ଆଠଗଡ଼,୦୪/୦୪: ବୁଣାକାରଙ୍କ  ଅଗୋଚରରେ ଅଢ଼େଇ କୋଟିର ଘୋଟାଲା ।  ଭୂତ ହିତାଧିକାରୀଙ୍କ ଆକାଉଣ୍ଟ୍‌କୁ ଯାଇଛି  ଲକ୍ଷ ଲକ୍ଷ ଟଙ୍କା । କେନ୍ଦ୍ର ସରକାରଙ୍କ ଅଣୁ  କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଅଧୀନରେ ସ୍ଫୁର୍ତି  (ଏସ୍‌ଏଫ୍‌ୟୁଆର୍‌ଆଇଟି) କ୍ଲଷ୍ଟର୍‌ ଯୋଜନାରେ  ଏହି ହରିଲୁଟ୍‌ ହୋଇ ଥିବା  ଆଠଗଡ଼ ଉପଜିଲ୍ଲାପାଳଙ୍କ  ନିକଟରେ ଅଭିଯୋଗ  ହୋଇଛି । 

ସୂଚନା ମୁତାବକ, ଗତ ୨୦୦୬-୦୭  ମସିହାରେ ବଡ଼ମ୍ବା ବ୍ଲକ ଅଧୀନ ମାଣିଆବନ୍ଧରେ  କେନ୍ଦ୍ର ସରକାରଙ୍କ ବୟନଶିଳ୍ପ ମନ୍ତ୍ରାଳୟ ପକ୍ଷରୁ  ମାଣିଆବନ୍ଧ ହ୍ୟାଣ୍ଡ୍‌ଲୁମ୍‌ ପ୍ରତିଷ୍ଠା କରାଯାଇଥିଲା ।  କିନ୍ତୁ ୨୦୨୧ ମସିହାରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ  ଉଦ୍ୟୋଗ ମନ୍ତ୍ରାଳୟ ପକ୍ଷରୁ ବୁଣାକାରମାନଙ୍କ  ଅଗୋଚରରେ ମାଣିଆବନ୍ଧ ହ୍ୟାଣ୍ଡ୍‌ଲୁମ୍‌ କ୍ଲଷ୍ଟର୍‌ ନାମରେ ଏହା କାର୍ଯ୍ୟକାରୀ ହେଉଥିବା ଜଣାପଡ଼ିଛି । ଏହି କ୍ଲଷ୍ଟର୍‌ଟି ସୋସାଇଟି ଆକ୍ଟ ଅନୁସାରେ  ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି । ବଡ଼ମ୍ବା  ତହସିଲ କିରିକିଚା, ମହୁଲିଆ ମୌଜା ଖାତା  ନଂ. ୨୯୫/୨୭୨ ପ୍ଲଟ ନଂ. ୧୬୨୮, ୧୮୩୦,  ୧୮୮୧ର ୧୬ ଡେସିମିଲି ବା ୬୯୬୮ ବର୍ଗଫୁଟ  ଜାଗାକୁ ୨୦୨୧ ମସିହାରୁ ୨୦୩୬ ମସିହା ପର୍ଯ୍ୟନ୍ତ  ସୋସାଇଟି ବା ସ୍ଫୁର୍ତି ନାମରେ ଲିଜ୍‌ ଦିଆଯାଇଛି ।  ତେବେ ଏହାର ମ୍ୟାନେଜିଂ ଟ୍ରଷ୍ଟି ଏବଂ ତାଙ୍କ  ସ୍ୱାମୀ ମାଣିଆବନ୍ଧ ବୁଣାକାର ସମବାୟ ସମିତିର  ସମ୍ପାଦକ ତଥା ଲିଜ୍‌ ଜମିର ମାଲିକ ଏହି ଚୁକ୍ତି  ଖିଲାପ କରି ଉକ୍ତ ଜମିକୁ ଅନ୍ୟତ୍ର ବିକ୍ରି କରିଥିବା  ଅଭିଯୋଗ ହୋଇଛି । ଏଥିସହିତ ଚଞ୍ଚକତା କରି  ଭୂତ ହିତାଧିକାରୀଙ୍କ ନାଁରେ ୨ କୋଟି ୫୪ ଲକ୍ଷ  ଟଙ୍କା ହରିଲୁଟ୍‌ କରିଥିବା ଅଭିଯୋଗ ହୋଇଛି ।  

ବାହାରୁ କପଡ଼ା କିଣି ଦରଜୀଙ୍କ ପାଖରେ ସିଲେଇ  କରି ଏହାକୁ ହସ୍ତତନ୍ତ କହି ସୋସାଇଟି ନାମରେ  ବୟନିକାକୁ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।  ସୂଚନା ଅଧିକାର ଆଇନ ବଳରେ ତଥ୍ୟ  ସାମ୍ନାକୁ ଆସିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ  ପାଇଛି । ଏନେଇ ଉଚ୍ଚସ୍ତରୀୟ ତଦନ୍ତ ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ  ମାଣିଆବନ୍ଧର ବଟକୃଷ୍ଣ ପ୍ରଧାନ, ଶକ୍ତି ପ୍ରସାଦ  ସାହୁ, ଅଶୋକ ସ୍ୱାଇଁ, ରବୀନ୍ଦ୍ର ନାୟକ, କାଳନ୍ଦୀ  ନାୟକ ପ୍ରମୁଖ ଆଠଗଡ଼ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସେପଟେ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ଟେକ୍ସଟାଇଲ କହିଛନ୍ତି, ଏ ନେଇ ତଦନ୍ତ ଚାଲିଛି ରିପୋର୍ଟ ଆସିବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।