ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ । ସ୍କୁଲ ହଷ୍ଟେଲରେ ସନ୍ତାନ ଜନ୍ମ କଲେ ଛାତ୍ରୀ । ଗୋପନରେ ଚାଲି ଚାଲିଥିଲା ବାଲ୍ୟ ବିବାହ, ବରକୁ ଉଠାଇନେଲା ପୁଲିସ୍ । ଖବରକାଗଜରେ ନିୟମିତ ଭାବେ ଏମିତି ଖବର ଆସୁଛି । ନାବାଳିକା ମାତୃତ୍ୱକୁ ନେଇ ଖବର ବଢ଼ୁଛି ସିନା କମୁନି । ଯେତିକି ଲଜ୍ଜା, ପରିବାରକୁ ସେତିକି ଚିନ୍ତା । ହସି ଖେଳିବା ବୟସରେ ଗର୍ଭରେ ସନ୍ତାନ । ଟାହିଟାପରା, ଲଜ୍ଜାରେ ଜୀବନ ଛଟପଟ । କିଶୋର ଜୀବନ ପାଲଟିଯାଏ ଅଭିଶପ୍ତ । ଘରୁ ବାହାରିବାକୁ ପରିବାର ଲୋକ ଡରନ୍ତି । କାହାକୁ ମୁହଁ ଦେଖାଇବି । ଏ ଭୟ ଗୋଡ଼ାଉଛି । ନାବାଳିକାଙ୍କ ଚପଳତା, ଅଜ୍ଞତା, ଶିଶୁ ସୁଲଭତାକୁ ଆଉ କିଏ ଶୋଷଣ କରୁଛି । ଖଳନାୟକଙ୍କ ମଧ୍ୟରେ ଚିହ୍ନାମୁହଁ ତ ବେଶୀ । କିଏ ସନ୍ତାନକୁ ନଷ୍ଟ କରୁଛି । କିଏ ମାଆ ହୋଇ ଜୀବନ ସାରା ରୋଗ, ଯନ୍ତ୍ରଣାରେ ଘାଣ୍ଟି ହେଉଛି । ଆଉ କିଏ ଲଜ୍ଜା ଓ ଭୟରେ ଆତ୍ମହତ୍ୟା ବି କରୁଛି । ନାବାଳିକା ମାତୃତ୍ୱର ଏ ହେଉଛି କରୁଣ ପରିଣତି ।

ଦୁର୍ଗମରୁ ସମୃଦ୍ଧ ଜିଲ୍ଲାରେ ଚିନ୍ତାଜନକ ସ୍ଥିତି

ଭାବୁଛନ୍ତି କି କେବଳ ଉପାନ୍ତ କିମ୍ବା ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ନାବାଳିକା ମାତୃତ୍ୱ ଖବର ଆସୁଛି? ଉପକୂଳ, ଶିକ୍ଷିତ ଓ ସମୃଦ୍ଧ ଜିଲ୍ଲାରେ ଏହା ଚିନ୍ତାଜନକ ସ୍ଥିତିରେ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଓ ବେସରକାରୀ ରିପୋର୍ଟ କହୁଛି, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ମୟୂରଭଞ୍ଜ ଏବଂ ରାୟଗଡ଼ା ଭଳି ଜିଲ୍ଲାଗୁଡ଼ିକରେ କିଶୋରୀ ମାତୃତ୍ୱ ହାର ଅଧିକ । ଯାଜପୁର, ଜଗତସିଂହପୁର,ବାଲେଶ୍ୱର, ନୟାଗଡ଼ରେ ମଧ୍ୟ ଏ ସଂପର୍କିତ ଅଭିଯୋଗ ଆସୁଛି । ଜଗତସିଂହପୁର ଜିଲ୍ଲାରେ ଗତ ମାସକ ମଧ୍ୟରେ ଜଣକ ପରେ ଜଣେ ନାବାଳିକା ମାଆ ହେବାର ଖବର ଆସୁଛି । କିଏ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସବ କରିଛି ତ ଆଉ କିଏ ଘରେ । ରାଜ୍ୟର କିଛି ନିର୍ଦ୍ଦିଷ୍ଟ ଜିଲ୍ଲାରେ ନାବାଳିକା ମାତୃତ୍ୱର ହାର ଚିନ୍ତାଜନକ ଭାବେ ବଢ଼ୁଛି । ଝିଅମାନଙ୍କୁ ସଶକ୍ତ କରିବାକୁ କାର୍ଯ୍ୟକ୍ରମ ଓ ଯୋଜନା ଚାଲିଛି । କିଶୋରୀ ମାତୃତ୍ୱ ଆମ ପାଇଁ ବଡ଼ ଆହ୍ୱାନ ଛିଡ଼ା କରାଇଛି । ଏହା କେବଳ ଏକ ସ୍ୱାସ୍ଥ୍ୟଗତ ସମସ୍ୟା ଆଣୁନି, ସାମାଜିକ, ଅର୍ଥନୈତିକ ସମସ୍ୟା ଆଣୁଛି ।

