ଜୟପୁର,୧୧/୦୯: କୋରାପୁଟ ଜିଲ୍ଲା ଜୟପୁର ସହର ସ୍ଥାନୀୟ ମାଛବନ୍ଧସାହିର ଶ୍ୟାମସୁନ୍ଦର  ପରଜା(୩୫) । ଶିକ୍ଷାଗତ ଯୋଗ୍ୟତା ମାତ୍ର ଦ୍ୱିତୀୟ ଶ୍ରେଣୀ । ଅଧିକ ପାଠ ପଢିନଥିଲେ ବି ମନରେ ରହିଛି ଦୃଢ ଆତ୍ମବିଶ୍ୱାସ । ମୋବାଇଲ ମରାମତି କାମକୁ ପେସା ଭାବେ ଗ୍ରହଣ କରିଛନ୍ତି । ମାସକୁ ରୋଜଗାର କରୁଛନ୍ତି ୨୦ ହଜାରରୁ ଅଧିକ ଟଙ୍କା ।  ଦୋକାନଟିଏ ଖୋଲି ନିଜେ ମୋବାଇଲ୍‌ ମରାମତି କରିବା ସହ ଅନ୍ୟ ବେକାର ଯୁବକଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଦକ୍ଷତା ହାସଲ କରିବାକୁ ହେଲେ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନାହିଁ । ଭଲ ଗୁରୁ ମିଳିଗଲେ ଯେକୌଣସି କାମ ସହଜରେ କରିହେବ ବୋଲି କହିଛନ୍ତି ଶ୍ୟାମସୁନ୍ଦର ।

ଶ୍ୟାମସୁନ୍ଦର କହିଛନ୍ତି,  ବିକ୍ରମନଗର ପ୍ରାଥମିକ ବିଦ୍ୟାଳୟରେ ଦ୍ୱିତୀୟ ଯାଏଁ ପାଠ ପଢିଥିଲେ । ଆଗ୍ରହ ନଥିବାରୁ ପାଠ ଛାଡିଦେଇଥିଲେ ।  ବେକାର ହୋଇ ବୁଲାବୁଲି କରୁଥିଲେ । ତାଙ୍କୁ ୧୫ ବର୍ଷ ହୋଇଥିବା ବେଳେ ରଜାନଅର ନିକଟରେ ନୂଆରେ ମୋବାଇଲ ବିକ୍ରି ଓ ମରାମତି ଦୋକାନ ଖୋଲିଥିଲା । ଏହାର ମାଲିକ ଥିଲେ ମୁନା ଭାଇନା । ସେ ମୋବାଇଲ ମରାମତି ପ୍ରଶିକ୍ଷକ ଥିଲେ । ତାଙ୍କ  ଦୋକାନରେ ପ୍ରଥମେ ମାସକୁ ୩  ହଜାର ଟଙ୍କାରେ କାମ କରୁଥିଲେ ।  ଅନ୍ୟମାନଙ୍କୁ ମୁନା ମୋବାଇଲ ମରାମତି କାମ ଶିଖାଉଥିବା ବେଳେ ଧ୍ୟାନରେ ଦେଖୁଥିଲେ । ଏହା ପରେ ଆସ୍ତେ ଆସ୍ତେ ଦୋକାନ କାମ ସହ ମୋବାଇଲ ମରାମତି କାମ ଶିଖିବା  ଆରମ୍ଭ କରିଥିଲେ । ମରାମତି କାମ ଭଲ ଭାବରେ ଶିଖିବାକୁ ପ୍ରାୟ ତିନିବର୍ଷ  ଲାଗିଥିଲା । ତାଙ୍କ ଦୋକାନରେ ହିଁ ଗ୍ରାହକଙ୍କ ମୋବାଇଲ ମରାମତି କରିବାକୁ ସୁଯୋଗ ମିଳିଥିଲା ।

ଗତ  ୪ ବର୍ଷ ହେଲା ଲାଲ୍‌ ସାହିରେ ନିଜ  ଦୋକାନ ଖୋଲିଛନ୍ତି । ଏଠାରେ  ମୋବାଇଲ ମରାମତି ଓ ପାର୍ଟସ୍‌ ବିକ୍ରି କରୁଛନ୍ତି । ଦିନକୁ ଦିନ ଟେକ୍‌ନୋଲୋଜି ବଦଳୁଛି । ନୂଆନୂଆ ମୋବାଇଲ  ବଜାରକୁ ଆସୁଛି । ଏହାକୁ ଦେଖି  ନିଜକୁ ଅପଡେଟ୍‌ କରିବାକୁ ପଡୁଛି ।  କାମ ଶିଖିଥିବାରୁ ଅପଡେଟ ହେବାକୁ  ଅସୁବିଧା ହେଉନି। ସାନ ଦୁଇଭାଇଙ୍କୁ  ମଧ୍ୟ ମୋବାଇଲ ମରାମତି  ଶିଖାଇଛନ୍ତି । ସେମାନଙ୍କ ମଧ୍ୟରୁ  ଜଣେ ଏକ ମୋବାଇଲ କମ୍ପାନିରେ  ମେକାନିକ ଭାବେ କାମ କରୁଛନ୍ତି ।  ଶ୍ୟାମସୁନ୍ଦର ଆହୁରି କହିଛନ୍ତି ଯେ ମୋବାଇଲ ମରାମତି ଶିଖିବା କଷ୍ଟ କାମ  ନୁହେଁ । ଏଥିଲାଗି ନିଜର ଆତ୍ମବିଶ୍ୱାସ  ଓ ଏକାଗ୍ରତା ରହିବା ଦରକାର ।  ପ୍ରଶିକ୍ଷକଙ୍କ ପରାମର୍ଶ ଗ୍ରହଣ କଲେ  ହିଁ ଜଣେ ଭଲ ମୋବାଇଲ ମେକାନିକ  ହୋଇପାରିବ ।