ସଚ୍ଚିଦାନନ୍ଦ ରୂପାୟ କୃଷ୍ଣାୟ କ୍ଲିଷ୍ଟ କର୍ମଣୋ

ନମୋ ବେଦାନ୍ତ ବେଦ୍ୟାୟ ଗୁରବେ ବୁଦ୍ଧି ସାକ୍ଷିଣୋ ।’

ପୁରୀ ଗୋବର୍ଦ୍ଧନ ମଠର ଅବସ୍ଥିତି ଶ୍ରୀକ୍ଷେତ୍ରରେ । ହିନ୍ଦୁଧର୍ମର ଗୁରୁଭାବରେ ସଦାପୁଜ୍ୟ ଆଦିଶଙ୍କରଙ୍କ ଦ୍ୱାରା ସାରା ଭାରତରେ ପ୍ରତିଷ୍ଠା ଲାଭ ପାଇଥିବା ଚାରିଗୋଟି ମଠ ମଧ୍ୟରୁ ଏହା ଅଗ୍ରଗଣ୍ୟ । ଆନୁମାନିକ ୨୫୨୪ ବର୍ଷ ପୂର୍ବେ ଆଦି ଶଙ୍କରଙ୍କର ଆର୍ବିଭାବ ହୋଇଥିଲା । ବୈଦିକ ସନାତନ ଧର୍ମର ପୁନର୍ନବାୟନରେ ଆଦିଶଙ୍କରଙ୍କର ଅବଦାନ ଅବିସମ୍ବାଦିତ । ଏଥିପାଇଁ ସିଏ ଭାରତର ଚାରି ଦିଗରେ ଚାରିଗୋଟି ମଠ ପ୍ରତିଷ୍ଠା କରିବା ସହିତ ସେହି ମଠମାନଙ୍କୁ ଗୁରୁକୁଳ ଆଶ୍ରମ ବୈଦିକ ପାଠଶାଳାରେ ପରିଣତ କରିଦେଇଥିଲେ । ଏହି ମଠଗୁଡ଼ିକ ଦକ୍ଷିଣରେ ରାମେଶ୍ୱର ଶୃଙ୍ଗେରୀ ମଠ, ଉତ୍ତରରେ ବଦ୍ରିନାଥ ଜ୍ୟୋତିର୍ମଠ, ପଶ୍ଚିମରେ ଦ୍ୱାରକା ମଠ ଓ ପୂର୍ବରେ ପୁରୀଠାରେ ଗୋବର୍ଦ୍ଧନ ମଠ ନାମରେ ନାମିତ । ମଠ ପ୍ରତିଷ୍ଠା ପରେ ଏହାର ସୁସଂଚାଳନ ପାଇଁ ଆଦି ଶଙ୍କର ନିଜର ପ୍ରଧାନ ଚାରିଶିଷ୍ୟଙ୍କ ହାତରେ ଦାୟିତ୍ୱ ନ୍ୟସ୍ତ କରିଥିଲେ । ସେମାନେ ହେଲେ:- ପଦ୍ମପାଦ, ହସ୍ତମଳକ, ଭର୍ତ୍ରିକାକର ଓ ତୋଟକାଚାର୍ଯ୍ୟ ।

ଆଦି ଶଙ୍କରଙ୍କର ସିଦ୍ଧାନ୍ତ କଳ୍ପେ, ଏମାନେ ଶଙ୍କରାଚାର୍ଯ୍ୟ ନାମରେ ନାମିତ ହେଲେ । ଆଦିଶଙ୍କର କୃତ ‘ମଠାମ୍ନାୟ ମହାନୁଶାସନମ’ରେ ଏ ସଂପର୍କରେ ସ୍ପଷ୍ଟ ଘୋଷଣା ରହିଛି । ଶ୍ରୀକ୍ଷେତ୍ରରେ ଥିବା ଗୋବର୍ଦ୍ଧନପୀଠ ଶ୍ରୀଜଗନ୍ନାଥ ମନ୍ଦିର ସହିତ ଆତ୍ମିକ ଭାବେ ସଂଶ୍ଲିଷ୍ଟ । ପଦ୍ମପାଦାଚାର୍ଯ୍ୟ ଏହି ମଠର ଥିଲେ ପ୍ରଥମ ମଠାଧୀଶ । ଆଚାର୍ଯ୍ୟ ଆଦିଶଙ୍କରଙ୍କ ପ୍ରଥମ ଶିଷ୍ୟ ପଦ୍ମପାଦ ନିଜର ଅତୁଳନୀୟ ଗୁରୁଭକ୍ତି ଓ ଐଶ୍ୱର୍ଯ୍ୟ ଶକ୍ତି ସକାଶେ ଥିଲେ ସମସ୍ତଙ୍କର ବନ୍ଦନୀୟ । ନୃସିଂହ ମନ୍ତ୍ରରେ ସିଦ୍ଧସ୍ୱାମୀ ପଦ୍ମପାଦଙ୍କୁ ପ୍ରଥମ ଅଧ୍ୟକ୍ଷ ଭାବରେ ପାଇ ଗୋବର୍ଦ୍ଧନ ପୀଠ ଗୌରବାନ୍ୱିତ ହେଲା । ଆଚାର୍ଯ୍ୟ ଶଙ୍କର ପୀଠାଧୀଶ ରୂପେ ପଦ୍ମପାଦଙ୍କୁ ବୈଭବମୟ ପରିବେଶରେ ସ୍ୱହସ୍ତରେ ଅଭିଷିକ୍ତ କରାଇଥିଲେ । ଇତିବୃତ୍ତରୁ ଜଣାଯାଏ ଯେ, ଦ୍ୱାରକାମଠର ମଠାଧୀଶ ସ୍ୱାମୀ ଭାରତୀକୃଷ୍ଣ ୧୯୨୫ ମସିହାରେ ଏହି ମଠର ଦାୟିତ୍ୱ ସମ୍ଭାଳି ଥିଲେ । ୧୯୬୦ ମସିହାରେ ଭାରତୀକୃଷ୍ଣଙ୍କ ମହାସମାଧି ହେଲା । ତାଙ୍କ ପରେ ନିରଞ୍ଜନଦେବ ତୀର୍ଥ ଦାୟିତ୍ୱ ଗ୍ରହଣ କଲେ । ଧର୍ମ ସମ୍ରାଟ୍ କରପାତ୍ରୀ ମହାରାଜଙ୍କ ଅନୁମୋଦନକ୍ରମେ ଗୃହସ୍ଥି ବିଦ୍ୱାନ ଶ୍ରୀ ନିରଞ୍ଜନଦେବ ତୀର୍ଥଙ୍କୁ ପ୍ରଥମେ ସନ୍ନ୍ୟାସ, ତତ୍ପରେ ଦଣ୍ଡି ଦେଇ ୧୯୬୧ ମସିହାରେ ୧୪୪ତମ ଶଙ୍କାରାଚାର୍ଯ୍ୟ ପଦରେ ଅଭିଷିକ୍ତ କରାଯାଇଥିଲା । ଶରୀରର ଅସୁସ୍ଥତା ପାଇଁ ଶ୍ରୀ ନିରଞ୍ଜନ ଦେବ ତୀର୍ଥସ୍ୱାମୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ୧୯୯୨ ମସିହା ଫେବୃୟାରୀ ୯ ତାରିଖ ପବିତ୍ର ଶ୍ରୀପଞ୍ଚମୀ ତିଥିରେ ୧୪୫ତମ ଶଙ୍କରାଚାର୍ଯ୍ୟ ପଦରେ ଅଭିଷେକ କରାଇଥିଲେ । ୧୯୯୨ ମସିହାରୁ ଅଦ୍ୟାବଧି ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମଠାଧୀଶ ରହିଛନ୍ତି । ବୈଦିକ ଧର୍ମ ଶାସ୍ତ୍ରର ଉପଯୋଗୀତାଙ୍କୁ ପ୍ରୟୋଗାତ୍ମକ ଭାବେ ଉପସ୍ଥାପନରେ ସେ ସିଦ୍ଧହସ୍ତ । ସ୍ୱାମୀ ନିଶ୍ଚଳାନନ୍ଦ ଗୋବର୍ଦ୍ଧନ ପୀଠର ଦାୟିତ୍ୱ ଗ୍ରହଣ କଲାପରେ ଶ୍ରୀମନ୍ଦିର,ଗୋବର୍ଦ୍ଧନ ପୀଠ ସମେତ ସର୍ବଭାରତୀୟ ପ୍ରେକ୍ଷାପଟ୍ଟରେ ଆଧ୍ୟାତ୍ମିକତାର ଏକ ନୂତନ ସ୍ପନ୍ଦନ ସୃଷ୍ଟି ହୋଇଛି ।