ଚିନ୍ତାର ବିଷୟ, କେବଳ ଗ୍ରାମାଞ୍ଚଳ ନୁହଁ, ସହରାଞ୍ଚଳର ବସ୍ତି ଅଞ୍ଚଳରେ ମଧ୍ୟ କିଶୋରୀମାନେ ଅଳ୍ପ ବୟସରେ ମା' ହେଉଥିବା ଘଟଣା ପଦାକୁ ଆସୁଛି । ଅଜଣା ଲୋକ ତ ଯୌନ ଶୋଷଣ କରୁଛନ୍ତି । ପରିବାର ଲୋକ ଯାହା ଉପରେ ଭରସା କରୁଛନ୍ତି ଅଧିକାଂଶ ସ୍ଥାନରେ ସେହି ବ୍ୟକ୍ତି ବି ବିଶ୍ୱାସରେ ବିଷ ଦେଉଛନ୍ତି । ନାବାଳିକାଙ୍କ ପ୍ରଲୋଭନ ଦେଖାଇ ଅବା ପ୍ରେମରେ ଫସାଇ ଶାରୀରିକ ସଂପର୍କ ରଖୁଛନ୍ତି । ଝିଅଟିଏ ଶିକାର ହେଉଛି । କାମୁକର ଚକ୍ରାନ୍ତ ଜାଲରେ ପଡ଼ୁଛି । କୁମାରୀ ମାତୃତ୍ୱର କଳଙ୍କକୁ ଧରି କାଟୁଛି ଛଟପଟ ଜୀବନ । ଆଉ କିଏ ଲୋକ ଲଜ୍ଜ୍ୟାରେ ଜୀବନ ହାରୁଛି । ଏଠି କାହାକୁ ଆମେ ଦୋଷ ଦେବା ଭରସାକୁ ନା ନାବାଳିକାର ଅଜ୍ଞତାକୁ? ସରକାରୀ ହିସାବ କହୁଛି ଗତ ବର୍ଷକ ମଧ୍ୟରେ ଏହିଭଳି ୫୭ ଟି ଅଭିଯୋଗ ଆସିଛି । ଏ ଚିତ୍ର ଆମ ସାମାଜିକ ଅବକ୍ଷୟର ଚିତ୍ର ବଖାଣୁ ନାହିଁ କି?

