ଭାରତକୁ ତୃତୀୟ ବୃହତ୍ ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବାର ମୋର ଲକ୍ଷ୍ୟ: ମୋଦି, ଦୁନିଆଁର ସବୁଠୁ ବଡ଼ ଭିଡିଓ କନଫରେନ୍ସ ଆଜି

ନୂଆଦିଲ୍ଲୀ,୨୮।୨: ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ସଂଗଠନ ଭାରତୀୟ ଜନତା ପାର୍ଟିର ମେରୁଦଣ୍ଡ ହେଉଛନ୍ତି ଏହାର କର୍ମୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି ଯେ ଯେତେବେଳେ ତାଙ୍କ ସରକାର କ୍ଷମତାକୁ ଆସିଥିଲା ସେତେବେଳେ ଭାରତ ବିଶ୍ୱର ଏକାଦଶ ବଡ଼ ଅର୍ଥନୀତିରେ ମଜବୁତ ରାଷ୍ଟ୍ର ଥିଲା ମାତ୍ର ଏବେ ଏହା ଷଷ୍ଠ ସ୍ଥାନରେ ପହଞ୍ଚିଛି। ଭାରତକୁ ତୃତୀୟ ବୃହତ୍ ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ରହିଛି। ଭାରତର ରକ୍ଷା କରିବାକୁ ଯେଉଁମାନେ ପରିଶ୍ରମ କରୁଛନ୍ତି ସେମାନଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି ନରେନ୍ଦ୍ର ମୋଦୀ।
ଏଠାରେ ସୂଚନାଯୋଗ୍ୟ ଯେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିପ୍ରହର ୧୨ ଟା ସମୟରେ ଦେଶସାରା ଥିବା ଏକ କୋଟିରୁ ଅଧିକ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା, ସ୍ୱେଚ୍ଛାସେବୀ ଓ ଅନ୍ୟାନ୍ୟ ବିଶିଷ୍ଟ ନାଗରିକମାନଙ୍କୁ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଉଦ୍ବୋଧନ ଦେଇଛନ୍ତି। ଏଥିରେ ସେ ଦେଶର ବିଭିନ୍ନ ସ୍ଥାନର କାର୍ଯ୍ୟକର୍ତ୍ତାମାନଙ୍କ ସହ ସିଧାସଳଖ କଥା ହୋଇଛନ୍ତି ଏବଂ ସେମାନଙ୍କୁ ସନ୍ଦେଶ ଦେଇଛନ୍ତି।
ଏହି କନ୍ଫରେନ୍ସରେ ଭାରତୀୟ ଜନତା ପାର୍ଟିର ୧୪ହଜାର ମଣ୍ଡଳ, ୮୯୬ ଜିଲ୍ଲା ଓ ମହାନଗରରେ ଆୟୋଜିତ ହୋଇଛି। ଏହାକୁ ବିଶ୍ୱର ସବୁଠାରୁ ବଡ଼ ଭିଡ଼ିଓ କନ୍ଫରେନ୍ସିଂ ବୋଲି ଦଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦାବି କରାଯାଉଛି। ଏହା ଜରିଆରେ ଭାଜପା ପ୍ରାୟ ୧୦ କୋଟି ଲୋକଙ୍କ ପାଖରେ ପହଞ୍ଚିବାର ଦାବି କରିଛି।