ଗୋବର୍ଦ୍ଧନ ମଠର ପ୍ରଥମ ପୀଠାଧୀଶଙ୍କଠାରୁ ପରମ୍ପରାକ୍ରମେ ଅନେକ ସୁଯୋଗ୍ୟ ଧର୍ମଭାବାପନ୍ନ ବ୍ୟକ୍ତି ପୀଠାଧିଶ ଆସନ ଅଳଂକୃତ କରିଆସିଛନ୍ତି । ଆଜକୁ ୨୫୦୦ବର୍ଷ ଧରି ସେହି ପରମ୍ପରା ଅକ୍ଷୁର୍ଣ୍ଣ ରହିଛି । ଆଚାର୍ଯ୍ୟ ଆଦି ଶଙ୍କରଙ୍କ ଉତ୍କଳ ଆଗମନ ଓ ପ୍ରସ୍ଥାନର ଅଢେଇ ହଜାର ବର୍ଷ ଅତୀତ ହୋଇଯାଇଥିଲେ ହେଁ ଆଚାର୍ଯ୍ୟଶଙ୍କରଙ୍କ କୃତି ଓ କୀର୍ତ୍ତିର ମହକ ଏବେ ମଧ୍ୟ ଉଜ୍ଜିବୀତ ରହିଛି । ଶଙ୍କରଙ୍କ ନିର୍ଦ୍ଧାରିତ ଅଦ୍ୱୈତ ପରମ୍ପରାରେ ଶ୍ରୀମଦ୍ ଭାଗବତର ମହାନ ଟୀକାକାର ଥିଲେ ଶ୍ରୀଧର ସ୍ୱାମୀ ଓ ଶ୍ରୀ ମଧୁସୂଦନ ସରସ୍ୱତୀ । ଗୋବର୍ଦ୍ଧନ ପୀଠର ପୀଠାଧୀଶ ସ୍ୱାମୀ ଭାରତୀକୃଷ୍ଣ ବୈଦିକ ଗଣିତରେ ଅସାଧାରଣ ଦକ୍ଷତା ପ୍ରାପ୍ତ ହୋଇ ଆନ୍ତର୍ଜାତିକ ଖ୍ୟାତି ଅର୍ଜନ କରିଥିଲେ । ତାହାଙ୍କ ପରେ ଆନ୍ତର୍ଜାତିକ ଖ୍ୟାତି ଅର୍ଜନ କରିବାରେ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଅଗ୍ରଗଣ୍ୟ । ଆଧ୍ୟାତ୍ମିକ ତତ୍ତ୍ୱ ସମୂହର ବୈଜ୍ଞାନିକ ସିଦ୍ଧାନ୍ତ ନିର୍ଣ୍ଣୟ କରିବାରେ ସିଏ ସିଦ୍ଧହସ୍ତ । ଏପରିକି ଧର୍ମାନ୍ତରିକରଣକୁ ନେଇ ତାଙ୍କ ମତାମତ ଯଥେଷ୍ଟ ବଳିଷ୍ଠ ଓ ପ୍ରଭାବଶାଳୀ ଥିଲା । ଏକଦା ସେ ହିନ୍ଦୁ ଧର୍ମାନ୍ତରିକରଣ ପକ୍ରିୟାରେ ବ୍ୟଥିତ ହୋଇ କହିଥିଲେ ଯେ, ଯଦି ବ୍ୟକ୍ତିର ମୌଳିକ ଆବଶ୍ୟକତା ପୂରଣ ହୋଇପାରନ୍ତା ଓ ସାମାଜିକ ପ୍ରତିବନ୍ଧକ ହଟା ଯାଇପାରନ୍ତା ତେବେ ଧର୍ମାନ୍ତରିକରଣ ପ୍ରଶମିତ ହୋଇପାରନ୍ତା । ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନ, ଆହ୍ଲାବାଦ ଉଚ୍ଚତମ ନ୍ୟାୟାଳୟ ଆଦିରେ ତାଙ୍କର ତେଜସ୍ୱୀ ସମ୍ଭାଷଣ ଉଲ୍ଲେଖନୀୟ । ବୈଦିକ ଗଣିତ ପ୍ରତି ତାଙ୍କର ଅବଦାନ ଅବର୍ଣ୍ଣନୀୟ । ଭାରତୀକୃଷ୍ଣଙ୍କ ଦ୍ୱାରା ପ୍ରଜ୍ୱଳିତ ବୈଦିକ ଅଙ୍କ ଦୀପଟି ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ହାତରେ ଏକ ମହାଦୀପରେ ପରିଣତ ହୋଇଛି । ଏ ସଂପର୍କରେ ସେ ପ୍ରାୟ ୧୦ଖଣ୍ଡ ଗଣିତ ଶାସ୍ତ୍ର ବେଦକୁ ଆଧାର କରି ରଚନା କରିଛନ୍ତି ।

୧୯୪୩ ମସିହାରେ ନୀଳାମ୍ବର ଝା’ ନାମଧରୀ ଉତ୍ତର ଭାରତର ହରିପୁରଠାରେ ଜନ୍ମଗ୍ରହଣ କରିଥିବା ଆଜିର ନିଶ୍ଚଳାନନ୍ଦ ସରସ୍ୱତୀ ଏକଦା ପାଠପଢିବା ସମୟରେ ବିଜ୍ଞାନ, ଗଣିତ ଓ ଅନ୍ୟାନ୍ୟ ସଂସ୍କୃତ ଶାସ୍ତ୍ରରେ ଯଥେଷ୍ଟ ଆଗ୍ରହ ରଖୁଥିଲେ । ସେ ଥିଲେ ମିଥିଳା ନରେଶଙ୍କର ରାଜପଣ୍ଡିତ ଲାଲ୍ ବଂଶୀ ଝା ଏବଂ ଶ୍ରୀମତୀ ଗୀତା ଦେବୀଙ୍କର ତୃତୀୟ ସନ୍ତାନ । ବାଲ୍ୟକାଳରୁ ତାଙ୍କଠାରେ ଅନେକ ଅଲୌକିକ ଲକ୍ଷଣମାନ ପ୍ରକାଶ ପାଇଥିଲା । ପଦ୍ମାସନରେ ଘଣ୍ଟା ଘଣ୍ଟା ଧରି ବସି ରହି ଧ୍ୟାନସ୍ଥ ହୋଇଯାଉଥିଲେ । ମାତ୍ର ୧୬ବର୍ଷ ବୟସରେ ପ୍ରତ୍ୟକ୍ଷ ଆଧ୍ୟାତ୍ମିକତା ପ୍ରତି ଆକୃଷ୍ଟ ହୋଇ ଗୃହତ୍ୟାଗ କରି ଦିଲ୍ଲୀ ଅଭିମୁଖେ ଯାତ୍ରା କଲେ । ଜ୍ୟୋତିର୍ମଠର ଶଙ୍କରାଚାର୍ଯ୍ୟଙ୍କ ଆଶିର୍ବାଦ ପ୍ରାପ୍ତ ହୋଇ “ଧ୍ରୁବଚୈତନ୍ୟ’ ନାମରେ ନାମିତ ହେଲେ । ୧୯୭୦ ମସିହାରେ ବିଭିନ୍ନ ତୀର୍ଥ ପରିକ୍ରମା କରି