ଭୁବନେଶ୍ବର, ୬/୨ : ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୫–୨୬ ଶିକ୍ଷାବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅନ୍ତର୍ଗତ ସ୍କଲାରଶିପ୍ ପୋର୍ଟାଲକୁ ଆଉଥରେ ଖୋଲା ଯାଇଛି। ଅବଶିଷ୍ଟ ଖାଲି ଆସନ ପାଇଁ ନୂଆ ଆବେଦନ କରି ପାରିବେ। ବିଭାଗ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ୬ ଫେବୃଆରୀରୁ ୨୬ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ଗ୍ରହଣ କରାଯିବ ।

ଏହି ସମୟସୀମା ପରେ ଆଉ କୌଣସି ବୃଦ୍ଧି ହେବ ନାହିଁ।ପୋର୍ଟାଲ୍ ପୁନଃଖୋଲା ହେବା ସହିତ ଇ-ମେଧାବୃତ୍ତି (ୟୁଜି ମେରିଟ୍), ଇ-ମେଧାବୃତ୍ତି (ପିଜି ମେରିଟ୍), ଇ-ମେଧାବୃତ୍ତି (ଟେକ୍ନିକାଲ୍ ଓ ପ୍ରୋଫେସନାଲ୍), ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ଯୋଜନା ଓ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ଅନ୍ତର୍ଗତ ସ୍କଲାରସିପ୍ ଯୋଜନାଗୁଡ଼ିକରେ ଆବେଦନ କରାଯାଇ ପାରିବ।ନନ୍-ସାମ୍ସ (Non-SAMS) ଛାତ୍ରଛାତ୍ରୀମାନଙ୍କ ପାଇଁ ଡିଜିଲକର ମାଧ୍ୟମରେ ଆବଶ୍ୟକ ଦଲିଲ ଅପଲୋଡ୍ କରିବାକୁ ବାଧ୍ୟତାମୂଳକ କରାଯାଇଛି, ଯାହାଦ୍ୱାରା ଆବେଦନର ଶୀଘ୍ର ସତ୍ୟାପନ ସମ୍ଭବ ହେବ।ଅନଲାଇନ୍ ଆବେଦନ ସମୟରେ କୌଣସି ସମସ୍ୟା ହେଲେ, ଛାତ୍ରଛାତ୍ରୀମାନେ ସରକାରୀ ସ୍କଲାରଶିପ୍ ପୋର୍ଟାଲରେ ଉପଲବ୍ଧ FAQs ଦେଖି ପାରିବେ କିମ୍ବା କାର୍ଯ୍ୟଦିବସରେ ୦୬୭୪-୨୩୯୬୫୫୦, ୦୬୭୪-୨୩୯୧୧୨୬, ୦୬୭୪-୨୩୯୧୧୨୭, ୦୬୭୪-୨୩୯୧୧୨୮ ନମ୍ବରରେ ହେଲ୍ପଲାଇନ୍ ସହିତ ଯୋଗାଯୋଗ କରି ପାରିବେ। ଇ-ମେଲ୍ ମାଧ୍ୟମରେ [email protected] ଠିକଣାକୁ ମଧ୍ୟ ଅଭିଯୋଗ ପଠାଇ ପାରିବେ ।