ରାୟଗଡ଼(ଗଜପତି)୬।୪- କାଳ ବୈଶାଖୀ ପ୍ରଭାବରେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ନିଖୋଜ ପର୍ଯ୍ୟଟକଙ୍କ ଶବ ସୋମବାର ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ କଟକ ଜ଼ିଲ୍ଲା ନିଆଳି ବ୍ଲକର ଓଲଟପୁରୁ ଗ୍ରାମର ବିନୋଦ ଜେନା ।
ରବିବାର ଚାରିଜଣ ସାଙ୍ଗ ମିଶି ପାରଳାଖେମୁଣ୍ଡି ଠାରେ ଥିବା ବିନୋଦଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ପାରଳାଖେମୁଣ୍ଡି ଠାରୁ ଗୋଟିଏ କାର ଭଡାସୂତ୍ରରେ ନେଇ ମହେନ୍ଦ୍ରଗିରି ବୁଲିବା ପାଇଁ ଯାଇଥିଲେ । ସେଠାରେ କୁନ୍ତୀ ମନ୍ଦିର, ଯୁଧିଷ୍ଠିର ମନ୍ଦିର ଏବଂ ଅର୍ଜୁନ ଗୁମ୍ଫା ବୁଲିଥିଲେ। ଏହା ପରେ ଅର୍ଜୁନ ଗୁମ୍ଫା ଠାରୁ ଭୀମ ମନ୍ଦିର ଅଭିମୁଖେ ପାହାଡ଼ ଚଢି ଯିବା ସମୟରେ ହଠାତ ଖୁବ ଜୋରରେ ପବନ ବହିବା ସହ ଘଡଘଡି ଓ ବର୍ଷା ହୋଇଥିଲା । ଫଳରେ ନିଜ ଜୀବନ ସୁରକ୍ଷା ଲାଗି ସମସ୍ତେ ସୁରକ୍ଷିତ ସ୍ଥାନକୁ ଦୌଡ଼ି ପଳାଇବା ପାଇଁ ଚେଷ୍ଟା କରି ଚାରିଜଣଙ୍କ ମଧ୍ୟରୁ ତିନି ଜଣ ସେଠାରେ ଥିବା ଭୀମ ମନ୍ଦିର ଭିତରେ ଆଶ୍ରୟ ନେଇଥିଲେ। ଅନ୍ୟ ଜଣେ ପାହାଡ ତଳପଟକୁ ଦୌଡ଼ିବାରେ ଲାଗିଲେ। ତେବେ ବର୍ଷା ପ୍ରାୟ ୧୦ ମିନିଟ ହେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ସେହି ସମୟରେ ତିନି ବନ୍ଧୁ ନିଖୋଜ ବିନୋଦଙ୍କୁ ଖୋଜିବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେଠାରେ ଥିବା ୱାଚ ଟାୱାର ଏବଂ ରିସର୍ଟ ରେ ନିୟୋଜିତ ବନବିଭାଗର କର୍ମଚାରୀଙ୍କୁ ଭେଟି ସମସ୍ତ କଥା ଜଣାଇଥିଲେ। ଏହା ପରେ ବନ ବିଭାଗ କର୍ମଚାରୀଙ୍କ ସହ ମିଶି ଭୀମ ମନ୍ଦିର ପାହାଡର ସମସ୍ତ ଅଞ୍ଚଳକୁ ଖୋଜାଖୋଜି କରିଥିଲେ । କୌଣସି ଅନୁସନ୍ଧାନ ନପାଇବାରୁ ଗାରାବନ୍ଧ ପୋଲିସର ସହାୟତା ନେଇଥିଲେ । ରାତି ତମାମ ଗାରାବନ୍ଧ ପୋଲିସ ଓ ରାମଗିରି ରେଞ୍ଜର ବନକର୍ମଚାରି ସମସ୍ତେ ମିଶି ପୁଣି ଖୋଜାଖୋଜି କରିଥିଲେ । ତେବେ ଭୋର ସମୟରେ ମୃତ ବିନୋଦଙ୍କ ଶବଟି ଭୀମମନ୍ଦିରରୁ ସହଦେବ ମନ୍ଦିର ମଧ୍ୟରେ ଥିବା ପାହାଡ ଉପରୁ ଗାରାବନ୍ଧ ପୋଲିସ ଉଦ୍ଧାର କରିଛି । ଘଟଣା ସ୍ଥଳକୁ ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାଧବାନନ୍ଦ ନାୟକଙ୍କ ସମତେ ସାଇଣ୍ଟିଫିକ ଟିମ ପହଞ୍ଚି ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ଶବ ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜ଼ିଲ୍ଳା ମୁଖ୍ୟ ଚିକିତ୍ସାଲୟକୁ ପଠାଇଥିଲେ। ତେବେ ଘଟଣାକୁ ନେଇ ଗାରାବନ୍ଧ ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକା ସୂଚନା ଦେଇଛନ୍ତି ।