ବାଲ୍ୟ ବିବାହ, ଯୌନ ନିର୍ଯ୍ୟାତନା

ନାବାଳିକା ମାତୃତ୍ୱର କାରଣ କଣ? ଗୋଟିଏ କିମ୍ବା ଦୁଇଟି ନିର୍ଦ୍ଦିଷ୍ଟ କାରଣକୁ ଆମେ ଆଳ କରିବାପାରିବା ନାହିଁ । ଏମିତି ଗୋଟିଏ ସାମାଜିକ ସମସ୍ୟା ପାଇଁ ଅନେକ କାରଣ ଦାୟୀ । ଆଇନଗତ ଭାବେ ଝିଅଙ୍କ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷ । ପାରମ୍ପରିକ ଚିନ୍ତାଧାରାରୁ କମ୍ ବୟସରେ ଝିଅଙ୍କୁ ବାହା କରି ଦିଆଯାଉଛି । ପରିବାରର ଆର୍ଥିକ ଅନାଟକ ଓ ସଚେତନତାର ଅଭାବ ଏଥିରେ ବଡ଼ ଭୂମିକା ତୁଲାଉଛି । ଗରିବ ପରିବାରଗୁଡ଼ିକ ଝିଅମାନଙ୍କୁ ‘ବୋଝ' ବୋଲି ଆଜି ବି ଭାବୁଛନ୍ତି । ତେଣୁ ଶୀଘ୍ର ବିବାହ କରାଇ ଦେଇ କାମ ସାରିବାକୁ ଉଚିତ୍ ମଣନ୍ତି । ଏହା ଯେ ଗୋଟିଏ ଝିଅର ଜୀବନକୁ କେତେ ଖିନଭିନ୍ କରିଦିଏ ତାହା ସେ ଝିଅ ହିଁ ଜାଣେ । ଦୁନିଆ କଣ ଜାଣିବା ପୂର୍ବରୁ ସେ ସନ୍ତାନ ଲାଳନପାଳନର ବୋଝ ମୁଣ୍ଡାଏ ।

ଅପରିପକ୍ୱ ବୟସରୁ କେବେ ପାରିବାରିକ ଚାପ ସହିନପାରି ଜୀବନ ବି ହାରିଦିଏ । ବାଲ୍ୟବିବାହ ମଧ୍ୟ କିଶୋରୀ ମାତୃତ୍ୱକୁ ପ୍ରୋତ୍ସାହିତ କରୁଛି । ବାଲ୍ୟ ବିବାହକୁ ରୋକିବାକୁ ଆଇନ ଅଛି । ଆଇନକୁ ଆହୁରି ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ବାଲ୍ୟ ବିବାହ ନିଷେଧ ନିୟମାବଳୀରେ ସଂଶୋଧନ କରିଛନ୍ତି । ୨୦୩୦ ବେଳକୁ ସମ୍ପୂର୍ଣ୍ଣ ରୂପେ ଓଡ଼ିିଶାକୁ ବାଲ୍ୟ ବିବାହମୁକ୍ତ କରିବାକୁ ଲକ୍ଷ୍ୟ ରହିଛି । ଶିଶୁ ଅଧିକାରର ସୁରକ୍ଷା ସହ ବାଲ୍ୟ ବିବାହ ନିଷେଧ ପାଇଁ କାର୍ଯ୍ୟକାରୀ ହେଉଥିବା ଆଇନ୍ ଓ କାର୍ଯ୍ୟକ୍ରମର ସମୀକ୍ଷା ସହ ତଦାରଖ କରାଯାଉଛି । ହେଲେ ଆଜି ବି ସଚେତନତା ଓ ଶିକ୍ଷାର ଅଭାବ ବାଲ୍ୟ ବିବାହକୁ ଅଟକାଇ ପାରିନି । ବାହାର ରାଜ୍ୟର ବହୁ ବୟସ୍କ ବ୍ୟକ୍ତି ମଧ୍ୟ ଆମ ରାଜ୍ୟକୁ ଆସି ଚୋରା ଲୁଚାରେ ନାବାଳିକାମାନଙ୍କୁ ବିବାହ କରୁଛନ୍ତି ।

ଯୌନ ଶୋଷଣ ମଧ୍ୟ କିଶୋରୀ ମାତୃତ୍ୱର ବଡ଼ କାରଣ । ଝିଅଙ୍କ ସୁରକ୍ଷା ପାଇଁ ଯୋଜନା ଓ କାର୍ଯ୍ୟକ୍ରମ ଅଭାବ ନାହିଁ । ହେଲେ ଆମର ଆନ୍ତରିକତା ଓ ନିଷ୍ଠାପଣର ଅଭାବ ନାବାଳିକାମାନଙ୍କୁ ଅସୁରକ୍ଷିତ କରୁଛି । ଶିଶୁ ଶ୍ରମିକ ଭାବେ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ୪୩ ଜଣ । ବହୁ ଘଟଣା ଥାନାକୁ ଆସୁନି କି ମାମଲା ହେଉନି । ଝିଅଙ୍କ ଜୀବନ ସହ ଖେଳି ଚାପିଦେବାକୁ ସକ୍ଷମ ହେଉଛନ୍ତି ପ୍ରଭାବଶାଳୀ ।

