ଦାୟିତ୍ୱ ଦେବା ସହ ମାମଲାକୁ ଗୁରୁତ୍ୱ ଉପଲବ୍ଧି କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଧଉଳି ଥାନା ପୁଲିସ ଗଣଦୁଷ୍କର୍ମ ମାମଲା ରୁଜୁକରି ତନାଘନା ଆରମ୍ଭ କରିଛି । ପୁଲିସ ନାବାଳିକାର ଡାକ୍ତରୀ ପରୀକ୍ଷା କରାଇବା ସହ ବିଏନ୍ଏସ୍ଏସ୍-୧୮୩, ବିଏନ୍ଏସ୍ଏସ୍-୧୮୦ରେ ବୟାନ ରେକର୍ଡ କରିଛି । ଗତକାଲି ଓ ୨ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଯାଇଛି । ତେବେ ମୁଖ୍ୟ ଅଭିଯୁକ୍ତ ଜେଲ୍ ଫେରନ୍ତା ସମେତ ଅନ୍ୟ ୨ ସହଯୋଗୀଙ୍କୁ ଗିରଫ କରିବା ପାଇଁ କମିଶନରେଟ୍ ପୁଲିସର ୨ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି ।
ସୂଚନା ଥାଉକି, ବ୍ରହ୍ମପୁର ଗୋପାଳପୁର ସି-ବିଚ୍ ସେପ୍ଟେମ୍ବର ୧୫ ସନ୍ଧ୍ୟାରେ ପୁରୁଷବନ୍ଧୁଙ୍କୁ ମାଡ଼ମାରି ଜଣେ ୨୦ ବର୍ଷର କଲେଜ ଛାତ୍ରୀଙ୍କୁ ୧୦ ଜଣ ଯୌନପିପାସୁ ଗଣ ଦୁଷ୍କର୍ମ କରିଥିଲେ । ପୁଲିସ ଏହି ମାମଲାରେ ୪ ନାବାଳକ ସମେତ ୧୦ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇଥିଲା । ସେହିପରି ଏହି ଘଟଣାର ୨ ଦିନ ପରେ ପୁରୀ ବାଲିହରଚଣ୍ଡୀ ପୀଠରୁ ଆଉ ଏକ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଲା । ପ୍ରେମିକ ସହ ୧୯ ବର୍ଷର ଯୁବତୀ ମା’ଙ୍କ ପୀଠ ନିକଟ ବେଳାଭୂମିରେ ବୁଲୁଥିବା ବେଳେ ୨ଜଣ ଯୌନ ରାକ୍ଷାସଙ୍କ କବଳରେ ପଡ଼ିଲେ। ଦିନ ଦ୍ୱିପହରରେ ପ୍ରେମିକକୁ ଗଛରେ ବାନ୍ଧି ଯୁବତୀଙ୍କୁ ଦୁଷ୍କର୍ମ କଲେ । ଏହି ଘଟଣା ରାଜ୍ୟବାସୀଙ୍କ ମନରୁ ନ ଲିଭୁଣୁ ଖୋଦ୍ ରାଜଧାନୀରେ ଏହି ଘଟଣା ସାରା ରାଜ୍ୟରେ ଘୋର ଆଲୋଡ଼ନ ସୃଷ୍ଟି କରିଛି ।