ମନମୁଣ୍ଡା ୧୬/୦୧: ଜଣେ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ (ନାବାଳିକା) ବିଦ୍ୟାଳୟରୁ ପାଠ ପଢି ଘରକୁ ଫେରିବା ବେଳେ ସେ ଅପହରଣର ଶିକାର ହୋଇଥିଲା। ତେବେ ସୌଭାଗ୍ୟ ବଶତଃ ତା ' ଚିତ୍କାର ଶୁଣି ତା ' ଭାଇ ଅନ୍ୟ ମାନଙ୍କ ସହଯୋଗରେ ତାକୁ ଉଦ୍ଧାର କରିଥିଲେ ଏବଂ ସେଥିରେ ସଂପୃକ୍ତ ପ୍ରାୟ ୫ ଜଣ ଅଭିଯୁକ୍ତ ମଧ୍ୟରୁ ଜଣକୁ ଧରି ପୁଲିସକୁ ହସ୍ତାନ୍ତର କରିବାରେ ସଫଳ ହୋଇଥିଲେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମନମୁଣ୍ଡା ଥାନା ଅଞ୍ଚଳରେ। ମିଳିଥିବା ସୂଚନା ଅନୁଯାୟୀ, ଛାତ୍ରୀ ଜଣକ କଣ୍ଟାମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢେ। ବିଦ୍ୟାଳୟ ଠାରୁ ତାଙ୍କ ଗାଁ ପ୍ରାୟ ୨୦ କିମି ହେବ। ଗାଁକୁ ବସର ସୁବିଧା ନାହିଁ। ସେ କିଛି ଦୂର ସାଇକଲରେ ଯାଇ ସେଠାରେ ସାଇକେଲ ରଖି ବସ୍ ରେ ଯାଏ। ଗତ ୧୩ ତାରିଖ ଦିନ ସେ ବିଦ୍ୟାଳୟରୁ ପାଠ ପଢି ବସ ଯୋଗେ ଓ ପୁଣି ସାଇକଲ ଯୋଗେ ଅପରାହ୍ନ ପ୍ରାୟ ୪ ଟା ସମୟରେ ଘରକୁ ଫେରୁଥିଲା। ବାଟରେ ନିଛାଟିଆ ଦେଖି ୫ ଜଣ ଦୁର୍ବୃତ୍ତ ଏହାକୁ ନେଲେ ବହୁତ୍ ଟଙ୍କା ମିଳିବ ବୋଲି କଥାବାର୍ତ୍ତା ହୋଇ ନାବାଳିକାକୁ ଅପହରଣ କରି ନେଇ ଯାଉଥିଲେ।

ନାବାଳିକା ଚିତ୍କାର କରିବାରୁ ତା ' ଭାଇ ସୂଚନା ପାଇ ଅନ୍ୟ ମାନଙ୍କ ସହ ଘଟଣା ସ୍ଥଳ ଆଡ଼କୁ ଧାଇଁ ଆସିଥିଲେ। ଏମାନଙ୍କ ଆସିବା ଦେଖି ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲେ ଓ ଛାତ୍ରୀକୁ ଉଦ୍ଧାର ମଧ୍ୟ କରିଥିଲେ। 112 କୁ ଫୋନ କରିବାରେ ପୁଲିସ ଆସିବାରୁ ଉକ୍ତ ଅଭିଯୁକ୍ତକୁ ପୁଲିସକୁ ହସ୍ତାନ୍ତର କରିଥିଲେ। ଉକ୍ତ ଅଭିଯୁକ୍ତ ବାଳିକା ମାନଙ୍କୁ ରାଜ୍ୟ ବାହାରେ ବିକ୍ରି କରିବା ତା ' ଧନ୍ଦା ବୋଲି ଅଭିଯୋଗ ହୋଇଛି। ଅପହରଣ ବେଳେ ଟଣାଓଟରାରେ ନାବାଳିକାର ବାମ ଗୋଡ ଓ ହାତ କ୍ଷତାକ୍ତ ହୋଇ ଯାଇଥିବା ଜାଣିବାକୁ ମିଳିଛି। ପୀଡ଼ିତାର ଭାଇ ର ଏତଲା ପ୍ରକାରେ ମନମୁଣ୍ଡା ଥାନାରେ ବି .ଏନ୍ .ଏସ . ଧାରା 143,96, 137(2), 126, 115(2), 74,76, 351(2), 351 (3) 79, 3(5) ଏବଂ ପୋକ୍ସୋ ଧାରା 12 ଅନୁଯାୟୀ ଏକ ମାମଲା ନଂ 23 /26 ରୁଜୁ କରାଯାଇଛି। ଧରା ପଡ଼ିଥିବା ଅଭିଯୁକ୍ତ ନାମରେ ବାଉଁଶୁଣି ଥାନାରେ ବାଳିକା ଅପହରଣ ମାମଲା ରହିଥିଲା। ତାକୁ ଜେରା କରିବାରେ ଉକ୍ତ ଅପହୃତାକୁ ମଧ୍ୟ ପୁଲିସ ଉଦ୍ଧାର କରିବାରେ ସଫଳ ହୋଇଥିବା ଆଇ ଆଇ ସି ସସ୍ମିତା ମଗରଙ୍କ ଠାରୁ ଜାଣିବାକୁ ମିଳିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ମନମୁଣ୍ଡା ଥାନା ତାଳପଦର ଗ୍ରାମର ସମ୍ବାରୁ ଜଗଦଳା ଓ ତାକୁ ଆଜି କୋର୍ଟ ଚାଲାଣ କରାଯାଇଛି। ପୁଲିସ ଏହାର ଅଧିକ ତଦନ୍ତ ଜାରି ରଖିଥିବାବେଳେ ଘଟଣା ରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାକୁ ଉଦ୍ୟମ ଚଳାଉଥିବା ଜାଣିବାକୁ ମିଳିଛି। ଏହି ଘଟଣାରେ ଛାତ୍ରୀ ଜଣକ ଭୟଭୀତା ହୋଇ ଯାଇଛି ଓ ଆଉ ପଢିବାକୁ ଯିବ ନାହିଁ ବୋଲି କହିଛି ।