ନୂଆଦିଲ୍ଲୀ : ଇରାନ ଯୁଦ୍ଧକୁ ଆଜି ୨୫ତମ ଦିନ। ଏହି ମଧ୍ୟରେ ଏହି ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ଆକଳନ କରାଯାଉଛି। ପ୍ରକୃତ କଥା ହେଲା ଆମେରିକା ଦିନକ ପୂର୍ବରୁ ଇରାନର ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣକୁ ପାଞ୍ଚ ଦିନ ପାଇଁ ସ୍ଥଗିତ ରଖିଛି। ଏବେ ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନି ମଧ୍ୟ ଆମେରିକା ସହ ଆଲୋଚନାକୁ ଅନୁମୋଦନ ଦେଇଥିବା କୁହାଯାଉଛି। କିନ୍ତୁ ଏହି ଅନୁମୋଦନ ଗୋପନ ଉପାୟରେ ଦିଆଯାଇଛି। ଏମିତି ସାଉଦି ଆରବ ଗଣମାଧ୍ୟମ ଦାବି କରିଛି। ସାଉଦି ମିଡ଼ିଆ ଆଉଟଲେଟ୍ ଅଲ୍ ଆରବିୟାର ରିପୋର୍ଟରେ ଦାବି କରାଯାଇଛି ଯେ, ଇରାନୀ ବୈଦେଶିକ ମନ୍ତ୍ରୀ ଅବାସ ଅରାଘଚୀ ଗୋପନ ରୂପେ ଆମେରିକୀୟ ଦୂତ ଷ୍ଟିଭ୍ ୱିଟକଫଙ୍କୁ ସୂଚିତ କରି ଥିଲେ ଯେ, ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନି ଆମେରିକା ସହ ଆଲୋଚନାକୁ ଅନୁମୋଦନ ଦେଇ ସାରିଛି।
ଅଲ୍ ଆରବିଆ ମଙ୍ଗଳବାର ଇସ୍ରାଏଲୀୟ ଖବରକାଗଜ ୟେଦିଓଥ୍ ଆହରୋନୋଥରୁ ଉଦ୍ଧୃତ କରି କହିଛି ଯେ, ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚୀ ଗୁପ୍ତରେ ଆମେରିକୀୟ ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟକଫଙ୍କୁ କହିଛନ୍ତି। ସର୍ବୋଚ୍ଚ ନେତା ମୋଜତବା ଖାମେନି କୌଣସି ସମ୍ଭାବ୍ୟ ଚୁକ୍ତିରେ ପହଞ୍ଚିବା ପାଇଁ ଆଲୋଚନାକୁ ଅନୁମୋଦନ ଦେଇଛନ୍ତି। ହେଲେ, ଇରାନ ଆନୁଷ୍ଠାନିକ ଭାବରେ ଏପରି କୌଣସି ଆଲୋଚନାକୁ ଅସ୍ୱୀକାର କରିଛି, ଯାହା ସମଗ୍ର ଘଟଣା ଘେରି ରହିଥିବା ରହସ୍ୟକୁ ଆହୁରି ଘନିଷ୍ଠ କରିଛି।
ରିପୋର୍ଟ ଅନୁଯାୟୀ, ଇରାନୀ ନେତୃତ୍ୱ ନିଜ ସର୍ତ୍ତାବଳୀ ଅନୁଯାୟୀ ଯୁଦ୍ଧର ଶୀଘ୍ର ସମାପ୍ତି ଚାହୁଁଛନ୍ତି। ୟେଦିଓଥ୍ ଆହରୋନୋଥ୍ ସୂତ୍ର ମଧ୍ୟ ରିପୋର୍ଟ କରିଛି ଯେ, ମୋଜତବା ଖାମେନି ଇରାନର ସର୍ତ୍ତାବଳୀ ଅନୁଯାୟୀ ଯୁଦ୍ଧର ଶୀଘ୍ର ସମାପ୍ତି ପାଇଁ ରାଜି ହୋଇଛନ୍ତି।
ଏହାସହ ମଧ୍ୟ ପଢନ୍ତୁ : ହୋର୍ମୁଜ ମାମଲା : ଇରାନର 'ଅନୁମତି' ଦାବିକୁ ଖାରଜ କଲା ଭାରତ ; ସ୍ପଷ୍ଟ ଭାବେ କହିଲା -
ଉଲ୍ଲେଖନୀୟ ଯେ, ଏହି ଘଟଣା ଏପରି ସମୟରେ ଘଟିଛି, ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ପ୍ରାୟ ତିନି ସପ୍ତାହ ଧରି ସଂଘର୍ଷ ଚାଲିଛି ଏବଂ ଉଭୟ ପକ୍ଷକୁ ବହୁତ କ୍ଷତି ସହିବାକୁ ପଡ଼ିଛି। ଏହି ସମୟରେ, ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସୋମବାର ଏକ ଅପ୍ରତ୍ୟାଶିତ ପଦକ୍ଷେପ ପୂର୍ବର ହୋର୍ମୁଜ୍ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ଦିଆଯାଇ ଥିବା ୪୮ଘଣ୍ଟାର ସମୟ ସୀମା ପରେ , ପାଞ୍ଚ ଦିନ ପାଇଁ ସାମରିକ ଆକ୍ରମଣ ସ୍ଥଗିତ ରଖିବା ଘୋଷଣା କରିଛନ୍ତି।