ପୁରୀ, ୦୪/୦୬: ପ୍ରାୟ ୮,୩୦୧ କୋଟି ଟଙ୍କାର ବ୍ୟୟ ଅଟକଳରେ ରାମେଶ୍ୱରରୁ ପାରାଦୀପ ୧୬୦ କିଲୋମିଟର ବିଶିଷ୍ଟ କୋଷ୍ଟାଲ ଗ୍ରୀନଫିଲ୍ଡ ଉପକୂଳ ରାଜମାର୍ଗ ନିର୍ମାଣ ହେବ । ଏହି ଜାତୀୟ ରାଜପଥ ଓଡ଼ିଶାର ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ମୁକାବିଲା କ୍ଷମତାକୁ ଯଥେଷ୍ଟ ଶକ୍ତିଶାଳୀ କରିବ । ଏହି ପ୍ରକଳ୍ପ ଓଡ଼ିଶାର ବାତ୍ୟା ପ୍ରବଣ ଉପକୂଳରେ ଏକ ଦୃଢ଼ ବିକଳ୍ପ ପରିବହନ କରିଡର ପ୍ରଦାନ କରିବ । ଯାହା ଗୁରୁତର ବିପର୍ଯ୍ୟୟ ସମୟରେ ଦ୍ରୁତ ଗଣ-ସ୍ଥାନାନ୍ତରଣକୁ ସୁଦୃଢ କରିବ, ବାଧାହୀନ ଯୋଗାଣ ଶୃଙ୍ଖଳା ସୁନିଶ୍ଚିତ କରିବ ଏବଂ ଜରୁରୀକାଳୀନ ମୁକାବିଲା ତଥା ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରିକ୍ସ ସମ୍ମିଳନୀରେ କହିଛନ୍ତି ।
ବିପର୍ଯ୍ୟୟ ଆଶଙ୍କା ହ୍ରାସ ଦିଗରେ ପ୍ରତିରୋଧୀ ଭିତ୍ତିଭୂମିର ଭୂମିକା ସମ୍ପର୍କରେ ଆଲୋକପାତ କରି ସିଏମ୍ ମାଝୀ ନିକଟରେ ଅନୁମୋଦିତ ହୋଇଥିବା ରାମେଶ୍ବରମ୍-ପାରାଦୀପ କୋଷ୍ଟାଲ୍ ଗ୍ରୀନଫିଲ୍ଡ ଉପକୂଳ ରାଜମାର୍ଗ ଉପରେ ଆଲୋକପାତ କରିଥିଲେ । ସେ କହିଛନ୍ତି, ଏହି ପ୍ରକଳ୍ପ ଓଡ଼ିଶା ପାଇଁ ଅନୁମୋଦିତ ଅନ୍ୟାନ୍ୟ ରୂପାନ୍ତରଣମୂଳକ ଭିତ୍ତିଭୂମି ପଦକ୍ଷେପଗୁଡ଼ିକର ପରିପୂରକ । ଏହା ହେଉଛି-
- ପ୍ରାୟ ୮,୩୦୭ କୋଟି ଟଙ୍କାର ବିନିଯୋଗରେ ୧୧୧ କିଲୋମିଟର ବ୍ୟାପୀ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ ପ୍ରକଳ୍ପ।
- ନୀତି ଆୟୋଗର ସହାୟତାରେ କେନ୍ଦ୍ରୀୟ ଅନୁଦାନରୁ ୫,୦୦୦ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡରପ୍ରକଳ୍ପ।
ଏହି ପ୍ରକଳ୍ପଗୁଡ଼ିକ କେବଳ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ନାହିଁ, ବରଂ ଦୀର୍ଘକାଳୀନ ବିପର୍ଯ୍ୟୟ ପ୍ରତିରୋଧ ଏବଂ ଜଳବାୟୁ ଅନୁକୂଳ ପଦକ୍ଷେପ ନେବାରେ ମଧ୍ୟ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।