କେନ୍ଦ୍ରାପଡ଼ା/ମହାକାଳପଡ଼ା, ୯।୪: କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଛି ଏକ ଏମିତି ଖବର, ଯାହା କୌଣସି ଚଳଚ୍ଚିତ୍ରର କାହାଣୀଠୁ କମ୍ ନୁହଁ । ଦୀର୍ଘ ୨୬ ବର୍ଷର ଅପେକ୍ଷା ପରେ ଜଣେ ପୁଅ ନିଜ ପରିବାର ପାଖକୁ ଫେରିବା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମୃତ୍ୟୁ ମୁଖରୁ କେହି ଫେରିବା ଭଳି ଲାଗୁଛି ଏହି ଘଟଣା । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ବଉଳକଣି ଗ୍ରାମର ପିଣ୍ଟୁ ପ୍ରଧାନ । ଯେଉଁ ପୁଅକୁ ଘର ଲୋକେ ମରି ହଜି ଯାଇଥିବା ଭାବି ମନରେ ପଥର ରଖି ଦେଇଥିଲେ, ସେହି ପୁଅ ଦୀର୍ଘ ୨୬ ବର୍ଷ ପରେ ହଠାତ୍ ଘର ସାମ୍ନାରେ ଠିଆ ହେବା ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି ।
ଏହା ବି ପଢ଼ନ୍ତୁ... ଏମିତି ରିଲ୍ସ ନିଶା, ଚପଲ ପିନ୍ଧି ନନ୍ଦା ଓ ଭଦ୍ରା ଉପରେ ଫିଲ୍ମ ଗୀତରେ ପ୍ରେମୀ ଯୁବଳଙ୍କ ରିଲ୍ସ
କିପରି ନିଖୋଜ ହୋଇଥିଲେ ପିଣ୍ଟୁ ?
ଘଟଣାଟି ୨୦୦୦ ମସିହାର । ସେତେବେଳେ ପିଣ୍ଟୁଙ୍କୁ ମାତ୍ର ୧୫ ବର୍ଷ ବୟସ ହୋଇଥିଲା । ଚାକିରି ଆଶାରେ ସେ ଜଣେ ସମ୍ପର୍କୀୟଙ୍କ ସହ କୋଲକାତା ଯାଇଥିଲେ । କିନ୍ତୁ, କପାଳ ଲିଖନ ଥିଲା ଅଲଗା । କୋଲକାତାରୁ ତାଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ଏକ ଅଜଣା ସ୍ଥାନକୁ ନେଇଯାଇଥିଲେ । ସେଠାରେ ସେ ପ୍ରବଳ ନିର୍ଯାତନାର ଶିକାର ହୋଇଥିଲେ । ପରେ ଜଣେ ଠିକାଦାରଙ୍କ ଜରିଆରେ ସେ ଦୁବାଇ ପହଞ୍ଚିଥିଲେ ମଧ୍ୟ ସେଠାରେ ରହିବା ତାଙ୍କ ପାଇଁ ଅସହ୍ୟ ହୋଇପଡ଼ିଥିଲା । ଅନେକ ଚେଷ୍ଟା ପରେ ସେ ଭାରତ ଫେରିଲେ ସତ, କିନ୍ତୁ ହାତରେ ଟଙ୍କାଟିଏ ନଥିଲା । ତାମିଲନାଡ଼ୁର ଏକ ଘରୋଇ ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିବା ପିଣ୍ଟୁଙ୍କ ପାଇଁ ଘରକୁ ଫେରିବାର ସବୁ ବାଟ ବନ୍ଦ ଥିଲା । ଏହି ସଂଘର୍ଷ ଭିତରେ ଦେଖୁ ଦେଖୁ ୨୬ ବର୍ଷ ବିତିଗଲା । ପିଣ୍ଟୁ ସେଠାରେ ବିବାହ କରି ସଂସାର କଲେ, ତାଙ୍କର ଏବେ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।
ସ୍ତ୍ରୀ ସାଜିଲେ ପରିବାରକୁ ଯୋଡ଼ିବାର ମାଧ୍ୟମ:
ପିଣ୍ଟୁଙ୍କ ଘରକୁ ଫେରିବା ପଛରେ ତାଙ୍କ ସ୍ତ୍ରୀଙ୍କର ବଡ଼ ଭୂମିକା ରହିଛି । ଗତ କିଛି ମାସ ହେବ ସ୍ତ୍ରୀ ତାଙ୍କୁ ନିଜ ଗାଁ ଓ ବାପା-ମା'ଙ୍କ ବିଷୟରେ ବାରମ୍ବାର ପଚାରୁଥିଲେ । ସେମାନେ କେମିତି ଅଛନ୍ତି ବୁଝିବାକୁ ବାଧ୍ୟ କରିଥିଲେ । ଶେଷରେ ସ୍ତ୍ରୀଙ୍କ କଥା ରଖି ପିଣ୍ଟୁ ନିଜ ଗାଁରେ ପହଞ୍ଚିଥିଲେ । ଗତ ସୋମବାର ଯେତେବେଳେ ପିଣ୍ଟୁ ହଠାତ୍ ଘରେ ପହଞ୍ଚିଲେ, ବାପା ନଳିନୀ ପ୍ରଧାନ ଓ ମା’ ଗୀତାରାଣୀ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ । ବଡ଼ ପୁଅକୁ ପାଇ ମା' କଇଁକଇଁ ହୋଇ କାନ୍ଦି ପକାଇଥିଲେ । ପିଣ୍ଟୁଙ୍କ ଅନୁପସ୍ଥିତିରେ ତାଙ୍କର ୩ ଭାଇ ଓ ୨ ଭଉଣୀ ବିବାହ କରିସାରିଛନ୍ତି । ଗାଁରେ ପହଞ୍ଚିବା ପରେ ପିଣ୍ଟୁ ଭିଡିଓ କଲ୍ ମାଧ୍ୟମରେ ତାମିଲନାଡ଼ୁରେ ଥିବା ନିଜ ପତ୍ନୀଙ୍କୁ ପରିବାର ସହ କଥା କରାଇଛନ୍ତି । ପିଣ୍ଟୁ ଏବେ ପୁଣି ତାମିଲନାଡ଼ୁ ଫେରିଯିବେ, କିନ୍ତୁ ବହୁତ ଶୀଘ୍ର ନିଜ ସ୍ତ୍ରୀ ଓ ପିଲାଙ୍କୁ ଧରି ନିଜ ଜନ୍ମମାଟି ବଉଳକଣି ଗ୍ରାମକୁ ଫେରିଆସିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।