ଦୁର୍ବିସହ ଜୀବନ

କିଶୋରୀ ମାତୃତ୍ୱ ଚିନ୍ତା ବଢ଼ାଇଛି । ଝିଅଟିଏ ଶୋଷଣର ଶିକାର ହୋଇ ଗର୍ଭବତୀ ହୁଏ । ଏହା ଜଣାପଡ଼ିଲା ବେଳକୁ ନେଡ଼ି ଗୁଡ଼ କହୁଣୀକୁ ବହି ଯାଇଥାଏ । ଲଜ୍ଜାରେ ସେ ଛଟପଟ ହୁଏ । ହେଲେ ଏକମାତ୍ର ବାଟ ଶିଶୁକୁ ଜନ୍ମ ଦେବା । କେତେବେଳେ ମାଆଟି ମୃତ୍ୟୁମୁଖରେ ପଡ଼େ ଆଉ କେବେ ଶିଶୁ । ନାବାଳିକା ମା'ମାନେ ପ୍ରାୟତଃ ରକ୍ତହୀନତା ଓ କୁପୋଷଣର ଶିକାର ହୁଅନ୍ତି । ଜଣେ ଅପରିପକ୍ୱ ଓ କୁପୋଷିତ ମା' କେବେ ହେଲେ ସୁସ୍ଥ ଶିଶୁ ଜନ୍ମ ଦେଇପାରେନା । ଜନ୍ମ ହେଉଥିବା ଶିଶୁଟିର ଓଜନ କମ୍ ରହେ । ଭବିଷ୍ୟତରେ ସେ ମାନସିକ ଓ ଶାରୀରିକ ଅନଗ୍ରସରତାର ସମ୍ମୁଖୀନ ହୁଏ । ଆମ ସମାଜରେ ଅବାଞ୍ଛିତ ଭାବେ ଗର୍ଭବତୀ ହେଉଥିବା ଝିଅମାନଙ୍କୁ ହେୟ ଜ୍ଞାନ କରାଯାଏ । ସେମାନେ ଗଭୀର ମାନସିକ ଅବସାଦରେ ଦିନ କାଟନ୍ତି । ମା' ହେବା ପରେ କିଶୋରୀର ଶିକ୍ଷା ସେଇଠି ଅଟକିଯାଏ । ସେ ଆତ୍ମନିର୍ଭରଶୀଳ ହେବାର ସମସ୍ତ ସୁଯୋଗ ହରାଏ । ଅନୁତାପରେ ଜଳି ଜଳି କଟେ ସାରା ଜୀବନ ।