ଶୁଦ୍ଧଜ୍ଞାନର ଅଧିକାରୀ ହେଲେ । ୧୯୭୪ ମସିହାରେ ଏହି ସାଧୁ ପରିବ୍ରାଜକ ନିଶ୍ଚଳାନନ୍ଦ ନାମରେ ପରିଚିତ ହେଲେ । ତାଙ୍କ ଅସାଧାରଣ ଜ୍ଞାନ ତଥା ବିଦ୍ବତ୍ତା ସର୍ବଭାରତୀୟ ସ୍ତରରେ ତାଙ୍କୁ ଏକ ମର୍ଯ୍ୟାଦାମୟ ସମ୍ମାନରେ ସମ୍ମାନିତ କରାଇଲା ଓ ୧୯୯୨ ମସିହାରେ ଗୋବର୍ଦ୍ଧନ ପୀଠର ହେଲେ ପୀଠାଧୀଶ ।

୨୦୦୬ ମସିହାରେ ତାଙ୍କ ବୈଦିକ ଗଣିତ ସବୁ ଲୋକଲୋଚୋନକୁ ଆସିବାରେ ସାରା ବିଶ୍ୱର ଗଣିତଜ୍ଞ ତାଙ୍କ ପ୍ରତି ଆକୃଷ୍ଟ ହେଲେ । ଶୂନ୍ୟର ଗୁରୁତ୍ୱ ଦର୍ଶାଇ ସିଏ ବିଶ୍ୱର ଦୃଷ୍ଟି ଆକର୍ଷକ ହେଲେ । ତାଙ୍କର ଯୁକ୍ତି ଅନୁସାରେ ଶୂନର ସ୍ଥାନ ଏକର ଉପରେ । ଏଥିପାଇଁ ସେ ୧୮ଗୋଟି ସୂତ୍ରର ପ୍ରଣୟନ କରିଛନ୍ତି ଯାହା ତାଙ୍କ ନିଷ୍କର୍ଷକୁ ନିର୍ବିବାଦୀୟ କରିପାରିଛି । କେବଳ ଏତିକି ନୁହେଁ ସାରା ବିଶ୍ୱରେ ବୈଦିକ ଗଣିତ ବର୍ତ୍ତମାନ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପାଇଁ ଏକ ଆନ୍ଦୋଳନରେ ପରିଣତ ହୋଇପାରିଛି । ଏହା ସହିତ ମାନବିକ ସକଳ ସମସ୍ୟା ସମେତ ରାଷ୍ଟ୍ରୀୟ ସମସ୍ୟାର ସମାଧାନ ସୂତ୍ର ପ୍ରଣୟନରେ ସେ ଯଥେଷ୍ଟ ପଟୁତା ଅର୍ଜନ କରିଛନ୍ତି । ଆଜି ବିଶ୍ୱ କଂପ୍ୟୁଟରର ବ୍ୟାପକ ପ୍ରଚଳନ କରୁଥିବା ସମୟରେ ସ୍ୱାମୀ ନିଶ୍ଚଳାନନ୍ଦ କୁହନ୍ତି ଯେ କଂପ୍ୟୁଟରର ମୌଳିକ ତତ୍ୱ ବେଦରେ ରହିଛି। ବେଦ ହିଁ କଂପ୍ୟୁଟରର ବିକାଶର ମୂଳଭିତ୍ତି । ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟକ୍ଷ ଅଧ୍ୟକ୍ଷତାରେ ଗୋବର୍ଦ୍ଧନ ମଠର ପୀଠ ପରିଷଦ, ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ, ଗଙ୍ଗା ସୁରକ୍ଷା ଅଭିଯାନ, ଗୋରକ୍ଷା ଅଭିଯାନ ତଥା ରାଷ୍ଟ୍ରୋତ୍କର୍ସ ଅଭିଯାନ ଆଦି ସମଗ୍ର ଭାରତ ବର୍ଷରେ ସେବା ଓ ସମାଜ କଲ୍ୟାଣର ବ୍ରତୀ ଥିବା ଅନୁଷ୍ଠାନମାନ ରହିଛନ୍ତି । ଉଲ୍ଲେଖନୀୟ ଏବଂ କ୍ଷୋଭର କଥା ଯେ, ଏକଦା ଦେଶରେ ଗୋମାତାର ସୁରକ୍ଷା ପାଇଁ ଗୋ-ସୁରକ୍ଷା ଅଭିଯାନରେ ସକ୍ରିୟ ଅଂଶଗ୍ରହଣ କରି ସ୍ୱାମୀଜୀ ତା. ୦୯.୧୧.୧୯୬୬ରୁ ୫୨ଦିନ ପର୍ଯ୍ୟନ୍ତ ତିହାର ଜେଲରେ ବନ୍ଦୀ ଭାବେ ରହିଥିଲେ । ଏହା ସତ୍ତେ୍ୱ ଆଦିଶଙ୍କରଙ୍କ ଭଳି ଧର୍ମ ସୁରକ୍ଷା ମାର୍ଗରେ ଅବିଶ୍ରାନ୍ତ ଆଗେଇ ଚାଲିଛନ୍ତି । ଦେଶର ଅଖଣ୍ଡତା, ସୀମାସୁରକ୍ଷା, ଗୋ ଓ ଗଙ୍ଗା ସୁରକ୍ଷା, ମହିଳା ଜାଗରଣ, ପର୍ଯ୍ୟବରଣ ସୁରକ୍ଷା, ରାମସେତୁ ରକ୍ଷା, ଧର୍ମାନ୍ତରିକରଣ ଅବରୁଦ୍ଧ କରିବା ଇତ୍ୟାଦି ମହାନ୍ ଧର୍ମ ରକ୍ଷା କାର୍ଯ୍ୟରେ ଥକି ଯାଇନାହାଁନ୍ତି ।

ସବୁଠୁ ଗୌରବର ବିଷୟ ଯେ, ୧୯୮୯ ମସିହାରୁ ବିଭିନ୍ନ ସମୟରେ ବିଶ୍ୱ ବ୍ୟାଙ୍କ ଗୁରୁଜୀଙ୍କ ପରାମର୍ଶକ୍ରମେ ଆନ୍ତର୍ଜାତୀୟ ଆର୍ଥିକ ସମସ୍ୟାର ସମାଧାନ କରିଛନ୍ତି । ଏପରିକି ସଂଯୁକ୍ତ ରାଷ୍ଟ୍ର ସଂଘ ମଧ୍ୟ ସ୍ୱାମୀଜୀଙ୍କଠାରୁ ମାର୍ଗଦର୍ଶନ କାମନା କରିଥାଆନ୍ତି । ଆଧୁନିକ ଉଦ୍ଭାବକମାନେ ସ୍ୱାମୀ ନିଶ୍ଚଳାନନ୍ଦଙ୍କ ଅନୁଶୀଳିତ ଓ ରଚିତ ‘ସ୍ୱସ୍ତିକ ଗଣିତ’, ‘ଅଙ୍କ ପଦାୟମ୍’ ଓ ‘ଗଣିତ ଦର୍ଶନମ’ ଆଦିରେ ଅନୁପ୍ରାଣିତ ହୋଇଛନ୍ତି । ତାଙ୍କର ସ୍ୱପ୍ନ ଓ ସଙ୍କଳ୍ପ ହେଉଛି ପ୍ରତ୍ୟେକ ଭାରତୀୟଙ୍କୁ ଶିକ୍ଷତ, ସୁସ୍ଥ, ସୁ-ସମ୍ପନ୍ନ, ଶୋଷଣ ମୁକ୍ତ, ଧର୍ମନିୟନ୍ତ୍ରିତ, ପକ୍ଷପାତହୀନ ମାର୍ଗରେ ଗଢି ତୋଳିବା । ତାଙ୍କର ନିର୍ଣ୍ଣୟ ସର୍ବୋତ୍କଷ୍ଟ ଓ ସପ୍ରମାଣ । ଇତିହାସରେ ଏପର୍ଯ୍ୟନ୍ତ ଆଦିଶଙ୍କରଙ୍କ ଆର୍ବିଭାବ ସମୟ ସ୍ଥିର କରିପାରି ନଥିବା ବେଳେ ସ୍ୱାମୀ ନିଶ୍ଚଳାନନ୍ଦ ଆଦିଶଙ୍କରଙ୍କ ସମୟ ଖ୍ରୀଷ୍ଟପୂର୍ବ ୫୦୭ ବୋଲି ସପ୍ରମାଣ ନିର୍ଣ୍ଣୟ କରିଛନ୍ତି ।

ବାସ୍ତବରେ ଏଭଳି ଜଣେ ମହାପୁରୁଷଙ୍କୁ ପାଇ ଓଡିଶା ଧନ୍ୟ ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିରର ବାହ୍ୟ ଓ ଆଭ୍ୟନ୍ତରୀଣ ସଂସ୍କାର ପକ୍ରିୟାରେ ତାଙ୍କର ଅବଦାନ ଅବର୍ଣ୍ଣନୀୟ । ରଥ ଉପରେ ପ୍ରଭୁଙ୍କୁ ଦର୍ଶନ ଓ ସ୍ପର୍ଶ ନିର୍ଣ୍ଣୟ ତାଙ୍କର ଏକ ଯୁଗାନ୍ତକାରୀ ନିଷ୍ପତ୍ତି । ଶେଷରେ ତାଙ୍କରି ଉକ୍ତିକୁ ଉଦ୍ଧାର କରାଯାଉଛି- ‘ବିଶ୍ୱରେ ଏପରି କୌଣସି ସମସ୍ୟା ନାହିଁ ଯାହାର ସମାଧାନର ସୂତ୍ର ବେଦ ବେଦାନ୍ତରେ ନାହିଁ ।’ ମାତ୍ର ଏ ସଂପର୍କରେ ପ୍ରଶ୍ନ କରିବାପାଇଁ ସଚେତନ ଯୋଗ୍ୟ ପ୍ରଶ୍ନକର୍ତ୍ତାଙ୍କର ଅଭାବ ରହିଛି । ତେବେ ଏଭଳି ଜଣେ ଜଣେ ତତ୍ତ୍ୱଦ୍ରଷ୍ଟା, ତଥ୍ୟଦ୍ରଷ୍ଟା, ଦୂରଦ୍ରଷ୍ଟା, ତ୍ରିକାଳଜ୍ଞ ସାରଦ୍ରଷ୍ଟାଙ୍କୁ ପାଇ କେବଳ ଗୋବର୍ଦ୍ଧନ ପୀଠ ନୁହେଁ, ଅପରନ୍ତୁ ସମଗ୍ର ଭାରତ ଧନ୍ୟ ହୋଇଛି । “ଅଖଣ୍ଡ ଭାରତ’ର ସ୍ୱପ୍ନ ଦେଖୁଥିବା ଅଦ୍ୱିତୀୟ ବ୍ୟକ୍ତି ଭାବରେ ସିଏ ସର୍ବମାନ୍ୟ । ଆଜି ଆଷାଢ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଜଗତ୍‌ଗୁରୁଙ୍କର ୮୪ତମ ପ୍ରାକଟ୍ୟ ଦିବସରେ ଏତିକି କେବଳ ନିବେଦନ:

‘ନାରାୟଣ ସମାରମ୍ଭା ଶଙ୍କରାଚାର୍ଯ୍ୟା ମଧ୍ୟମାମ,

ଅସ୍ମଦ୍ ଆଚାର୍ଯ୍ୟ ପର୍ଯ୍ୟନ୍ତମଂ ବନ୍ଦେ ଗୁରୁ ପରଂପରାମ ।’