ନୂଆଦିଲ୍ଲୀ : ବେଳକୁ ବେଳ ବଢୁଛି ମିସ୍ ୟୁନିଭର୍ସ ୨୦୨୫ ବିବାଦ । ଗ୍ରାଣ୍ଡ୍ ଫାଇନାଲ ପୂର୍ବରୁ ଏବେ ଜୁରି ପ୍ୟାନେଲର ଦୁଇଜଣ ବିଚାରପତି ଇସ୍ତଫା ଦେଇଛନ୍ତି। ଏହି ବିଚାରପତି ମାନଙ୍କ ମଧ୍ୟରୁ ଜଣେ ଓମାର ହାରଫୌଚ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଦାବି କରିଛନ୍ତି ଯେ, ପ୍ରତିଯୋଗିତାରେ ଜାଲିଆତି ହୋଇଛି। ଜୁରି ପ୍ୟାନେଲର ଜଣେ ସଦସ୍ୟଙ୍କ ସହ ଜଣେ ପ୍ରତିଯୋଗୀଙ୍କ ସମ୍ପର୍କ ଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି । ଏହି ସମୟରେ ଅନ୍ୟ ଜଣେ ବିଚାରପତି କୌଣସି କାରଣ ନ ଦେଇ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି।
ତେବେ ଓମାର ହାରଫୌଚ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କହିଛନ୍ତି କି, " ବିଚାରକ ପ୍ୟାନେଲରେ ଏପରି ବ୍ୟକ୍ତି ମାନେ ଅନ୍ତର୍ଭୁକ୍ତ ଅଛନ୍ତି, ଯେଉଁ ମାନଙ୍କର କିଛି ମିସ୍ ୟୁନିଭର୍ସ ପ୍ରତିଯୋଗୀଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ଅଛି। ଏହା ପ୍ରତିଯୋଗୀଙ୍କ ସ୍ବାର୍ଥରେ ବିବାଦ ସୃଷ୍ଟି କରିପାରେ। ଏଥିରେ ଭୋଟ ଗଣତି ଏବଂ ଫଳାଫଳ ପରିଚାଳନା ପାଇଁ ଦାୟୀ ବ୍ୟକ୍ତିମାନେ ଅନ୍ତର୍ଭୁକ୍ତ ।
ଓମାର ଆହୁରି କହିଛନ୍ତି ଯେ ମିସ୍ ୟୁନିଭର୍ସ ମାଲିକ ରାଉଲ୍ ରୋଚାଙ୍କ ସହିତ "ଅପମାନଜନକ କଥାବାର୍ତ୍ତା" ପରେ ସେ ଇସ୍ତଫା ଦେଇଛନ୍ତି। ତେଣୁ ସେ ଆଉ ମିସ୍ ୟୁନିଭର୍ସ ୨୦୨୫ ଜୁରି ପ୍ୟାନେଲର ଅଂଶ ନୁହଁନ୍ତି। ସେ କହିଛନ୍ତି, "ମିସ୍ ୟୁନିଭର୍ସ ଭୋଟିଂ ପ୍ରକ୍ରିୟାରେ ସ୍ୱଚ୍ଛତାର ଅଭାବ ସମ୍ପର୍କରେ ମିସ୍ ୟୁନିଭର୍ସ ସିଇଓ ରାଉଲ୍ ରୋଚାଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛି । ମୁଁ ଏହି କାର୍ଯ୍ୟକ୍ରମ ପାଇଁ କମ୍ପୋଜ ହୋଇଥିବା ମ୍ୟୁଜିକ ମଧ୍ୟ ବଜାଇବି ନାହିଁ।"
ଫ୍ରାନ୍ସ ଫୁଟବଲ୍ ପରିଚାଳକ ତଥା ପୂର୍ବତନ ଫୁଟବଲ୍ ପ୍ରଫେସର କ୍ଲାଉଡ୍ ମାକେଲେଲେ ମଧ୍ୟ ମିସ୍ ୟୁନିଭର୍ସ ୨୦୨୫ ବିଚାରକ ପ୍ୟାନେଲରୁ ଇସ୍ତଫା ଦେଇଛନ୍ତି। ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି,"ଦୁଃଖର ସହ, ମୁଁ ମିସ୍ ୟୁନିଭର୍ସ ୨୦୨୫ ରେ ଅଂଶଗ୍ରହଣ କରିପାରିବି ନାହିଁ। ଆପଣଙ୍କ ବୁଝାମଣା ଏବଂ ସମର୍ଥନ ପାଇଁ ଧନ୍ୟବାଦ।" ପୋଷ୍ଟ ସହିତ ଥିବା କ୍ୟାପସନରେ କ୍ଲାଉଡ୍ କହିଛନ୍ତି, "ମୁଁ ଦୁଃଖର ସହିତ ଘୋଷଣା କରିବାକୁ ପଡୁଛି ଯେ ବ୍ୟକ୍ତିଗତ କାରଣରୁ, ମୁଁ ମିସ୍ ୟୁନିଭର୍ସ ୨୦୨୫ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବି ନାହିଁ। ଏହା ଏକ କଷ୍ଟକର ନିଷ୍ପତ୍ତି ଥିଲା, କାରଣ ମୁଁ ମିସ୍ ୟୁନିଭର୍ସକୁ ଉଚ୍ଚ ସମ୍ମାନ ଦିଏ।"