ପ୍ରମୂଖ ଖବର
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଘର ଭିତରୁ ନାବାଳିକାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା; ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ପୁଲିସକୁ ଘେରିଲେ ଗ୍ରାମବାସୀ

Published By : Bijay Swain | July 17, 2025 6:33 PM

ପାଟଣାଗଡ, ୧୭/୭(ଆପ୍ର): ପାଟଣାଗଡ଼ ଥାନା ଭଇଁଷା ଗାଁ ନୂଆପଡ଼ାର ମଧୂସୁଦନ ବର୍ଗେଙ୍କ ନାବାଳିକା ଝିଅ ଭୂମିସୁତାର ଝୁଲନ୍ତା ମୃତ ଦେହ ପୁଲିସ ଗତ ଜୁନ ୧୫ ତାରିଖ ଦିନ ତାଙ୍କ ଘରୁ ଉଦ୍ଧାର କରିଥିଲା। ଉକ୍ତ ଘଟଣାରେ ପଡୋଶୀ ଘର ମାଁ, ଝିଅ ଓ ବୋହୁ ମିଶି ତାଙ୍କ ଝିଅକୁ ତଣ୍ଟି ଚିପି ହତ୍ୟା କରିବାପରେ ଆତ୍ମହତ୍ୟାର ରୁପ ଦେଇଥିବା ନେଇ ମୃତ ନାବାଳିକାର ବାପା ଓ ମାମୁଁ ଗତ ଜୁନ ୧୬ ତାରିଖ ଦିନ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। 

ଏନେଇ ପୁଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା କହି ପରିବାର ବର୍ଗଙ୍କୁ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି କହି ଦିନ ଗଡ଼ାଇ ଚାଲିଥିଲା। ତେବେ, ପୁଲିସ ଉପରୁ ଭରଷା ଉଠିଯିବାରୁ ଗତ ୫ ତାରିଖ ଦିନ ପରିବାର ବର୍ଗଙ୍କ ସହ ଉକ୍ତ ପଡାର ପ୍ରାୟ ୫୦ରୁ ଉର୍ଦ୍ଧ୍ବ ମହିଳା ବଲାଙ୍ଗୀର ଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ନାବାଳିକାର ବାପା ପୁନର୍ବାର ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ଏସପି ଅଭିଳାଷ ଜୀଙ୍କ ହସ୍ତକ୍ଷେପ ପରେ ପାଟଣାଗଡ଼ ପୁଲିସର ଏକ ଟିମ ପଡୋଶୀ ପରିବାରର ମା, ଝିଅ ଓ ବୋହୁଙ୍କୁ ସେହିଦିନ ସନ୍ଧ୍ୟା ସମୟରେ ଥାନାକୁ ଉଠାଇ ଆଣି ଅଟକ ରଖି ତା ପରଦିନ ସେମାନଙ୍କୁ ଛାଡି ଦେଇଥିଲା । ଏହା ପରେ ପରିବାର ବର୍ଗଙ୍କ ସହ ପଡୋଶୀ ମାନଙ୍କର ପୁଲିସ ଉପରୁ ସମ୍ପୂର୍ଣ ବିଶ୍ଵାସ ଉଠିଯାଇଥିଲା । 

