ଭୁବନେଶ୍ୱର,୧୨/୦୪: ଜଣେ ପର୍ଯ୍ୟଟକ ଖାଲି ଅଟୋ କି କାର ନୁହେଁ, ଗୋଟିଏ  ଆପ୍‌ରେ ଆମ ବସ୍‌ ପାଇଁ ଟିକେଟ୍‌ କାଟି ପାରିବ । ଏମିତିକି ଓଟିଡିସି ତରଫରୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଥିବା ବୋଟିଂ ପାଇଁ ମଧ୍ୟ ଟିକେଟ୍‌ କରିହେବ । ଏହି ଲକ୍ଷ୍ୟରେ  ‘ଓଡିଶା ଯାତ୍ରୀ’ ଆପ୍‌ ସହ ମିଶିବାକୁ ଯାଉଛି ଆମ ବସ୍‌ ଆପ୍‌ ଓ ଓଟିଡିସି ପର୍ଯ୍ୟଟନ ଟିକେଟିଂ ପ୍ଲାଟଫର୍ମ । 

ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା  ପାଢ଼ୀଙ୍କ ଅଧ୍ୟକ୍ଷତାରେ "ଓଡ଼ିଶା ଯାତ୍ରୀ'କୁ ନେଇ ଶୁକ୍ରବାର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ  ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷ୍ପତ୍ତି ନିଆଯାଇଛି ଯେ ଓଡିଶା ଯାତ୍ରୀ ପାଇଁ ସୁପର ଆପ୍‌ ବନାଯିବ । ଲୋକମାନେ ଉକ୍ତ ଆପ୍‌ ଜରିଆରେ ଆମ ବସ ସହ ବୋଟିଂ ପାଇଁ  ଟିକେଟ୍‌ କାଟିପାରିବେ । ଯାତ୍ରୀଟିଏ ତା'ର ରାଇଡ଼୍‌ ବୁକ୍‌ କରିବା ପାଇଁ ସ୍ଥାନୀୟ ବସ୍‌ ଏବଂ  ପର୍ଯ୍ୟଟକମାନେ ସ୍ଥାନୀୟ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିବାର ସୁଯୋଗ ନେବେ । ଏହି  ରାଇଡ୍‌ ସେବା ଆପ୍‌ ଆଗାମୀ ଦିନରେ ରାଜ୍ୟବ୍ୟାପୀ କାର୍ଯ୍ୟକ୍ଷମ ହେବ । 

ସେହିପରି  ଡ଼ିଜିଟାଲ୍‌ ମାଧ୍ୟମରୁ ବଞ୍ଚିତ ରହୁଥିବା ଗ୍ରାହକଙ୍କ ପାଇଁ ଜନଗହଳି ସ୍ଥାନରେ ଓଡ଼ିଶା ଯାତ୍ରୀ  ଟିକେଟ୍‌ ବୁକିଂ କିଓସ୍କ ବା ବୁଥ୍‌ ତିଆରି ହେଉଛି । ଭୁବନେଶ୍ୱର ବିମାନବନ୍ଦରରେ ଏକ ବୁଥ୍‌ ଥିବା ବେଳେ ରେଳଷ୍ଟେସନ, ବରମୁଣ୍ଡା ଓ କଟକ ବସ୍‌ଷ୍ଟାଣ୍ଡରେ ବୁଥ୍‌ ନିର୍ମାଣ  ଚାଲିଛି । ସାଧାରଣ ଯାତ୍ରୀଟିଏ ମଧ୍ୟ ବୁଥ୍‌ ମାଧ୍ୟମରେ ରାଇଡ଼୍‌ ବୁକିଂ କରିପାରିବେ । ଏହି  ଆପ୍ର ପ୍ରମୁଖ ଆକର୍ଷଣ ହେଉଛି ଏକ ଶୂନ କମିଶନକୁ ପ୍ରାଧାନ୍ୟ ଦେବା ସହିତ ଉଭୟ  କ୍ୟାବ୍‌ ଏବଂ ଅଟୋ ଡ୍ରାଇଭରଙ୍କ ରୋଜଗାରକୁ ସଶକ୍ତ କରୁଛି । ଏହାକୁ ଡ଼ିଜିଟାଲ୍‌ ଭାବରେ  ସଶକ୍ତ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ପରିବେଶକୁ ମଧ୍ୟ ଧ୍ୟାନ ଦିଆଯାଉଛି । ସମୀକ୍ଷା  ବୈଠକରେ ପରିବହନ କମିଶନର ଅମିତାଭ ଠାକୁର, ବିଏମ୍‌ସି କମିଶନର ରାଜେଶ  ପ୍ରଭାକର ପାଟିଲ୍‌ ଓ ପରିବହନ ଯୁଗ୍ମ ନିର୍ଦ୍ଦେଶକ ତପନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।