ପୁରୀ, ୦୯/୦୪: ନନ୍ଦା ଓ ଭଦ୍ରା ଉପରେ ରିଲ୍ସ କଲେ ପ୍ରେମୀ ଯୁଗଳ । ଦିନ ଦ୍ୱିପ୍ରହରରେ ଘଟିଛି ଘଟଣା । ପ୍ରେମରେ ପାଗଳ ଯୁବକ ଯୁବତୀଙ୍କ ଏହି ରିଲ୍ସ ଏବେ ଭାଇରାଲ ହୋଇଛି । ନରେନ୍ଦ୍ରରେ ବର୍ଷେ ହେବ ବୁଡ଼ି ରହିଥିବା ନନ୍ଦା ଓ ଭଦ୍ରା ଡଙ୍ଗାକୁ ସେବାୟତମାନେ ଭିତରୁ କାଢ଼ି କୂଳରେ ଥୋଇଥିଲେ । ଏହାକୁ ତେଲ ଓ ରଙ୍ଗ ଦିଆଯିବା ପରେ ଚନ୍ଦନଯାତ୍ରାରେ ମହାପ୍ରଭୁଙ୍କ ଚାପରେ ବ୍ୟବହାର ହେବାର ଥିଲା । ତେବେ ଡଙ୍ଗା ସୁରକ୍ଷାରେ କେହି ନଥିବା ବେଳେ ରିଲ୍ସ ବାଉଳା ଏହି ପ୍ରେମୀ ଯୁଗଳ ଚପଳ ପିନ୍ଧି ଏହା ଉପରେ ସବାର ହୋଇ ଫିଲ୍ମ ଗୀତର ତାଳେତାଳେ ଏକ୍ସପ୍ରେସନ ଦେଇ ଭିଡିଓ କରିଛନ୍ତି ।
ଆହୁରି ପଢ଼ନ୍ତୁ :- ସାଇବର ଅପରାଧୀଙ୍କ ନୂଆ ଫଣ୍ଡା ‘ସେକ୍ସଷ୍ଟ୍ରକ୍ସନ’: ଜେଲ ଭୟ ଦେଖାଇ ଟଙ୍କା ଅସୁଲ, ଟାଗେର୍ଟରେ ଟିନ୍-ଏଜର ଏବଂ ବୟସ୍କ ଗୋଷ୍ଠୀ
ଆଧ୍ୟାତ୍ମିକତା ବାଣ୍ଟୁଥିବା ତୀର୍ଥ ସ୍ଥଳରେ ଏପରି ଘଟଣା ଘଟିବା ବୁଦ୍ଧିଜୀବୀଙ୍କୁ ତାଜୁବ୍ କରିଛି । କିଛି ମାସ ତଳେ ସୁରକ୍ଷା ବିହୀନ ନରେନ୍ଦ୍ର ପୁଷ୍କରିଣୀ ଭିତର ପାଶ୍ୱର୍ ଚକଡ଼ାରେ ବହୁ କୋଟି ଖର୍ଚ୍ଚରେ ହୋଇଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ କିଛି ଦୁର୍ବୃତ୍ତ ବିକୃତ କରିଦେଇଥିଲେ । ବିଭିନ୍ନ ହିନ୍ଦୁ ଦେବଦେବୀଙ୍କ ପ୍ରତିମୂର୍ତ୍ତିକୁ ବିଶେଷ ଭାବେ ଦୁର୍ବୃତ୍ତମାନେ ବିକୃତ କରିଦେଇଛନ୍ତି । ଏପର୍ଯ୍ୟନ୍ତ ଏହାର ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ପ୍ରଶାସନ ପଦକ୍ଷେପ ନେଇନି । ଯାହା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୁଣି ଏକ ବିବାଦୀୟ ଭିଡିଓ ସାମ୍ନାକୁ ଆସିଛି ।