ଆଜିକାଲି ମୋବାଇଲ୍ ଓ ଇଣ୍ଟରନେଟ୍ର ବହୁଳ ବ୍ୟବହାରରୁ କମ୍ ବୟସରେ ଗଢ଼ି ଉଠୁଛି ପ୍ରେମ ସମ୍ପର୍କ । ଭରସା ଓ ବିଶ୍ୱାସରୁ ଏ ସମ୍ପର୍କ ଶାରୀରିକ ରୂପ ନିଏ । ଏହା ହିଁ ଅବାଞ୍ଛିତ ଗର୍ଭଧାରଣର କାରଣ ପାଲଟିଯାଏ । ଅନେକ କ୍ଷେତ୍ରରେ ଦୁଷ୍କର୍ମ ଓ ଯୌନ ଶୋଷଣର ଶିକାର ହୋଇ ନାବାଳିକାମାନେ ଗର୍ଭବତୀ ହେଉଛନ୍ତି । ଏହାର ଭୟାବହ ପରିଣାମ ସାରା ଜୀବନ ଭୋଗିବାକୁ ପଡ଼େ । ମାନସିକ ଭାବେ, ଶାରୀରିକ ଭାବେ । ନାବାଳିକା ମାତୃତ୍ୱ କେବଳ ଜଣେ କିଶୋରୀର ଶରୀରକୁ ନୁହେଁ, ବରଂ ତାର ସମଗ୍ର ଭବିଷ୍ୟତକୁ ନଷ୍ଟ କରିଦିଏ । ଓଡ଼ିଶାରେ ନାବାଳିକା ମାତୃତ୍ୱର ବଢ଼ୁଥିବା ଗ୍ରାଫ୍ ଆମ ସାମାଜିକ ବିକାଶର ଦୁର୍ବଳତାକୁ ଦର୍ଶାଉଛି । ଝିଅଟିର ଚପଳାମୀରୁ ସେ ଥରେ ମାଆ ହୋଇଗଲେ ସାରା ଜୀବନ ଯନ୍ତ୍ରଣାମୟ ହୋଇ ଯାଏ । କେବଳ ଉପରଠାଉରିଆ ଭାବେ ଆଇନ ପ୍ରଣୟନ କଲେ ଏହାର ସମାଧାନ ହେବନାହିଁ ।

ପ୍ରତିଟି କିଶୋରୀକୁ ସୁରକ୍ଷିତ ମନେ କରୁଥିବା ଏକ ସମାଜ ଗଠନର ଆବଶ୍ୟକତା ରହିଛି । ଏ ଦିଗରେ ଅଭିଭାବକ ଓ ପରିବାର ସଦସ୍ୟଙ୍କ ରହିଛି ବଡ଼ ଭୂମିକା । ପିଲାମାନଙ୍କ ସହ ବଂଧୁଭାବେ ଆମକୁ ମାର୍ଗଦର୍ଶନ କରିବାକୁ ହେବ । ଶୃଙ୍ଖଳିତ ଜୀବନ ପାଇଁ ସେମାନଙ୍କ ସହ ସକରାତ୍ମକ ଆଲୋଚନାର ଆବଶ୍ୟକତା ଅଛି । ଶ୍ରେଣୀକକ୍ଷରେ ଶିକ୍ଷକମାନେ କିଶୋରୀମାନଙ୍କୁ ସେମାନଙ୍କ ଅଧିକାର ଓ ସ୍ୱାସ୍ଥ୍ୟ ବିଷୟରେ ସଚେତନ କରାନ୍ତୁ । ବିଦ୍ୟାଳୟ ପାଠ୍ୟକ୍ରମରେ ଏ ସଂପର୍କରେ ବିଷୟ ରହୁ । ଝିଅମାନଙ୍କୁ ଶିକ୍ଷିତ ଓ ସଚେତନ କରିବାର ଦାୟିତ୍ୱ ପରିବାର ନନେଲେ କିଏ ବା ନେବ? ସରକାର ଭଳିକି ଭଳି ଆଇନ, ଯୋଜନା, କାର୍ଯ୍ୟକ୍ରମ ପ୍ରଣୟନ କରିବେ । ଆମ ଘରର ଝିଅକୁ ଭଲମନ୍ଦ ବିଚାର କରିବାକୁ ଆମକୁ ହିଁ ଆଗକୁ ବାହାରିବାକୁ ହେବ ।

ଆମ ସମାଜରେ ଅବାଞ୍ଛିତ ଭାବେ ଗର୍ଭବତୀ ହେଉଥିବା ଝିଅମାନଙ୍କୁ ହେୟ ଜ୍ଞାନ କରାଯାଏ । ସେମାନେ ଗଭୀର ମାନସିକ ଅବସାଦରେ ଦିନ କାଟନ୍ତି । ମା' ହେବା ପରେ କିଶୋରୀର ଶିକ୍ଷା ସେଇଠି ଅଟକିଯାଏ । ସେ ଆତ୍ମନିର୍ଭରଶୀଳ ହେବାର ସମସ୍ତ ସୁଯୋଗ ହରାଏ । ଅନୁତାପରେ ଜଳି ଜଳି କଟେ ସାରା ଜୀବନ ।