ଗୁରୁବାର ମଧ୍ୟାହ୍ନ ୧ ଟା ସମୟରେ ଅଭିଯୁକ୍ତଙ୍କ ଘର ସମ୍ମୁଖରେ ଥାନା ଅଧିକାରୀ ହରିବନ୍ଧୁ ଗଡତ୍ୟାଙ୍କ ନେତୃତ୍ବରେ ଦୁଇଟି ପୁଲିସ ଗାଡ଼ିର  ୧୫ରୁ ଉର୍ଦ୍ଧ୍ବ କର୍ମଚାରୀ ଅଟକି ଥିଲେ। ସେଥି ମଧ୍ୟରୁ ଥାନା ଅଧିକାରୀଙ୍କ ସହ କିଛି କର୍ମଚାରୀ ଅଭିଯୁକ୍ତଙ୍କ ଘର ଭିତରକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ରୁଦ୍ଧ ଦ୍ଵାର ବୈଠକ କରିଥିଲେ। ଯାହାକୁ ନେଇ ମୃତ ନାବାଳିକାଙ୍କ ପରିବାର ବର୍ଗଙ୍କ ସହ ପଡୋଶୀଙ୍କ ମନରେ ସନ୍ଦେହ ଉପୁଜିଥିଲା। ପୂର୍ବରୁ ପୁଲିସ ଉପରୁ ଭରଷା ଉଠିଯାଇଥିବା କାରଣରୁ ପଡାବାସୀଙ୍କ ସହ କିଛି ଗ୍ରାମବାସୀ ସେଠାରେ ଏକତ୍ରିତ ହୋଇଥିଲେ। ପରେ ଥାନା ଅଧିକାରୀଙ୍କ ସହ ପୁଲିସର କିଛି କର୍ମଚାରୀ ଅଭିଯୁକ୍ତଙ୍କ ଘର ଭିତରରେ କ'ଣ ପାଇଁ ରୁଦ୍ଧ ଦ୍ଵାର ବୈଠକ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ।  

ସେମାନଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ନ ପାଇବାରୁ ଲୋକେ ଏକତ୍ରିତ ହୋଇ ପୁଲିସ ଗାଡ଼ି ସହ କର୍ମଚାରୀମାନଙ୍କୁ ଘେରି ଦେଇଥିଲେ।  ଯେ ପର୍ଯ୍ୟନ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଳପାଳ ନ ଆସିବେ ଆମେମାନେ ଆପଣମାନଙ୍କୁ ଛାଡିବୁ ନାହିଁ ବୋଲି ଗ୍ରାମବାସୀ ନିଜ ଜିଦରେ ଅଟଳ ରହିଥିଲେ। ଦୀର୍ଘ ୫ ଘଣ୍ଟାରୁ ଅଧିକ ସମୟ ହେବ ଥାନା ଅଧିକାରୀ ପୁଲିସ କର୍ମଚାରୀ ମାନଙ୍କୁ ଗ୍ରାମବାସୀମାନେ ଅଟକ ରଖିଛନ୍ତି। ଖବର ପାଇ ସନ୍ଧ୍ୟା ୫ଟା ୨୦ ସମୟରେ ଘଟଣା ସ୍ଥଳରେ ଏସଡିପିଓ ସଦାନନ୍ଦ ପୂଝାରୀଙ୍କ  ସହ ପୁଲିସ ଫୋର୍ସ ପହଞ୍ଚି ଗ୍ରାମବାସୀ ମାନଙ୍କୁ ପୁଲିସ ଗାଡ଼ି ସହ କର୍ମଚାରୀ ମାନଙ୍କୁ ଛାଡି ଦେବା ସହ ଆମେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବୁ ବୋଲି ଶ୍ରୀ ପୂଝାରୀ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ । ତେବେ ଏସପିଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ନ ପାଇବା ପର୍ଯ୍ୟନ୍ତ ଆମେ ଛାଡିବୁ ନାହିଁ ବୋଲି ଲୋକମାନେ ନିଜ ଜିଦରେ ଅଟଳ ଅଛନ୍ତି।  ପ୍ରକାଶ ଯେ ମଧୂସୁଦନ ବର୍ଗେ ଓ ବନୀତା ବନଗୁଲାଙ୍କ ଏକମାତ୍ର ଅଲିଅଳି ନାବାଳିକା ଝିଅ ଭୂମିସୂତା ବର୍ଗେ। ସେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବାବେଳେ ଜଣେ ମେଧାବୀ ଛାତ୍ରୀ ହୋଇଥିବାରୁ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ସହ ପଡାବାସୀଙ୍କର ସେ ଅତି ପ୍ରିୟ ଭାଜନ ଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.